ନୂଆଦିଲ୍ଲୀ: ଭୀଷଣ ହୋହଲ୍ଲା ମଧ୍ୟରେ ‘ଆଣ୍ଟି ପେପର ଲିକ୍ ବିଲ୍’ ବୁଧବାର ଲୋକସଭାରେ ଗୃହୀତ ହୋଇଯାଇଛି। ଏବେ ଆଲୋଚନା ଲାଗି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ତେବେ ଲୋକସଭାରେ ବିଧେୟକକୁ ଗୃହୀତ କରିବା ପାଇଁ ବ୍ୟାପକ ହଟ୍ଟଗୋଳ ଦେଖାଯାଇଛି। ରାହୁଲ ଗାନ୍ଧିଙ୍କ ଭାଷଣକୁ ନେଇ ଶାସକ ଦଳ ଆପତ୍ତି କରିଛନ୍ତି ଓ ତାଙ୍କୁ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଛି। ଏହା ପରେ ସଦନରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା। ସାର୍ବଜନିକ ପରୀକ୍ଷା ସଂଶୋଧନ ବିଧେୟକ ୨୦୨୬ଲୋକସଭାରେ ଧ୍ୱନୀମତରେ ଗୃହୀତ ହୋଇଛି।

ବିଧେୟକ ଆଲୋଚନା କାଳରେ ହୋ ହଲ୍ଲାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶାନ୍ତ କରାଇଥିଲେ ଓ ରାହୁଲ ଗାନ୍ଧିଙ୍କୁ ତାଙ୍କ ଭାଷଣ ଶେଷ କରିବାକୁ କହିଥିଲେ। ଏଣୁ ଅଧାରୁ ବନ୍ଦ ରଖିଥିବା ଭାଷଣକୁ ରାହୁଲ ପୁଣିଥରେ ଆରମ୍ଭ କରିଥିଲେ। କହିଥିଲେ ବଳପ୍ରୟୋଗ ଲାଗି ମଞ୍ଜୁରୀ କେବଳ ପ୍ରଧାନମନ୍ତ୍ରୀ ଅଥବା ଗୃହମନ୍ତ୍ରୀ ଦେଇ ପାରନ୍ତି। ଏଣୁ ଗୃହରେ ପୁଣି ଥରେ ଅସ୍ୱଭାବିକ ପରିସ୍ଥିତି ଉପୁଜିଥିଲା। ଶାସକ ଦଳ ରାହୁଲ ଗାନ୍ଧି କ୍ଷମାଯାଚନା କରନ୍ତୁ ବୋଲି ଦାବି କରିଥିଲେ। ଏଥିରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ତ୍ର ସିଂହ କହିଥିଲେ ଯେ ‘ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏଥି ପାଇଁ ପରାମର୍ଶ ଦେବା ବଦଳେ ଏହାକୁ ନେଇ ରାଜନୀତି କରାଯାଉଛି’।

ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଏହି ବିଧେୟକ ଚର୍ଚ୍ଚାରେ ଲୋକସଭାରେ ବିରୋଧୀ ଦଳ ନେତା ଯେଉଁଭଳି ଅସଂସଦୀୟ ଭାଷା ପ୍ରୟୋଗ କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ଏଥିରୁ ସଂସଦର ମୌଳିକ କାର୍ଯ୍ୟ ନେଇ ତାଙ୍କର କୌଣସି ଅଭିଜ୍ଞତା ଅଛି କି ନା ସେ ନେଇ ମୁଁ ଏବେ ସନ୍ଦେହ କରୁଛି। ଏ ଦେଶର ଯୁବା, ଯିଏ ଦେଶର ଭବିଷ୍ୟତ ସେମାନଙ୍କୁ ‘ମୁର୍ଖ’ କହିବାଠାରୁ ଅଧିକ ଦୁର୍ଭାଗ୍ୟ ଆଉ କଣ ହୋଇପାରେ ବୋଲି ଜିତେନ୍ଦ୍ର ସିଂହ ପ୍ରଶ୍ନ କରିଛନ୍ତି।