ନୂଆଦିଲ୍ଲୀ ୧୭।୦୮; କୁହାଯାଏ, ରକ୍ତର ସମ୍ପର୍କଠାରୁ ବି ବଡ଼ ହୋଇଥାଏ ଆତ୍ମୀୟତାର ସମ୍ପର୍କ। ବିଶେଷ କରି ନିଜ ସହର ଓ ପରିବାରଠାରୁ ହଜାର ହଜାର କିଲୋମିଟର ଦୂରରେ ବିଦେଶରେ ରହୁଥିବା ବେଳେ, ପଡ଼ୋଶୀ ହିଁ ସାଜନ୍ତି ନିଜର ଆପଣାର। ଭାଷା ଅଲଗା ହୋଇପାରେ, ଧର୍ମ କିମ୍ବା ସଂସ୍କୃତି ଭିନ୍ନ ହୋଇପାରେ ସତ... କିନ୍ତୁ ଭଲପାଇବା ଓ ଦୟାର କୌଣସି ନିର୍ଦ୍ଦିଷ୍ଟ ଭାଷା ନଥାଏ।

ଆଜି ଆମେ ଆପଣଙ୍କୁ ଦେଖାଇବୁ ଏମିତି ଏକ ହୃଦୟସ୍ପର୍ଶୀ କାହାଣୀ। ଯାହା ସୋସିଆଲ ମିଡିଆରେ ଲୋକଙ୍କ ଆଖିରେ ଲୁହ ଆଣିଦେଇଛି। ଏକ ଭାରତୀୟ ଦମ୍ପତି ଆମେରିକା ଛାଡ଼ି ଭାରତ ଫେରିବା ସମୟରେ, ତାଙ୍କ ଆମେରିକୀୟ ପଡ଼ୋଶୀଙ୍କ ଶେଷ ବିଦାୟର ମୁହୂର୍ତ୍ତ ଏବେ ସାରା ବିଶ୍ୱର ଜନସାଧାରଣଙ୍କ ମନ ଛୁଇଁଛି।

ଭାରତୀୟ ଦମ୍ପତି ଆମେରିକା ଛାଡି ଭାରତ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ବିମାନବନ୍ଦର ପାଇଁ ଯାତ୍ରା କରିବା ପୂର୍ବରୁ, ସେମାନେ ସେମାନଙ୍କ ଘର ବାହାରେ ଠିଆ ହୋଇଥିଲେ । ଠିକ୍ ସେହି ସମୟରେ ସେମାନଙ୍କର ଆମେରିକୀୟ ପଡ଼ୋଶୀ ସେଠାକୁ ଧାଇଁ ଆସିଥିଲେ । ସେ ହୁଏତ ଅନୁଭବ କରିଥିଲେ ଯେ ଏହା ସେମାନଙ୍କର ଶେଷ ବିଦାୟ । କେଜାଣି କେବେ ପୁଣି ଦେଖା ହେବ ।

ଏହା କୌଣସି କ୍ୟାମେରା ଡ୍ରାମା ନଥିଲା, ନା କୌଣସି ପ୍ରି ପ୍ଲାନିଚ। ଆମେରିକୀୟ ମହିଳା ଜଣକ ଭାରତୀୟ ଦମ୍ପତିଙ୍କୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ ଯେ, ସେହି ଦୃଶ୍ୟ ଯିଏ ଦେଖିଲା ତା’ ଆଖି ଲୁହ ଆସିଯାଇଥିଲା । କେବଳ କିଛି ସେକେଣ୍ଡର ଏହି ମୁହୂର୍ତ୍ତ ସୂଚାଇ ଦେଉଥିଲା-ବିଦେଶ ମାଟିରେ ବି ଏହି ଦୁଇଟି ପରିବାର ମଧ୍ୟରେ କେତେ ଗଭୀର ସମ୍ପର୍କ ଗଢ଼ି ଉଠିଥିଲା। ଭାରତୀୟ ଦମ୍ପତି ମଧ୍ୟ ଭାବବିହ୍ୱଳ ହୋଇ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।

ଏହି ସମ୍ପୂର୍ଣ୍ଣ ମୁହୂର୍ତ୍ତକୁ ଚୁପଚାପ୍ ନିଜ କ୍ୟାମେରାରେ ରେକର୍ଡ କରିଥିଲେ ସେମାନଙ୍କର ଜଣେ ବନ୍ଧୁ। ପରେ ଯେତେବେଳେ ଏହି ଭିଡିଓଟି ବିଜୟଙ୍କୁ ମିଳିଲା, ସେ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ବିଜୟ ଲେଖିଛନ୍ତି-"ଏହା ଆମ ପାଇଁ କେବଳ ଏକ ବିଦାୟ ନଥିଲା, ବରଂ ଆମେରିକା ଜୀବନର ସବୁଠାରୁ ଅମୂଲ୍ୟ ସ୍ମୃତି ଥିଲା। ଆଶା କରୁଛୁ ଆମେ ପୁଣି ଥରେ ଭେଟିବୁ।ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍ସମାନେ ନିଜର ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି।

ସତରେ... ଘରଠାରୁ ଦୂରରେ ଥିବା ବେଳେ ପଡ଼ୋଶୀ ହିଁ ପରିବାର ପାଲଟିଯାଆନ୍ତି। ଏହି ଭିଡିଓ ପ୍ରମାଣିତ କରେ ଯେ, ମଣିଷପଣିଆ ଏବଂ ସ୍ନେହ ଆଗରେ ଭୌଗୋଳିକ ସୀମା ସମ୍ପୂର୍ଣ୍ଣ ଫିକା ପଡ଼ିଯାଏ। ଭାରତୀୟ ଦମ୍ପତି ନିଜ ମାଟିକୁ ଫେରିଆସିଛନ୍ତି ସତ, କିନ୍ତୁ ସାଥୀରେ ନେଇ ଆସିଛନ୍ତି ସାତସମୁଦ୍ର ପାରିର ଏକ ନିବିଡ଼ ଆତ୍ମୀୟତା।