ନୂଆଦିଲ୍ଲୀ: ସ୍ପେନର ଟେନିସ୍ ତାରକା କାର୍ଲୋସ ଅଲକାରାଜ ରବିବାର ମେଲବର୍ଣ୍ଣରେ ବଡ଼ କାରନାମା କରିଛନ୍ତି। ସେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ୨୦୨୬ ନିଜ ନାମରେ କରିଛନ୍ତି। ୨୨ ବର୍ଷୀୟ ଅଲକାରାଜ ପୁରୁଷ ଏକ ଫାଇନାଲରେ ମହାନ ଖେଳାଳି ନୋଭାକ ଜୋକୋଭିକଙ୍କୁ ୨-୬, ୬-୨, ୭-୫ ସେଟରେ ହରାଇଛନ୍ତି। ଅଲକାରାଜଙ୍କ ଏହା ସପ୍ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ୍। ସେ ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଛନ୍ତି। ଅନ୍ୟପଟେ ତାରକା ନୋଭାକ ଜୋକୋଭିକଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିବାର ସ୍ଵପ୍ନ ଚୂରମାର ହୋଇଛି।

ସ୍ପେନର ଏହି ଖେଳାଳି ଗ୍ରାଣ୍ଡସ୍ଲାମର ସବୁ ଟାଇଟଲ୍ ଜିତିବାରେ ବିଶ୍ଵର ସର୍ବକନିଷ୍ଠ ଖେଳାଳି ହେବାର ଉପଲବ୍ଧି ହାସଲ କରିଛନ୍ତି। ଏହା ପୂର୍ବରୁ ସେ ସେ ଦୁଇ ଥର ୟୁଏସ ଓପନ, ଦୁଇ ଥର ଫ୍ରେଞ୍ଚ ଓପନ ଓ ଦୁଇ ଥର ଓ୍ଵିମ୍ବଲଣ୍ଡନ ଜିତିଥିଲେ। ବିଶ୍ଵର ଏକ ନମ୍ବର ଟେନିସ୍ ଖେଳାଳି ଅଲକାରାଜ ପାଞ୍ଚ ସେଟର ରୋମାଞ୍ଚକର ସେମି ଫାଇନାଲରେ ଆଲେକଜାଣ୍ଡାର ଜ୍ଵେରେଭଙ୍କୁ ହରାଇ ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପହଞ୍ଚିଥିଲେ।

ସର୍ବିଆର ଜୋକୋଭିକଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଜିତିବାର ସ୍ଵପ୍ନ ଚୂରମାର ହୋଇଛି। ତଥାପି ଜୋକୋଭିକଙ୍କ ପାଖରେ ପ୍ରାୟତଃ ସବୁ ରେକର୍ଡ ରହିଛି। ସେ ରୋଜର ଫେଡେରର ଓ ରାଫେଲ ନାଡାଲଙ୍କ ରେକର୍ଡ ଧ୍ଵସ୍ତ କରିଛନ୍ତି। ତାଙ୍କ ପାଖରେ ସେରେନା ଓ୍ଵିଲିୟମସନଙ୍କଠୁ ମଧ୍ୟ ଗୋଟିଏ ଅଧିକ ଟାଇଟଲ୍ ରହିଛି। ସେରେନାଙ୍କ ନାଁରେ ମହିଳା ଏକକ ବର୍ଗରେ ସର୍ବାଧିକ ୨୩ ଗ୍ରାଣ୍ଡସ୍ଲାମର ଟାଇଟଲ୍ ରହିଛି। ଯଦି ଆଜି ଜୋକୋଭିକ ଅଷ୍ଟ୍ରେଲିଆନ ଓପନ ଜିତିଥାନ୍ତେ ତେବେ ମାର୍ଗରେଟ୍ କୋର୍ଟଙ୍କୁ ପଛରେ ପକାଇଥାନ୍ତେ। ଜୋକୋଭିକ ଓ ଅଷ୍ଟ୍ରେଲିଆର ମାର୍ଗରେଟ୍ କୋର୍ଟଙ୍କ ନାଁରେ ଏକକ ବର୍ଗରେ  ଯୁଗ୍ମ ଭାବେ ୨୪ ଗ୍ରାଣ୍ଡସ୍ଲାମ ରହିଛି। ଜୋକୋଭିକ ଲଗାତାର ଚାରୋଟି ଗୁରୁତ୍ଵପୂର୍ଣ୍ଣ ସେମି ଫାଇନାଲରୁ ବାଦ୍ ପଡ଼ିବାର ଧାରାକୁ ଭାଙ୍ଗି ୧୧ତମ ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପହଞ୍ଚିଥିଲେ।

ହାରିବା ପରେ ଦମଦାର ପ୍ରତ୍ୟାବର୍ତ୍ତନ

ଜୋକୋଭିକ  ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ଦମଦାର ଆରମ୍ଭ କରିଥିଲେ। ସେ ପ୍ରଥମ ସେଟକୁ ୬-୨ରେ ଜିତିଥିଲେ। ତେବେ ଯୁବ ଖେଳାଳି ଅଲକାରାଜ ପ୍ରଥମ ସେଟ୍ ହାରିବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ. ସେ ଦ୍ଵିତୀୟ ସେଟକୁ ୬-୨ରେ ଜିତି ନେଇଥିଲେ। ଆଉ ତୃତୀୟ ସେଟରେ ଜୋକୋଭିକ ପ୍ରଭାବହୀନ ରହିଥିଲେ। ସେ ଅନେକ ତ୍ରୁଟି କରିଥିଲେ। ଅନ୍ୟପଟେ ଅଲକାରାଜ ତୃତୀୟ ସେଟକୁ ୬-୩ରେ ଜିତି ସପ୍ତମ ଗ୍ରାଣ୍ଡସ୍ଲାମ ନିଜ ନାଁରେ କରିଛନ୍ତି। ​​​​​​​