ରାୟଗଡ଼ା: ମ୍ୟାଲେରିଆ ନେଲା ସେବାଶ୍ରମ ଛାତ୍ରର ଜୀବନ। ମୃତ ଚତୁର୍ଥ ଶ୍ରେଣୀ ଛାତ୍ର ଜଣକ ହେଲେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଡକୁଲୁଗୁଡ଼ା ସେବାଶ୍ରମର ଚନ୍ଦୁ ଉଲାକା। ଗତକିଛି ଦିନ ତଳେ ଚନ୍ଦୁକୁ ପ୍ରବଳ ଜ୍ବର ହୋଇଥିଲା। ଏମିତିକି ଗତକାଲି ବିଦ୍ୟାଳୟରେ ରକ୍ତ ନମୁନା ପରୀକ୍ଷା ପରେ ମ୍ୟାଲେରିଆ ଚିହ୍ନଟ ହୋଇଥିଲା । ଏନେଇ ତାକୁ ବିଦ୍ୟାଳୟରେ ଔଷଧ ମଧ୍ୟ ଦିଆଯାଇଥିଲା ।

ତେବେ ଏସଂକ୍ରାନ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ମଙ୍ଗଳବାର ବିଦ୍ୟାଳୟରୁ ପୁଅକୁ ଘରକୁ ନେଇଯାଇଥିଲେ। ହେଲେ ଘରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ଚିକିତ୍ସିତ ଅବସ୍ଥାରେ ଛାତ୍ର ଚନ୍ଦୁ ମୃତ୍ୟୁବରଣ କରିଥିଲେ । ବିଡ଼ମ୍ବନାର କଥା ମୃତ ଶରୀରକୁ ଘରକୁ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଁ, ଠିକଣା ସମୟରେ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା। ଅନ୍ୟ ଉପାୟ ନପାଇ ପରିବାର ଲୋକେ ବାଇକ୍ ଯୋଗେ ପୁଅର ଶବକୁ ନିଜ ଗାଁ ଲାଲବିକୁ ନେଇଥିଲେ। 

Also Read: ୪ ହତ୍ୟାକାରୀଙ୍କୁ ଆଜୀବନ, ନାରାୟଣଙ୍କ ଗଳାକାଟି ହତ୍ୟା କରିଥିଲେ

ସେପଟେ ବାଇକରେ ମୃତ ଦେହ ନେବା ଘଟଣାକୁ ସବୁସ୍ତରରେ ନିନ୍ଦା କରାଯାଇଥିବା ବେଳେ ଚନ୍ଦୁକୁ ବିଦ୍ୟାଳୟରେ ସଠିକ୍ ଚିକିତ୍ସା ସୁବିଧା ଦିଆଯାଇଛି ବୋଲି ସେବାଶ୍ରମର ପ୍ରଧାନଶିକ୍ଷକ ବୁଦ୍ଦଦେବ ତାଢିଙ୍ଗି କହିଛନ୍ତି ।