MI vs CSK: ଆଇପିଏଲ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ (CSK) ନିଜର ଦବଦବା ବଜାୟ ରଖିଛି। ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ଏକ ହାଇଭୋଲଟେଜ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ପରାସ୍ତ କରିଛି ଚେନ୍ନାଇ। ଉଭୟ ବ୍ୟାଟିଂ ବୋଲିଂରେ ନିରାଶଜନକ ପ୍ରଦର୍ଶନ କରିଛି ମୁମ୍ବାଇ। ଏହି ଶୋଚନୀୟ ପରାଜୟ ମୁମ୍ବାଇର ପ୍ଲେ-ଅଫ୍ ଆଶାକୁ ଏକ ଶକ୍ତ ଧକ୍କା ଦେଇଛି। ୯ଟି ମ୍ୟାଚ୍ରୁ ଏହା ମୁମ୍ବାଇର ସପ୍ତମ ପରାଜୟ।

ଗାୟକୱାଡ୍ ଓ କାର୍ତ୍ତିକଙ୍କ ଦମଦାର ବ୍ୟାଟିଂ

୧୬୦ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ଆରମ୍ଭରୁ ସଞ୍ଜୁ ସାମସନଙ୍କ (୧୧) ୱିକେଟ୍ ହରାଇଥିଲା। ତେବେ ଅଧିନାୟକ ଋତୁରାଜ ଗାୟକୱାଡ୍ ଏବଂ ଯୁବ ଖେଳାଳି କାର୍ତ୍ତିକ ଶର୍ମା ମୁମ୍ବାଇ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଋତୁରାଜ ଗାୟକୱାଡ୍ ୪୮ ବଲ୍ରୁ ୬୭ ରନ୍ର ଏକ ଅଧିନାୟକୀୟ ଇନିଂସ ଖେଳିଛନ୍ତି, ଯାହା ଚଳିତ ସିଜନରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ।

କାର୍ତ୍ତିକ ଶର୍ମା ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ (୫୪ ରନ୍) ହାସଲ କରିବା ସହ ଚେନ୍ନାଇ ପାଇଁ ସବୁଠାରୁ କମ୍ ବୟସରେ ଅର୍ଦ୍ଧଶତକ ହାସଲ କରିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ୯୮ ରନ୍ର ଅପରାଜିତ ପାର୍ଟନରସିପ୍ ଦଳକୁ ସହଜରେ ୧୮.୧ ଓଭରେ ବିଜୟୀ କରାଇଥିଲା।

ମୁମ୍ବାଇର ପ୍ଲେ-ଅଫ୍ ଗଣିତ

ଏହି ପରାଜୟ ପରେ ମୁମ୍ବାଇ ପ୍ଲେ-ଅଫ୍ ଦୌଡ଼ରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିନାହିଁ, କିନ୍ତୁ ଏହାର ରାହ ଅତି କଷ୍ଟକର ହୋଇଯାଇଛି। ଯଦି ମୁମ୍ବାଇକୁ ଶେଷ ୪ରେ ସ୍ଥାନ ପାଇବାକୁ ହୁଏ, ତେବେ ଦଳକୁ ନିଜର ବାକି ଥିବା ସମସ୍ତ ୫ଟି ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ ଏବଂ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ।

ଚେନ୍ନାଇର ଐତିହାସିକ ସଫଳତା

ଆଇପିଏଲ ଇତିହାସରେ ଏହା ମାତ୍ର ତୃତୀୟ ଥର, ଯେଉଁଥିରେ ଚେନ୍ନାଇ ଗୋଟିଏ ସିଜନର ଉଭୟ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରିଛି। ଏହା ପୂର୍ବରୁ ୨୦୧୪ ଏବଂ ୨୦୨୩ରେ CSK ଏହି ସଫଳତା ପାଇଥିଲା। ଚଳିତ ସିଜନର ପ୍ରଥମ ମୁକାବିଲାରେ ମଧ୍ୟ ଚେନ୍ନାଇ ମୁମ୍ବାଇକୁ ୧୦୩ ରନ୍ରେ ହରାଇଥିଲା।

ମୁମ୍ବାଇ ଇନିଂସ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭ ନିରାଶଜନକ ଥିଲା। ଓ୍ଵିଲ ଜ୍ୟାକ୍ସ ୫ ବଲରୁ ମାତ୍ର ଏକ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରିୟାନ ରିକଲଟନ ଓ ନମନ ଧୀର ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୮ ରନ ଯୋଡ଼ିଥିଲେ। ନମନ ଧୀର (୫୭ ରନ୍, ୩୭ ବଲ୍) ଏବଂ ରିୟାନ ରିକଲଟନ (୩୭ ରନ୍) କିଛି ସମୟ ଲଢ଼େଇ କରିଥିଲେ। ହେଲେ ଦଳର ଦୁଇ ପ୍ରମୁଖ ବ୍ୟାଟର ସୂର୍ଯ୍ୟକୁମାର ଯାଦବ (୨୧) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୧୮) ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଦୁଇ ବ୍ୟାଟର ଦଳକୁ ନିରାଶ କରିଥିଲେ। ଫଳରେ ପୂରା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୫୯ ରନ୍ କରିବାକୁ ସକ୍ଷମ ହୋଇଛି।

ଚମକିଲେ ଅଂଶୁଲ କମ୍ବୋଜ

ଚେନ୍ନାଇ ପକ୍ଷରୁ ଯୁବ ବୋଲର ଅଂଶୁଲ କମ୍ବୋଜ ଶାଣିତ ବୋଲିଂ କରି ମୁମ୍ବାଇ ବ୍ୟାଟରଙ୍କୁ ଅତିଷ୍ଠ କରିଥିଲେ। ସେ ୪ ଓଭରରେ ୩୨ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଛନ୍ତି। ଜେମି ଓଭରଟନ ମଧ୍ୟ ମାପଚୁପ ବୋଲିଂ କରି ଗୋଟିଏ ୱିକେଟ୍ ଅକ୍ତିଆର କରିଥିବା ବେଳେ ନୂର ଅହମ୍ମଦ ଓ ମୁକେଶ ଚୌଧୁରୀ ପ୍ରଭାବଶାଳୀ ବୋଲିଂ କରିଥିଲେ।