ରାୟଗଡ଼ା: ଗାଁକୁ ନାହିଁ ରାସ୍ତା । ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଶେଷରେ ପ୍ରାୟ ଏକ କିଲୋମିଟର ଷ୍ଟ୍ରେଚରରେ ବୋହି ଗୁରୁତର ପ୍ରସୂତିଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତର ସରମବାଇ ଗାଁରେ ।

ସୂଚନା ଅନୁସାରେ, ଗାଁର ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଖବର ପାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ରାସ୍ତା ଅଭାବରୁ ଗାଁ ଭିତରକୁ ଯାଇପାରିନଥିଲା । ଏଭଳି ସ୍ଥିତିରେ ଡ୍ରାଇଭର ପରୀକ୍ଷିତ ନାଏକ, ହେଲପର ଅବିରାମ ନାଏକ ଏବଂ ଫାର୍ମାସିଷ୍ଟ ବିନ୍ଦୁ ସାଗର ବାଘ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ସରମବାଇ ସ୍କୁଲ ପର୍ଯ୍ୟନ୍ତ ଆଣିଥିଲେ । ପରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Also Read: ବିବାହ ପ୍ରତିଶ୍ରୁତି ଦେଇ ସାଇବର ଠକେଇ: ଟାର୍ଗେଟରେ ବିଧବା ମହିଳା, ଗୋଆରୁ ମୁଖ୍ୟ ଅଭିଯୁକ୍ତ ଗିରଫ​​​​​​​

ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିଲେ ବି, ୧୦୮ କର୍ମଚାରୀଙ୍କ ମାନବିକତାକୁ ପ୍ରଂଶସା କରାଯାଇଛି। ସେପଟେ ଘଟଣା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଜରୁରୀ ସମୟରେ ଯଦି ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନି, ତେବେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କିପରି ସୁନିଶ୍ଚିତ ହେବ ?  ଏମିତିରେ ସରମବାଇ ଗାଁର ରାସ୍ତା ସମସ୍ୟାର ସମାଧାନ ପାଇଁ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଉପରେ ନଜର।