ପାଟନା: ବିହାର ଉପ ନିର୍ବାଚନରେ ବାଙ୍କୀପୁର ସିଟ୍ ର ଫଳାଫଳ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି। ଗତ ୩୧ ବର୍ଷ ହେଲା ବିଜେପିର ଗଡ଼ ରହି ଆସିଥିବା ବାଙ୍କୀପୁର ଏବେ ହାତରୁ ଖସି ସାରିଛି ଓ ପ୍ରଶାନ୍ତ କିଶୋର ଏଠାରୁ ବଡ଼ ବିଜୟ ହାସଲ କରିଛନ୍ତି। ସୋମବାର ପୂର୍ବାହ୍ନରେ ଭୋଟ ଗଣନା କାଳରେ ପ୍ରଶାନ୍ତ କିଶୋରଙ୍କୁ ମିଳିଥିବା ଅଗ୍ରଣୀ ଭୋଟଗଣନା ଶେଷବେଳକୁ ତାଙ୍କୁ ବିଜୟୀ କରିଛି। ୨୮ ରାଉଣ୍ଡ ଭୋଟ ଗଣନା ଶେଷ ହେବା ବେଳକୁ ପ୍ରଶାନ୍ତ କିଶୋରଙ୍କୁ ୬୦ ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ନିରଜ କୁମାର ୪୨ ହଜାର ଭୋଟରେ ଅଟକି ଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ବାଙ୍କୀପୁରରେ ପ୍ରଶାନ୍ତ କିଶୋର ଜିତିଲେ କିପରି?

ବିଜେପିର ୩୦ ବର୍ଷର ଗଡ଼ ମାତ୍ର ୩୦ ଦିନରେ ଭୁଶୁଡି ପଡିଛି। ବାଙ୍କୀପୁର ଉପନିର୍ବାଚନରେ କେବଳ ସଡ଼କ ଅଥବା ଡ୍ରେନ ଭଳି ସ୍ଥାନୀୟ ପ୍ରସଙ୍ଗ ନଥିଲା। ଏଠାକାର ଜନତା ବିଜେପି ନେତୃତ୍ୱକୁ ସିଧା ବାର୍ତ୍ତା ଦେଇଛନ୍ତି। ବାଙ୍କୀପୁର ବିଧାନସଭା ଆସନ ୧୯୯୫ ମସିହାରୁ ବିଜେପି ଖାତାରେ ରହି ଆସିଛି। ବିହାର ବିଜେପିର ବଡ଼ ଚେହେରା ଓ ପାର୍ଟିର ଜାତୀୟ ସଭାପତି ନୀତିନ ନବୀନ ଏବଂ ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ଏହି ଆସନରୁ ବିଜେପିର ସବୁଠୁ ସୁରକ୍ଷିତ ଆସନରେ ପରିଣତ କରିଥିଲେ। ନିଜେ ନୀତିନ ନବୀନ ଏଠାରୁ ୫ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନ ରେକର୍ଡ ଦେଖିଲେ ଏହି ସିଟ୍ ରେ ନୀତିନ ନବୀନଙ୍କୁ ଏକତରଫା ବିଜୟ ମିଳିଛି। ତାଙ୍କୁ ୨୦୧୦ରେ ୭୨%, ୨୦୧୫ରେ ୬୦%, ୨୦୨୦ରେ ୫୯% ଓ ଗତ ୨୦୨୫ ନିର୍ବାଚନରେ ୬୩% ଭୋଟ ମିଳିଥିଲା। ହେଲେ ନୀତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ରିକ୍ତ ପଡିଥିବା ଏହି ଆସନରେ ପ୍ରଶାନ୍ତ କିଶୋର ବାଜି ମାତ କରିଛନ୍ତି। ତେବେ ବାଙ୍କୀପୁରରୁ ପ୍ରଶାନ୍ତ କିଶୋର ଜିତିବାର ଯେଉଁ ୫ଟି ବଡ଼ କାରଣ ରହିଛି ତାହା ହେଉଛି

ପ୍ରାର୍ଥୀ ଚୟନରେ ତ୍ରୁଟି
ଏହି ଉପନିର୍ବାଚନ ପାଇଁ ଟିକେଟ୍ ବଣ୍ଟନରୁ ଆରମ୍ଭ କରି ନିର୍ବାଚନ ଶେଷ ପର୍ଯ୍ୟନ୍ତ ଭିଡାଓଟରା ଲାଗି ରହିଥିଲା। ଏହି ଆସନ ପାଇଁ ପ୍ରଥମେ ଅଭିଷେକ ବଣ୍ଟି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ। ତେବେ ସେ ଅଚାନକ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ପରେ ଦଳ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ନିରଜ କୁମାର ସିହ୍ନାଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଥିଲା।

