ଆନ୍ଧ୍ରପ୍ରଦେଶ :  କୁହନ୍ତି ''ପ୍ରେମରେ ବୟସର ସୀମା ନଥାଏ " ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର ଏକ ଦମ୍ପତ୍ତି । ପ୍ରେମର ପ୍ରତୀକ ଭାବେ ସାରା ବିଶ୍ୱରେ ତାଜମହଲ ବେଶ ପରିଚିତ ।କିନ୍ତୁ ଆନ୍ଧ୍ରପ୍ରଦେଶର ଏହି କାହାଣୀଟି ଜାଣିଲେ ଆପଣଙ୍କୁ ଏକ ଅଦ୍ଭୁତ ପ୍ରେମ କାହାଣୀ ପରି ଲାଗିବ ,ଯେଉଁଠି ୬୫ ବର୍ଷୀୟ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଯନ୍ତ୍ରଣା ଦେଖିନପାରି ତିଆରି କରିଛନ୍ତି ଏକ ଦେଶୀ ଯୁଗାଡ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଯେଉଁଠାରେ ଆଜିକାଲିର ଯୁବପିଢ଼ି ପରସ୍ପରକୁ ହତ୍ୟା କରୁଛନ୍ତି , ସାମାନ୍ୟ କଥାରେ ବଚସା ହୋଇ ସ୍ୱାମୀ ସ୍ତ୍ରୀକୁ ଆଉ ସ୍ତ୍ରୀ ସ୍ୱାମୀକୁ ମାରୁଛି ସେଭଳି ସ୍ଥିତିରେ ଆନ୍ଧ୍ରର ଏହି ଦମ୍ପତ୍ତି ଏକ ବିରଳ ଉଦାହରଣ ସାଜିଛନ୍ତି

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅର୍ଥାମୁରୁ ଗାଁର ସତ୍ତି ଶିବ ନାରାୟଣ ରେଡ୍ଡୀ ନାମକ ଜଣେ ବ୍ୟକ୍ତି ୫୮ ବର୍ଷୀୟ ତାଙ୍କ ପତ୍ନୀ ସତ୍ୟବେଣୀଙ୍କ ପାଇଁ ଏକ ଏପରି ଡିଭାଇସ୍ ତିଆରି କରିଛନ୍ତି, ଯାହା ତାଙ୍କ ପାଇଁ ବେଶ ସୁବିଧାଜନକ ହୋଇଛି ପତ୍ନୀଙ୍କ ସମସ୍ୟାକୁ ଦେଖି ସ୍ୱାମୀ ଘରେ ହିଁ ଏକ ସରଳ ଯାନ୍ତ୍ରିକ ଏସ୍କେଲେଟର୍ ତିଆରି କରିଛନ୍ତି । ଯାହା ମାଧ୍ୟମରେ ପତ୍ନୀ ସହଜରେ ସିଡ଼ି ଚଢିଉପରକୁ ଯାଇପାରୁଛନ୍ତି। ସ୍ଥାନୀୟ ଲୋକମାନେ ଏହି ଉଦ୍ଭାବନକୁ ଦେଖି ଆଶ୍ଚର୍ୟ ହୋଇଛନ୍ତି।

ପତ୍ନୀଙ୍କ ଯନ୍ତ୍ରଣାକୁ ଦେଖି ଇଞ୍ଜିନିୟରିଂ ଜ୍ଞାନ ନଥିଲେ ମଧ୍ୟ ସ୍ୱାମୀ ନିଜ ଅନୁଭବ ଓ ଚିନ୍ତାଧାରା ଦ୍ୱାରା ଏହି ଉପକରଣ ତିଆରି କରିଛନ୍ତି । ଏହା ପ୍ରମାଣିତ କରୁଛି ଯେ ପ୍ରେମ ଓ ଇଚ୍ଛାଶକ୍ତି ଥିଲେ କୌଣସି କାମ ଅସମ୍ଭବ ନୁହେଁ। ଏହି ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଲୋକମାନେ ଏହାକୁ ବେଶ ପ୍ରଶଂସା କରୁଛନ୍ତି । ମାତ୍ର ୭୦,୦୦୦ ଟଙ୍କା ଖର୍ଚ୍ଚରେ ଏହି ଦେଶୀ ଯୁଗାଡ଼ କରିଛନ୍ତି ସ୍ୱାମୀ ସତ୍ତି ଶିବ ରେଡ୍ଡୀ । ଯାହା ତାଙ୍କ ପତ୍ନୀଙ୍କୁ ଯନ୍ତ୍ରଣାରୁ ଦେଇଛି ମୁକ୍ତି । ବର୍ତ୍ତମାନ, ଏହି କାହାଣୀ ସୋସିଆଲ ମିଡିଆରେ ୟୁଜର୍ସଙ୍କ ହୃଦୟ ଜିତିବାରେ ଲାଗିଛି। ଏହି ଘଟଣା କେବଳ ଏକ ଆବିଷ୍କାର ନୁହେଁ, ବରଂ ଏକ ଭାବନା, ଦାୟିତ୍ୱ ଓ ଅପାର ସ୍ନେହର ଜୀବନ୍ତ ଉଦାହରଣ ।