ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟର ଜାରି ଯୁଦ୍ଧ ମଧ୍ୟରେ ତୁର୍କୀରୁ ବଡ଼ ଖବର ସାମ୍ନାକୁ ଆସିଛି । ତୁର୍କୀରେ ଯୁଦ୍ଧ ବିମାନ ଓହ୍ଲାଇବା ନେଇ ଆମେରିକାର ଅନୁରୋଧ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ ଅଙ୍କାରା । ନାଟୋ ସଦସ୍ୟ ତୁର୍କୀର ଏଭଳି କାରନାମା, ଟ୍ରମ୍ପଙ୍କୁ ଶକ୍ତ ଧକ୍କା ଦେଇଛି । ସେପଟେ ଏନେଇ ତୁର୍କୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ମଧ୍ୟପ୍ରାଚ୍ୟ ବ୍ୟାପାର ସହ ଜଡ଼ିତ ଜଣେ ବିଶେଷଜ୍ଞ କହିଛନ୍ତି, ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଆଙ୍କାରା ସହିତ ଯୋଗାଯୋଗ କରିଥିଲା। ଆମେରିକା ଚାହୁଁଥିଲା ଯେ, ତୁର୍କୀ ତାର ଲଢ଼ୁଆ ବିମାନ ଏବଂ ଇନ୍ଧନ ଭର୍ତ୍ତି ବିମାନକୁ ତୁର୍କୀ ମାଟିରେ ଅବତରଣ କରିବାକୁ ଅନୁମତି ଦେଉ । କିନ୍ତୁ ଅଙ୍କାରା କୌଣସି ଉତ୍ତର ଦେଇ ନଥିଲା। ଏହି ସମସ୍ୟାର ସମାଧାନ ପାଇଁ ଟ୍ରମ୍ପ ପ୍ରଶାସନ ତୁର୍କୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲା ବୋଲି ସେ ଦାବି କରିଛନ୍ତି।

ଯୁଦ୍ଧକୁ ନେଇ ତୁର୍କୀର ମତ କ'ଣ ?

ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପାଇଁ ତୁର୍କୀ ଇସ୍ରାଏଲକୁ ଦାୟୀ କରୁଛି । ତିନି ଦିନ ପୂର୍ବରୁ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନ ସଂସଦରେ କହିଥିଲେ ଯେ, ‘ଏହି ଯୁଦ୍ଧ ତୁରନ୍ତ ସମାପ୍ତ ହେବା ଆବଶ୍ୟକ। ନଚେତ୍, ସମଗ୍ର ମଧ୍ୟପ୍ରାଚ୍ୟ ନିଆଁରେ ଜଳିଯିବ। ଯୁଦ୍ଧକୁ ରୋକିବା ପାଇଁ ତୁର୍କୀ ମଧ୍ୟସ୍ଥତା କରୁଛି।ତୁର୍କୀ ମଙ୍ଗଳବାର ଇରାନକୁ ଏକ ପ୍ରସ୍ତାବ ପଠାଇଥିଲା । ଏହାକୁ ସର୍ବୋଚ୍ଚ ନେତା ମୋଜତାବା ଖାମେନି ପ୍ରତ୍ୟାଖ୍ୟାନ କରିଥିଲେ। ତୁର୍କୀ ଏକ ନାଟୋ ସଦସ୍ୟ କିନ୍ତୁ ନିଜକୁ ଏହି ସଂଘର୍ଷରୁ ଦୂରରେ ରଖିଛି। ଇରାନ ମଧ୍ୟ ତୁର୍କୀ ଉପରେ କେବଳ ପ୍ରତୀକାତ୍ମକ ଆକ୍ରମଣ କରୁଛି। ତୁର୍କୀ କେବଳ ଇରାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରୁଛି। କିନ୍ତୁ ତୁର୍କୀ ଯୁଦ୍ଧରେ ସାମିଲ ହେବାକୁ ଚାହୁଁନାହିଁ।

କାହିଁକି ସାହାଯ୍ୟ ମାଗିଲା ଆମେରିକା ?

Also Read: IDF ଆକ୍ରମଣରେ ଇରାନର ଗୁଇନ୍ଦା ମନ୍ତ୍ରୀଙ୍କ ମୃତ୍ୟୁ, ଇସ୍ରାଏଲ-ଆମେରିକାକୁ ଦେଖାଉଥିଲେ ନାଲିଆଖି

ଏପର୍ଯ୍ୟନ୍ତ ଆମେରିକା ଇରାକ ଏବଂ ଉପସାଗରୀୟ ଦେଶଗୁଡ଼ିକରେ ତାର ଯୁଦ୍ଧ ବିମାନ ମୁତୟନ କରିଥିଲା। ଏହି ଘାଟିଗୁଡ଼ିକରେ ଇନ୍ଧନ ଭର୍ତ୍ତି ବିମାନ ମଧ୍ୟ ମୁତୟନ କରାଯାଇଥିଲା । କିନ୍ତୁ ଏବେ ଇରାକରେ ଏକ ଇନ୍ଧନ ଭର୍ତ୍ତି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇରାନ ନିରନ୍ତର ଗଲ୍ଫ ଦେଶରେ ଥିବା ଘାଟି ଉପରେ ଆକ୍ରମଣ କରୁଛି। ଏହି କାରଣରୁ ଆମେରିକା ତାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁର୍କୀରେ ଯୁଦ୍ଧ ବିମାନ ମୁତୟନ କରିବାକୁ ଚାହୁଁଛି ।

ଏହା ବ୍ୟତୀତ, ଇରାନ ତୁର୍କୀ ଉପରେ ଅଚାନକ ଆକ୍ରମଣ କରିପାରିବ ନାହିଁ । କାରଣ ତୁର୍କୀ ଏକ ନାଟୋ ଦେଶ । ଯଦି ତୁର୍କୀ ପ୍ରମାଣ କରିଦିଏ ଯେ, ଇରାନର ଆକ୍ରମଣ ନାଟୋ ଧାରା ୫ ଉଲ୍ଲଂଘନ କରିଛି, ତେବେ ସମସ୍ତ ନାଟୋ ସଦସ୍ୟ ଦେଶ ଇରାନ ଉପରେ ଆକ୍ରମଣ କରିବେ। ଏହି କାରଣରୁ ଆମେରିକା ତୁର୍କୀକୁ ଏକ ନିରାପଦ ଆଶ୍ରୟସ୍ଥଳ ବୋଲି ବିବେଚନା କରୁଛି।