ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ଆମାଜନ୍  ଓ ଫ୍ଲିପକାର୍ଟ ମାଧ୍ୟମରେ ସପିଂ କରୁଥିଲେ ସାବଧାନ। ନଚେତ୍ ଜିନିଷ ତ ମିଳିବନି ଓଲଟା ପଇସା ବି ହାତରୁ ଯିବ। ଗ୍ରାହକ ଏବଂ କମ୍ପାନୀଗୁଡ଼ିକୁ ଚୂନ ଲଗାଉଥିବା ଏକ ବଡ଼ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ ହୋଇଛି। ନୋଏଡ଼ା ପୋଲିସ ଓ ସ୍ପେଶାଲ ଅପରେସନ୍ ଗ୍ରୁପ(ଏସଓଜି)ର  ମିଳିତ ଟିମ୍ ଚଢ଼ଉ କରି ଏହି ମାମଲାରେ ୫ ଜଣ  ଠକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାୟ ୭୫ ଲକ୍ଷ ଟଙ୍କା ମୂଲ୍ୟର ଚୋରି ହୋଇଥିବା ଦାମୀ ସାମଗ୍ରୀ ଜବତ କରାଯାଇଛି।

କିଭଳି ଚାଲିଥିଲା ସାମଗ୍ରୀ ଚୋରିର ସିଣ୍ଡିକେଟ୍

ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ହେଲେ ୱାରିସ୍ ଖାନ୍, ସୁନୀଲ କୁମାର, ବିଜୟ ସିଂହ, ଧର୍ମେନ୍ଦ୍ର ଏବଂ ସୂରଜ ସିଂହ। ଏହି ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ୱାରିସ୍ ଖାନ୍ ନିଜ ସହଯୋଗୀଙ୍କ ସହ ମିଶି ଗତ ୩-୪ ମାସ ହେବ ଏହି ବେଆଇନ କାରବାର ଚଲାଉଥିଲା। ଗ୍ରାହକମାନେ ଅନଲାଇନ୍‌ରେ ଅର୍ଡର କରୁଥିବା ଦାମୀ ସାମଗ୍ରୀ ଡେଲିଭରୀ ପଏଣ୍ଟକୁ ଆସିବା ପରେ ଅଭିଯୁକ୍ତମାନେ ଚାଲାକିର ସହ ପ୍ୟାକେଟ୍ ଖୋଲି ଅସଲି ଜିନିଷ କାଢ଼ି ନେଉଥିଲେ। ତା’ ବଦଳରେ ପ୍ୟାକେଟ୍ ଭିତରେ ଶସ୍ତା ଜିନିଷ କିମ୍ବା ରଦ୍ଦି ସାମଗ୍ରୀ ଭରି ପୂର୍ବପରି ଅବିକଳ ସିଲ୍ କରି ଦେଉଥିଲେ।

Also Read: ବିଜେପି ହାତରୁ ଗଲା ବାଙ୍କୀପୁର, ଜାଣନ୍ତୁ ଜନସୁରାଜ ବିଜୟର ୫ କାରଣ

୭୫ ଲକ୍ଷର ସାମଗ୍ରୀ ଜବତ

ଗିରଫ ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ପ୍ରୋଟିନ୍ ସପ୍ଲିମେଣ୍ଟ, ଦାମୀ ଜୁତା, ବ୍ରାଣ୍ଡେଡ୍ ପୋଷାକ, ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍, ସ୍ମାର୍ଟ ୱାଚ୍, ୱାୟାରଲେସ୍ ଡିଭାଇସ୍, କାନ ଯନ୍ତ୍ର ଓ ବିପି ମାପିବା ମେସିନ୍ ଜବତ ହୋଇଛି। ଏହାସହ ଅନଲାଇନ୍ କମ୍ପାନୀଗୁଡ଼ିକର ନକଲି ଟ୍ୟାଗ୍ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଚୋରି ହୋଇଥିବା ଏହି ଦାମୀ ସାମଗ୍ରୀଗୁଡ଼ିକୁ ସେମାନେ କଳାବଜାରୀରେ ଶସ୍ତା ଦାମ୍‌ରେ ବିକ୍ରି କରୁଥିଲେ।

ଦୁଇ ଅଭିଯୁକ୍ତ ଫରାର୍, ପୋଲିସର ତଦନ୍ତ ଜାରି

ନୋଏଡ଼ା ସେକ୍ଟର-୨୦ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଏହି ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟ ଭୂପେନ୍ଦ୍ର ଏବଂ ଅସଲମ୍ ଓରଫ୍ ରାଜୁ ଖାନ୍ ବର୍ତ୍ତମାନ ଫରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଇ-କମର୍ସ ସେକ୍ଟରରେ ଏଭଳି ବଡ଼ ଧରଣର ଠକେଇ ପରେ କମ୍ପାନୀଗୁଡ଼ିକ ନିଜର ଡେଲିଭରୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଧିକ ସତର୍କ ହୋଇଛନ୍ତି।