ଭୁବନେଶ୍ବର: ଚାଷୀ ପଞ୍ଜିକରଣ ପାଇଁ ଏଗ୍ରିଷ୍ଟାକ୍ ଫାର୍ମର ID ବାଧ୍ୟତାମୂଳକ ଘୋଷଣା ପରେ ଦେଖିବାକୁ ମିଳିଛି ଅସନ୍ତୋଷ। ଅନେକ ସ୍ଥାନରେ ଚାଷୀମାନେ ଏହାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଅବଶ୍ୟ ସରକାରଙ୍କ ଆଶ୍ବାସନା ଦେଇ ଚଳିତ ବର୍ଷ ଏଗ୍ରିଷ୍ଟେକ ଫାର୍ମର ID ବିନା ଚାଷୀ ଧାନ ବିକ୍ରି କରିପାରିବେ ବୋଲି କହିଛନ୍ତି । ହେଲେ ତଥାପି ଏହାକୁ ନେଇ ନ୍ଦ୍ବନ୍ଦ୍ବ ଲାଗି ରହିଛି।

ଏହାରି ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ନେଇ ବଡ଼ ବୈଠକ ହୋଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ପଶ୍ଚିମ ଓଡ଼ିଶାର ବିଧାୟକମାନଙ୍କର ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ବିଧାୟକମାନେ ଯୋଗ ଦେଇଥିଲେ। ବୈଠକରେ ବିଧାୟକମାନେ ଆସନ୍ତା ଖରିଫ ଋତୁରେ ଧାନ ବିକ୍ରି ପ୍ରକ୍ରିୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ ଏନେଇ ମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି, ‘‘ରାଜ୍ୟର ସମସ୍ତ କୃଷକଙ୍କ ରେଜିଷ୍ଟ୍ରେସନ୍ କରାଯିବ। ପ୍ରତ୍ୟେକ କୃଷକଙ୍କୁ ଟୋକନ ଯୋଗାଇ ଦିଆଯିବ ଏବଂ କାହାର ବି ଟୋକନ ବ୍ରେକ ହେବ ନାହିଁ। ସରକାର ସମସ୍ତ କୃଷକଙ୍କ ଠାରୁ ଧାନ କ୍ରୟ କରିବେ। କୃଷକମାନଙ୍କୁ ହଇରାଣ କରିବା ଆମ ସରକାରଙ୍କ ମନ୍ତ୍ର ନୁହେଁ।’’

Also Read: ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ : ସବୁ ଘରେ ପହଞ୍ଚିବ ପାଣି, ଯୁବକଙ୍କୁ ନିଯୁକ୍ତି ଉପରେ ଫୋକସ୍

ମନ୍ତ୍ରୀ ଆହୁରି କହିଛନ୍ତି, ‘‘ଜମି ମାଲିକ ଏବଂ ଭାଗ ଚାଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମାଧ୍ୟମରେ ସେମାନେ ଫେସ୍ ଅଥେଣ୍ଟିକେସନ୍ ମାଧ୍ୟମରେ ନିଜର ରେଜିଷ୍ଟ୍ରେସନ୍ କରିପାରିବେ। ରେଜିଷ୍ଟ୍ରେସନ୍ ପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟ ରହିଛି। ଆବଶ୍ୟକତା ଅନୁଯାୟୀ ଏହି ସମୟସୀମା ଆହୁରି ବୃଦ୍ଧି କରାଯିବ।’’