ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପୁରୁଷ ଟିମ୍‌ ଚୟନ କମିଟିରେ ଏକ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା ନେଇ ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ତାଙ୍କୁ ଆଉ ସୁଯୋଗ ମିଳିବାର ସମ୍ଭାବନା କମ୍ ରହିଛି। ଏହି ପଦବୀ ପାଇଁ ପୂର୍ବତନ ଭାରତୀୟ ୱିକେଟକିପର-ବ୍ୟାଟର ପାର୍ଥିବ ପଟେଲ ଏବଂ ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା ଦୌଡ଼ରେ ଆଗରେ ଥିବା କୁହାଯାଉଛି।

୨୦୨୩ ଜୁଲାଇରେ ଅଜିତ୍ ଅଗରକର ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଚୟନ କମିଟି ଭାରତୀୟ ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା, ଯେଉଁଥିରେ ୨୦୨୪ ଟି-୨୦ ବିଶ୍ୱକପ୍ ବିଜୟ ମଧ୍ୟ ସାମିଲ ରହିଛି।

ନୂଆ ନେତୃତ୍ୱ ଖୋଜୁଛି BCCI
 ବିସିସିଆଇ ନିୟମାନୁସାରେ ଚୟନକର୍ତ୍ତାମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପୂରଣ ହେବା ପରେ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ବୋର୍ଡ ଚାହୁଁଛି। ସେଥିପାଇଁ ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି ନକରିବାକୁ ଆଲୋଚନା ହେଉଛି।
ଭାରତ ପାଇଁ ୨୫ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି ଟି-୨୦ ମ୍ୟାଚ୍ ଖେଳିଥିବା ପାର୍ଥିବ ପଟେଲଙ୍କ ପାଖରେ ଘରୋଇ ଓ ଆଇପିଏଲ୍‌ର ବ୍ୟାପକ ଅଭିଜ୍ଞତା ରହିଛି। ତେଣୁ ସେ ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଅଛନ୍ତି।

ସେହିଭଳି ଓଡ଼ିଶାରେ ଜନ୍ମିତ ପୂର୍ବତନ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଭାରତ ପାଇଁ ୨୪ଟି ଟେଷ୍ଟ, ୧୮ଟି ODI ଏବଂ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଆଇପିଏଲ୍ ଏବଂ BCCI କାର୍ଯ୍ୟକାରିଣୀ କମିଟିରେ ପୂର୍ବରୁ କାର୍ଯ୍ୟ କରିଥିବାରୁ ତାଙ୍କ ନାମ ମଧ୍ୟ ଏହି ତାଲିକାରେ ଥିବା କଥା କୁହାଯାଉଛି।

କେବଳ ମୁଖ୍ୟ ଚୟନକର୍ତ୍ତା ନୁହନ୍ତି, କମିଟିରେ ଥିବା ଅନ୍ୟ କିଛି ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ପୂରଣ ହେବାକୁ ଯାଉଛି। ଚୟନ କମିଟିରେ ଭୌଗୋଳିକ ଭାବରେ (ପଶ୍ଚିମ, ପୂର୍ବ, ଉତ୍ତର, ଦକ୍ଷିଣ ଓ ମଧ୍ୟ ଜୋନ୍‌) ପ୍ରତିନିଧିତ୍ୱ ରହୁଥିବାରୁ ଏହି କ୍ରମରେ ପୂର୍ବତନ କ୍ରିକେଟରମାନଙ୍କୁ ଆବେଦନ କରିବାକୁ ବିସିସିଆଇ ଶୀଘ୍ର ବିଜ୍ଞପ୍ତି ଜାରି କରିପାରେ। ଖୁବଶୀଘ୍ର କ୍ରିକେଟ୍ ଆଡଭାଇଜରୀ କମିଟି ଦ୍ୱାରା ସାକ୍ଷାତକାର ଗ୍ରହଣ କରାଯାଇ ନୂଆ ମୁଖ୍ୟ ଚୟନକର୍ତ୍ତା ଏବଂ କମିଟି ସଦସ୍ୟଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ।