ମୁମ୍ବାଇ: ମୁମ୍ବାଇର ବିଭିନ୍ନ ସ୍ଥାନରେ ବୋମା ମାଡ଼ କରିବାର ଧମକ ପୁଣିଥରେ ଆସିଛି। ଅମିତାଭ ବଚ୍ଚନଙ୍କ ଜୁହୁ ସ୍ଥିତ ବଙ୍ଗଳା ଜଲସା,ବୃହନ୍ମୁମ୍ବାଇ ମହାନଗର ନିଗମ (BMC) ମୁଖ୍ୟାଳୟରେ ଥିବା ମେୟରଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟ କିଛି ସ୍ଥାନକୁ ଟାର୍ଗେଟ୍ କରାଯିବ ବୋଲି ଏକ ନୂଆ ଧମକପୂର୍ଣ୍ଣ ମେସେଜ୍ ଆସିଛି। ମୁମ୍ବାଇ ମେୟର ରିତୁ ତାୱଡେ ଏବଂ ବିଏମସି (BMC) କମିଶନର ଅଶ୍ୱିନୀ ଭିଡେଙ୍କ ଉଦ୍ଦେଶ୍ୟରେ ଏହି ନୂଆ ମେସେଜ୍ କରାଯାଇଛି।

ତେବେ ଏଥର ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ କନସର୍ଟ ଓ ମୁମ୍ବାଇର ମେଟ୍ରୋ ରେଳ ନେଟୱାର୍କକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଇମେଲ୍ରେ କୁହାଯାଇଛି। ନଭେମ୍ବର ୨୭ ତାରିଖରେ ମୁମ୍ବାଇର ମହାଲକ୍ଷ୍ମୀ ରେସ କୋର୍ସରେ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ କନସର୍ଟ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏଠାରେ ବୋମା ମାଡ଼ କରିବାକୁ ଧମକ ମିଳିଛି। ୨୦୦୮ ମୁମ୍ବାଇ ଟେରର ଆଟାକ ମାମଲା ୧୮ତମ ବାର୍ଷିକ ପାଳନ ହେଉଥିବା ବେଳେ ଏହି ଧମକ ଆସିଛି।

Also Read- ଶେଖ ହାସିନାଙ୍କୁ ସାମାନ୍ୟ କ୍ଷତି ହେଲେ….ବାଂଲାଦେଶ ପିଏମ୍ଙ୍କୁ ପେଣ୍ଟାଗନର ପୂର୍ବତନ ମୁଖ୍ୟଙ୍କ ଚେତାବନୀ

ମେଲ ପଠାଇଥିବା ବ୍ୟକ୍ତି ଖାଲିସ୍ତାନ ଏବଂ ୧୯୮୪ ମସିହାର ଶିଖ୍-ବିରୋଧୀ ହିଂସାକାଣ୍ଡ ବିଷୟରେ ଉଲ୍ଲେଖ କରିଥିଲା। ନିଜକୁ "ବବ୍ବର ଖାଲସା (ପରମାର-କାନାଡ଼ା)" ଏବଂ "ଖାଲିସ୍ତାନ ନ୍ୟାସନାଲ୍ ଆର୍ମି"ର ସଦସ୍ୟ ବୋଲି କହିଥିଲା। ସହରରେ ଦିଲଜିତଙ୍କ କାର୍ଯ୍ୟକ୍ରମ କରାଇବାକୁ ଅନୁମତି ଦେଲେ ମୁମ୍ବାଇରେ ପୂରା ୩୦ ଦିନ ପର୍ଯ୍ୟନ୍ତ ବୋମା ମାଡ଼ କରିବୁ ବୋଲି ସେ ଧମକ ଦେଇଛି।

ଟାର୍ଗେଟରେ ଦିଲଜିତ

ଖାଲି ମୁମ୍ବାଇ ନୁହେଁ, ବେଙ୍ଗାଲୁରୁରେ ହେବାକୁ ଥିବା ମ୍ୟୁଜିକ କନସର୍ଟରେ ଆଇଇଡି ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି। ନଭେମ୍ବର ୩୦ ତାରିଖରେ ଏଠାରେ ଦିଲ୍ଜିତଙ୍କର ମ୍ୟୁଜିକ କନସର୍ଟ ଆୟୋଜନା ହେବାର ଅଛି। ବେଙ୍ଗାଲୁରୁର ମାଦାଭାରା ସ୍ଥିତ ଏନଆଇସିଇ ଗ୍ରାଉଣ୍ଡ୍ରେ ଏହି କାର୍ଯ୍ୟକ୍ରମ ନୁଷ୍ଠିତ ହେବ। ତା ପୂର୍ବରୁ ଏଭଳି ଧମକ ମିଳିବା ବେଙ୍ଗାଲୁରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲିଟିଛି।

ତେବେ ଗତ କିଛି ମାସ ହେଲା ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରକୁ ଆକ୍ରମଣ ନେଇ ଏଭଳି ଧମକପୂର୍ଣ୍ଣ ମେସେଜ ଆସୁଛି। ମୁମ୍ବାଇରେ ଅମିତାଭଙ୍କ ଘରକୁ ଉଡ଼ାଇ ଦେବାକୁ ବାରମ୍ବାର ଧମକ ଦିଆଯାଉଛି। ମୁମ୍ବାଇ ପୁଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଜାରି ରଖିଛି।