ଅତି ଆତ୍ମବିଶ୍ୱାସ
ଗତ ୩୧ ବର୍ଷ ହେଲା ବିଜେପି ଲଗାତାର ବାଙ୍କୀପୁର ଆସନରୁ ଜିତି ଆସୁଥିଲା। ଏଣୁ ପାର୍ଟିର ବଡ଼ ବଡ଼ ନେତା ଏଠାରେ ଜନତା ପ୍ରାର୍ଥୀଙ୍କୁ ନୁହେଁ କେବଳ ଦଳୀୟ ସଂକେତକୁ ଭୋଟ ଦେଉଛନ୍ତି ବୋଲି ଭାବି ବସିଥିଲେ। ହେଲେ ପାର୍ଟିର ଏହି ଅତି ଆତ୍ମ ବିଶ୍ୱାସ ହିଁ ଦଳକୁ ପରାଜୟ ଆଡକୁ ମୁହାଁଇ ଦେଇଛି। ବୁଥ ସ୍ତରରେ କାର୍ଯ୍ୟକର୍ତ୍ତା ସୁସ୍ତିଆ ରହିବା ଦଳ ପରାଜୟର କାରଣ ପାଲଟିଛି ଓ ଲୋକେ ନୂଆ ଦଳ ଓ ନୂଆ ନେତାଙ୍କ ଉପରେ ବିଶ୍ୱାସ ସ୍ଥାପନା କରିଛନ୍ତି।

କମିଥିଲା ଭୋଟ ହାର
ଏହି ପାରମ୍ପରିକ ଆସନ ହାତରୁ ନ ଖସୁ ଏଣୁ ପାର୍ଟି ଆରମ୍ଭରୁ ବେଶ୍ ବଳ ପ୍ରୟୋଗ କରିଥିଲା। ହେଲେ ତଳ ସ୍ତରରେ କର୍ମୀ ଓ କାର୍ଯ୍ୟକର୍ତ୍ତା ନିର୍ବାଚନକୁ ନେଇ ସେତେଟା ଉତ୍ସାହୀ ନଥିଲେ। ଏଣୁ ପାରମ୍ପରିକ ଭୋଟ ବ୍ୟାଙ୍କ ଯେଉଁ ଉତ୍ସାହର ସହ ପୋଲିଂ ବୁଥ ପର୍ଯ୍ୟନ୍ତ ପହଞ୍ଚୁଥିଲା ଏଥର ନିର୍ବାଚନରେ ସେପରି ହୋଇ ନାହିଁ। ଏଣୁ ଉପ ନିର୍ବାଚନ ମତଦାନ ହାର ମାତ୍ର ୩୪.୩୦%ରେ ଅଟକି ଯାଇଥିଲା। ଏଣୁ ପ୍ରାର୍ଥୀଙ୍କ ପ୍ରତି ଭୋଟର ଉଦାସୀନ ହୋଇପଡିଥିଲେ। ଯାହାର ସୁଯୋଗ ଜନସୁରାଜ ନେତା ନେଇଛନ୍ତି।

ସ୍ଥାନୀୟ ଅସନ୍ତୋଷ
ଦୀର୍ଘ ସମୟରୁ ଗୋଟିଏ ପାର୍ଟି ଜିତି ଆସୁଥିବାରୁ ସ୍ଥାନୀୟ ସମସ୍ୟା ପ୍ରାୟ ଅଣଦେଖା ହୋଇଯାଇଥିଲା। ଏଣୁ ଲୋକେ ଉପରକୁ ଦେଖା ଯାଉଥିଲା ମଧ୍ୟ ଭିତରେ ଭିତରେ ଅସନ୍ତୁଷ୍ଟ ଥିଲେ, ଯାହାର ଫାଇଦା ପ୍ରଶାନ୍ତ କିଶୋରଙ୍କୁ ମିଳିଛି। ପ୍ରଶାନ୍ତ କିଶୋର ତାଙ୍କ ପ୍ରଚାରରେ ବିହାରର ଭବିଷ୍ୟତ ମଡେଲ ଉପସ୍ଥାପନ କରୁଥିଲେ। ହେଲେ ବିଜେପିର ଏହା ପାରମ୍ପରିକ ଆସନ ହୋଇଥିବାରୁ ଦଳ ଜିତିବା ପାଇଁ ଏକ ପ୍ରକାର ନିଶ୍ଚିତ ଥିଲା।

ଯୁବ ଭୋଟର ବଦଳେଇ ଦେଲେ ରଣନୀତି
ଜନସୁରାଜ ନିର୍ବାଚନ ପ୍ରଚାରରେ ସ୍ଥାନୀୟ ପ୍ରସଙ୍ଗକୁ ମଜଭୁତ କରିଥିଲା, ଏହା ସହ ବିହାର ବିକାଶର ଏକ ନୂଆ ମଡେଲ ମଧ୍ୟ ପେସ୍ କରିଥିଲା। ଏଣୁ ପ୍ରଶାନ୍ତ କିଶୋର ପ୍ରଥମ ଥର ଭୋଟ ଦେଉଥିବା ଯୁବବର୍ଗ ଓ ପରିବର୍ତ୍ତନ ଚାହୁଁଥିବା ଲୋକଙ୍କୁ ସିଧା ନିଜ ସହ ଯୋଡିଥିଲେ। ଯାହାର ପରିଣାମ ଭୋଟ ଗଣତିରେ ଦେଖିବାକୁ ମିଳିଛି। ନୀତିନ ନବୀନ ଏଠାରେ ନିର୍ବାଚନ ପ୍ରଚାର କରିବା କାଳରେ ବାଙ୍କୀପୁରକୁ ନିଜ ଘର ବୋଲି କହି ଐତିହାସିକ ବିଜୟର ଦାବି କରିଥିଲେ। ହେଲେ ଲୋକେ ପାରମ୍ପରିକ ଗଡ଼କୁ ଭାଙ୍ଗି ପ୍ରଶାନ୍ତ କିଶୋରଙ୍କ ନୂଆ ରାଜନୈତିକ ବିକଳ୍ପ ଉପରେ ନିର୍ଭର କରିଗଲେ।