ନୂଆଦିଲ୍ଲୀ: ଆସନ୍ତା ବିଧାନ ନିର୍ବାଚନ ପୂର୍ବରୁ ସରଗରମ ହେବାରେ ଲାଗିଛି ପଞ୍ଜାବ । ବିଜେପି ଶୀର୍ଷ ନେତୃତ୍ୱଙ୍କ ପଞ୍ଜାବ ଗସ୍ତ ଆରମ୍ଭ ହୋଇଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ମଙ୍ଗଳବାର ପଞ୍ଜାବ ଗସ୍ତ କରିଛନ୍ତି । ସେଠାରେ ସେ ନିଶା ବିରୋଧରେ ସ୍ୱର ଉଠାଇ ଜୀବନ ହରାଇଥିବା ଲୋକଙ୍କ ପରିଜନଙ୍କୁ ଭେଟିଛନ୍ତି । ଗୁରୁଦାସପୁର, ସଙ୍ଗରୁର ଏବଂ ମାନସା ପାଇଁ ଦିନିକିଆ କାର୍ଯ୍ୟକ୍ରମ ରହିଛି । ଶାହଙ୍କ ପଞ୍ଜାବ ଗସ୍ତକୁ ନେଇ ଏହି ତିନି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅମିତ ଶାହ ପ୍ରଥମେ ଗୁରଦାସପୁର ଜିଲ୍ଲାର ବଟାଲାର ମାରି ପାନୱାନ୍ ଗାଁରେ ପହଞ୍ଚିଥିଲେ । ଏଠାରେ ସେ ବିକ୍ରମଜିତ ସିଂହଙ୍କ ପରିବାରକୁ ଭେଟିଥିଲେ । ବିକ୍ରମଜିତଙ୍କୁ ବେଆଇନ ନିଶା ବିକ୍ରିକୁ ବିରୋଧ କରିବାରୁ ଅକ୍ଟୋବର ୧୫ ତାରିଖରେ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ତେବେ ପୋଲିସ କହିଛି ଯେ ମୋବାଇଲ୍ ଫୋନକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିଲା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଙ୍ଗରୁର ଜିଲ୍ଲାର ତୁର ବଞ୍ଜାରା ଗାଁରେ ପହଞ୍ଚି ଗୁଲଜାର ସିଂହଙ୍କ ପରିବାରକୁ ଭେଟିଛନ୍ତି । ଗତ ମାସରେ ନିଶା ସେବନ ବିରୋଧରେ ସ୍ୱର ଉଠାଇବା ପରେ ଆତ୍ମହତ୍ୟା କରିଥିବେ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଗାଁ ମୁଖିଆ ଏବଂ ପଞ୍ଚାୟତର ସଦସ୍ୟମାନେ ମାନସିକ ନିର୍ଯାତନା ଦେବା ସହ ଅପମାନିତ କରିଥିଲେ । ପରିବାର ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି ।

 

ଅମିତ ଶାହ ତା’ପରେ ମାନସାରେ ନିଶା ବିରୋଧୀ କାର୍ଯ୍ୟକର୍ତ୍ତା ପରବିନ୍ଦର ସିଂହ ଝୋଟାଙ୍କ ପରିବାରକୁ ଭେଟିବେ । ଝୋଟାଙ୍କୁ ଗତ ସପ୍ତାହରେ ଜଣେ ମେଡିକାଲ୍ ଷ୍ଟୋର ମାଲିକ ହତ୍ୟା କରିଥିଲେ । ଝୋଟାଙ୍କ ବାପା ଭୀମ ସିଂହ ସୋମବାର କହିଥିଲେ ଯେ ଶାହଙ୍କ ସହ ସାକ୍ଷାତ ସମୟରେ ସେ ତାଙ୍କ ପୁଅର ହତ୍ୟାର ସିବିଆଇ ତଦନ୍ତ ଦାବି କରିବେ । ଝୋଟା ବେଆଇନ୍ ଡ୍ରଗ୍ସ ବିକ୍ରୟ ବିରୋଧରେ ସ୍ୱର ଉଠାଇବା ପାଇଁ ନିଜ ଅଞ୍ଚଳରେ ଚର୍ଚ୍ଚିତ ଥିଲେ ।