ଜଗତସିଂହପୁର: ସପ୍ତାହେ ତଳେ ତିର୍ତ୍ତୋଲ ପୋଲିସ ରାହାମା ବଜାରରେ ଥିବା ଏକ କୋଠାରେ ଚଢ଼ାଉ କରି ରାଣୀ ମହୁମାଛି ସମେତ ୫ ଜଣଙ୍କୁ ଗିରଫ କରିଥିଲା । ଆଉ  ସପ୍ତାହେ ଭିତରେ ପୁଣି ଜଗତସିଂହପୁର ପୁରୋହିତପୁର ଅଞ୍ଚଳରୁ ଠାବ ହୋଇଛି ଆଉ ଏକ ସେକ୍ସ ରାକେଟ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡ଼ନ। ଅଞ୍ଚଳର ଏକ କୋଠାରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିବା ସହ ରାଣୀ ମହୁମାଛି ସମେତ ୨ ଯୁବତୀଙ୍କୁ ଉଦ୍ଧାର କରିଛି। ସେହିଭଳି ୩ ଗ୍ରାହକଙ୍କୁ ଗିରଫ କରିଛି। ତେବେ ଚଢ଼ାଉ ବେଳେ ଦୁଇ ଯୁବକ ଓ ଜଣେ ଯୁବତୀ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଦୀର୍ଘ ଦିନ ହେଲା ଗାଁ ଭିତରେ ଏକ ଭଡ଼ା ଘରେ ଦେହ ବ୍ୟବସାୟ ଚାଲି ଆସୁଥିବା ଖବର ପାଇ ଅପରାହ୍ନରେ ମଙ୍ଗଳବାର ଏହି କୋଠା ଉପରେ ଚଢ଼ାଉ କରିଥିଲା । ଜଣାପଡ଼ିଛି ସ୍ୱାମୀଙ୍କ ମୃତ୍ୟୁ ପରେ ଜଗତସିଂହପୁର ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରି ରହିବା ସହ, ପେଟ ପୋଷିବା ପାଇଁ ଏହି ଧନ୍ଦା କରୁଥିବା ରାଣୀ ମହୁମାଛି ସ୍ୱୀକାର କରିଛି । ଏମିତିକି ବିଭିନ୍ନ ସମୟରେ ଯୁବତୀମାନଙ୍କୁ ଆଣି କାମରେ ଲଗାଉଥିବାର ସେ କହିଛି।

Also Read: ଟାଙ୍ଗିଆ ଚୋଟରେ ସଂସାର ଭାଙ୍ଗି ଚୁରମାର୍, ସାମାନ୍ୟ ବିବାଦରୁ ସ୍ୱାମୀ ନେଇଗଲା ସ୍ତ୍ରୀର ଜୀବନ

ତେବେ ଜଗତସିଂହପୁରରେ ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ବେଧଡ଼କ ଭାବରେ ଚାଲିଥିବା ବେଳେ ଏବେ ଅପରେସନ ଆଶା ଜ୍ୟୋତି ମାଧ୍ୟମରେ ପୋଲିସ ସକ୍ରିୟ ହୋଇ ଉଠିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ପୋଲିସ ୧୦ଟି ମୋବାଇଲ, ୩୭୫୦ ଟଙ୍କା ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ରାଣୀ ମହୁମାଛିକୁ ତାର ଦ୍ୱିତୀୟ ସ୍ୱାମୀ ସହଯୋଗ କରୁଥିବାର ପୋଲିସ କହିଛି ।