ମୁମ୍ଵାଇ ୧୪।୦୭; ବଲିଉଡ୍ ସଙ୍ଗୀତ ଜଗତର ଅତ୍ୟନ୍ତ ଲୋକପ୍ରିୟ ଗାୟିକା ଅନୁରାଧା ପୌଡ଼ୱାଲ । ୮୦ ଓ ୯୦ ଦଶକରେ ତାଙ୍କ ସୁମଧୁର କଣ୍ଠରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଗୀତ ଶୁଣିବାକୁ ମିଳିଥିଲା । କିନ୍ତୁ ସଫଳତାର ପିକ୍ରେ ଥିବା ସମୟରେ ସେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ଧୀରେ ଧୀରେ ଫିଲ୍ମୀ ଗୀତଠାରୁ ଦୂରେଇ ଭକ୍ତି ସଙ୍ଗୀତକୁ ନିଜ ଜୀବନର ମୁଖ୍ୟ ପଥ ଭାବେ ବାଛିନେଲେ । ଏହି ନିଷ୍ପତ୍ତି ତାଙ୍କୁ ଦେଇଥିଲା ‘ଭଜନ କ୍ୱିନ୍’ର ପରିଚୟ । ଏକ ପଡ୍କାଷ୍ଟରେ ଅନୁରାଧା ନିଜ ଜୀବନ ଓ ସଙ୍ଗୀତ ଯାତ୍ରାକୁ ନେଇ ଅନେକ ଭାବପ୍ରବଣ କଥା ସେୟାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଥମେ ତାଙ୍କୁ ‘ଭଜନ କ୍ୱିନ୍’ ବୋଲି କୁହାଯାଇନଥିଲା, ବରଂ ଜଣେ କହିଥିଲେ ଯେ ସେ ଭଜନ ସଙ୍ଗୀତରେ ଏକ ନୂଆ ବିପ୍ଲବ ଆଣିବେ । ଏହି କଥା ଶୁଣି ସେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ସେହି ମୁହୂର୍ତ୍ତ ତାଙ୍କ ଜୀବନର ଏକ ଅମୂଲ୍ୟ ସ୍ମୃତି ହୋଇ ରହିଯାଇଛି । ଅନୁରାଧା କହିଛନ୍ତି, ଆଜି ବି ଯେତେବେଳେ ସେ ଗଙ୍ଗା ଆରତିରେ ଯୋଗ ଦିଅନ୍ତି ଏବଂ ସେଠାରେ ତାଙ୍କ ଗାଇଥିବା ଭଜନ ବାଜେ, ସେତେବେଳେ ତାଙ୍କ ଆଖିରୁ ଲୁହ ଝରିଆସେ ।

ସେହିଭଳି ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ ପ୍ରଭାତୀ ଆରତି ସମୟରେ ତାଙ୍କ କଣ୍ଠରେ ରେକର୍ଡ ହୋଇଥିବା ଭଜନ ଶୁଣି ସେ ନିଜ ଭାବନାକୁ ଶବ୍ଦରେ ପ୍ରକାଶ କରିପାରନ୍ତି ନାହିଁ । ତାଙ୍କ ମତରେ ଏହା ସବୁ ଭଗବାନଙ୍କ ଅପାର କୃପା । ଭକ୍ତି ସଙ୍ଗୀତ କ୍ଷେତ୍ରରେ ଅନୁରାଧା ପୌଡ଼ୱାଲଙ୍କ ଅବଦାନ ଅତୁଳନୀୟ । ସେ ବିଭିନ୍ନ ଦେବଦେବୀଙ୍କ ଉପରେ ଅନେକ ଭଜନ ଓ ‘ଅମୃତବାଣୀ’ ରେକର୍ଡ କରିଛନ୍ତି । ବିଶେଷକରି ‘ଶିବ ଅମୃତବାଣୀ’ ଆଜି ବି ଦେଶର କୋଟି କୋଟି ଭକ୍ତଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ । ସେ କହିଛନ୍ତି, ଏହି ଭଜନ ବାଜିବାର କିଛି ମିନିଟ୍ ମଧ୍ୟରେ ପରିବେଶ ଭକ୍ତିମୟ ହୋଇଯାଏ ।

କେବଳ ହିନ୍ଦୁ ଧର୍ମ ନୁହେଁ, ଅନୁରାଧା ପୌଡ଼ୱାଲ ମୁସଲିମ୍, ଖ୍ରୀଷ୍ଟିଆନ୍, ଜୈନ ଓ ଶିଖ ଧର୍ମ ସମ୍ପର୍କିତ ଭକ୍ତି ସଙ୍ଗୀତ ମଧ୍ୟ ଗାଇଛନ୍ତି । ପାଞ୍ଚ ଦଶକରୁ ଅଧିକ ସମୟର ସଙ୍ଗୀତ ଯାତ୍ରାରେ ସେ ହଜାର ହଜାର ଗୀତ ଓ ୧୫୦୦ରୁ ଅଧିକ ଭଜନ ବିଭିନ୍ନ ଭାଷାରେ ରେକର୍ଡ କରିଛନ୍ତି । ତାଙ୍କ ଭଜନ ଆଜି ବି ଦେଶର ଅନେକ ମନ୍ଦିର ଓ ଘରେ ପ୍ରତିଦିନ ଶୁଣିବାକୁ ମିଳେ । ଅନୁରାଧା ପୌଡ଼ୱାଲଙ୍କ କାହାଣୀ କେବଳ ଜଣେ ସଫଳ ଗାୟିକାଙ୍କ କାହାଣୀ ନୁହେଁ । ଏହା ହେଉଛି ସଙ୍ଗୀତ, ଭକ୍ତି ଓ ଆଧ୍ୟାତ୍ମିକତା ପ୍ରତି ଜଣେ କଳାକାରଙ୍କ ଅଟୁଟ ବିଶ୍ୱାସର କାହାଣୀ । ସେହି କାରଣରୁ ଆଜି ବି ତାଙ୍କ କଣ୍ଠରେ ଗାଇଥିବା ଭଜନ ଲକ୍ଷ ଲକ୍ଷ ଲୋକଙ୍କ ମନରେ ଶାନ୍ତି ଓ ଭକ୍ତିର ଭାବନା ସୃଷ୍ଟି କରୁଛି।