କେନ୍ଦ୍ରାପଡ଼ା: ଅଧା ରାସ୍ତାରେ ସରିଗଲା ଆମ୍ବୁଲାନ୍ସରୁ ତେଲ। ହସ୍ପିଟାଲରେ ପହଞ୍ଚିପାରିଲାନି ରୋଗୀ। ଆଉ ଡହ ଡହ ଖରାରେ ଡହଳ ବିକଳ ହୋଇ ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।    

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଡେରାବିଶ ଅଂଚଳରେ ଯୁବକ ପ୍ରକାଶ କାଣ୍ଡି ବିଷ ପିଇ ଗୁରୁତର ହେବା ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ଭେଣ୍ଟିଲେଟର ଅଭାବ ଥିବାରୁ ସେମାନେ ଏକ ଘରୋଇ ଆମ୍ବୁଲାନ୍ସରେ ପ୍ରକାଶଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିବାକୁ ଚାହିଁଥିଲେ । ମାତ୍ର କଟକ କାଠ ଯୋଡ଼ି ବ୍ରିଜ ଉପରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା ଆଉ ଅନ୍ୟ ଏକ ଆମ୍ବୁଲାନ୍ସ ଆସିବାକୁ ବିଳମ୍ବ ହୋଇଥିଲା। ପୁଣି ସେହି ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ମଧ୍ୟ ସରିଯାଇଥିଲା। ଏମିତିରେ ଖରାରେ ଡହଳ ବିକଳ ହୋଇ ପ୍ରକାଶଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ଭାଉଜ ଓ ଭାଇ।

Also Read: ସହିପାରିଲେନି ଲୋକଲଜ୍ଜା ! ବାପା ମଦ ପିଉ ଥିବା ଦେଖି ଜୀବନ ହାରିଦେଲେ ପୁଅ

ସେପଟେ ଏମାନଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଥିଲା ଆମ୍ବୁଲାନ୍ସ ମାଲିକଙ୍କ ପ୍ରତିକ୍ରିୟା। ମୃତକଙ୍କ ପରିବାରର ଅଭିଯୋଗକୁ ସେ ଖଣ୍ଡନ କରିବା ସହ କହିଛନ୍ତି ଯେ, ଆମ୍ବୁଲାନ୍ସରୁ ତେଲ ସରିନଥିଲା । ବରଂ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରାସ୍ତାରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଗାଡ଼ିରେ ଶହେରୁ ଦେଢ଼ଶହ କିଲୋମିଟର ଯିବା ପର୍ଯ୍ୟନ୍ତ ତେଲ ଥିଲା । କିନ୍ତୁ ଗାଡ଼ି ଖରାପ ହୋଇଯିବାରୁ ଅଧାରାସ୍ତାରେ ବନ୍ଦ ହୋଇଗଲା ।

ଯାହା ପରେ ପୁଣି ବିବାଦ ବଢ଼ିଛି। ଅଭିଯୋଗକାରୀ ଏବଂ ଆମ୍ବୁଲାନ୍ସ ମାଲିକଙ୍କ କଥାରେ ତାଳମେଳ ରହୁନଥିବା ଦେଖିବାକୁ ମିଳିଛି । ଗାଁ ଲୋକେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭରଙ୍କୁ ଦାୟୀ କରୁଥିବା ବେଳେ ପୋଲିସ କହୁଛି ଆମ୍ବୁଲାନ୍ସରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ତେବେ ତଦନ୍ତ ପରେ ହିଁ ସଠିକ୍ ଘଟଣା ଜଣାପଡ଼ିବ।