ନୂଆଦିଲ୍ଲୀ: କ୍ଲାସରୁମରେ ହଠାତ ତଳେ ପଡ଼ିଗଲେ ତୃତୀୟ ଶ୍ରେଣୀ ଛାତ୍ରୀ । ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଗଲା । ବୟସ ମାତ୍ର ୯ ବର୍ଷ, କିନ୍ତୁ ହୃଦଘାତରେ ତାଙ୍କର ଜୀବନ ଯାଇଥିବା ନେଇ ସନ୍ଦେହ କରାଯାଉଛି । ସେପଟେ ପୁଲିସ କ୍ଲାସରୁମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି । ନୂଆଦିଲ୍ଲୀର ମୟୂର ବିହାରସ୍ଥିତ ଏକ ସ୍କୁଲରେଏହି ଅଘଟଣ ଘଟିଛି ।  ବୁଧବାର ସକାଳ ପ୍ରାୟ ୯ଟା ୫୨ ମିନିଟ୍‌ରେ ଦିଲ୍ଲୀ ପୁଲିସକୁ ଏହି ବିଷୟରେ ସୂଚନା ମିଳିଥିଲା। 

ଶିକ୍ଷକମାନେ ତୁରନ୍ତ ତାଙ୍କୁ ନିର୍ମାଣ ବିହାରର ଏକ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ଛାତ୍ରୀଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । କିନ୍ତୁ ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଛାତ୍ରୀ ଜଣକ ଅନ୍ୟ ପିଲାମାନଙ୍କ ସହ ସିଢ଼ି ଚଢ଼ି ଶ୍ରେଣୀଗୃହ ଆଡ଼କୁ ଯାଉଥିଲେ। ଶ୍ରେଣୀଗୃହ ଭିତରକୁ ପ୍ରବେଶ କରିବା ମାତ୍ରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଏହା ଦେଖି ଶ୍ରେଣୀ ଶିକ୍ଷୟିତ୍ରୀ ତୁରନ୍ତ ତାଙ୍କୁ ଉଠାଇ ଚେୟାରରେ ବସାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଛାତ୍ରୀ ଜଣକ ସମ୍ପୂର୍ଣ୍ଣ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହା ପରେ ଶିକ୍ଷୟିତ୍ରୀ ଜଣକ ବ୍ୟାକୁଳ ହୋଇ ବାହାରକୁ ଦୌଡ଼ି ଯାଇଥିଲେ । କିଛି ସେକେଣ୍ଡ ମଧ୍ୟରେ ଫେରି ପିଲାଟିକୁ କୋଳେଇ ଧରି ବାହାରକୁ ନେଇଯାଇଥିଲେ।

ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ରୀଙ୍କ ପରିବାର ଲୋକ କିମ୍ବା ସ୍କୁଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କରାଯାଇ ନାହିଁ ବୋଲି ପୁଲିସ କହିଛି। ସ୍କୁଲର ବିଭିନ୍ନ ସ୍ଥାନରେ ଲାଗିଥିବା ଅନ୍ୟ ସିସିଟିଭି କ୍ୟାମେରାର ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣଗୁଡ଼ିକୁ ପୁଲିସ ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହୋଇପାରିବ । ତେବେ ମାତ୍ର ୯ ବର୍ଷୀୟ ଛାତ୍ରୀଙ୍କ ହୃଦଘାତରେ ମୃତ୍ୟୁ ହେବା ଖବରକୁ କେହି ବିଶ୍ବାସ କରିପାରୁନାହାନ୍ତି ।  କୁନି ଝିଅର ମୃତ୍ୟୁ ପଛରେ ପାରିବାରିକ କାରଣ କିମ୍ବା ପଢ଼ା ଚାପ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି ।