ନୂଆଦିଲ୍ଲୀ: ଏକ ଆମେରିକୀୟ ଫାଇନାନ୍ସିଆଲ୍ ଫାର୍ମ ମାତ୍ର ୫ ମିନିଟର ଭର୍ଚୁଆଲ୍ କଲରେ ସମଗ୍ର ଭାରତୀୟ କଷ୍ଟମର୍ ସପୋର୍ଟ ଟିମକୁ ଚାକିରିରୁ ବାହାର କରିଦେଇଛି । କ୍ଷଣିକ ଭିତରେ ପ୍ରାୟ ୮୦ ଜଣ କର୍ମଚାରୀ ଚାକିରି ହରାଇ ବେରୋଜଗାର ହୋଇଗଲେ ।

ଗୋଟିଏ ଛୋଟିଆ ଗୁଗଲ୍ ମିଟ୍ କଲରେ ଏକ ଆମେରିକୀୟ କମ୍ପାନି ନିଜର ସମଗ୍ର ଭାରତୀୟ କଷ୍ଟମର୍ ସର୍ଭିସ୍ ଟିମକୁ ଚାକିରିରୁ ବାହାର କରିଦେଇଛି । ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ ୮୦ ଜଣ କର୍ମଚାରୀ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ ହୋଇଯାଇଛନ୍ତି । ଚାକିରି ହରାଇଥିବା ଜଣେ କର୍ମଚାରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ରେଡିଟ୍'ରେ ନିଜର ଏହି ଦୁଃଖଦ ଅନୁଭୂତି ସେୟାର୍ କରିବା ପରେ ଏହି ଘଟଣାଟି ଭାଇରାଲ୍ ହୋଇଛି ।

କର୍ମଚାରୀଙ୍କ ପୋଷ୍ଟ ଅନୁସାରେ, ସେମାନଙ୍କୁ ସେହି ଦିନ ଅପରେସନାଲ୍ ରିଜିନ୍ ଦର୍ଶାଇ ଘରୁ କାମ କରିବାକୁ କୁହାଯାଇଥିଲା । କର୍ମଚାରୀ ଜଣକ ଲେଖିଛନ୍ତି, "ଗୁଗଲ୍ ମିଟ୍ ମାଧ୍ୟମରେ ଚାକିରିରୁ ବାହାର କରିଦିଆଗଲା । ଗତକାଲି ପର୍ଯ୍ୟନ୍ତ ମୁଁ ଗୋଟିଏ ଆମେରିକୀୟ ବ୍ୟାଙ୍କର କଷ୍ଟମର୍ ସପୋର୍ଟ ଟିମର ଅଂଶ ଥିଲି । ସେମାନେ ଆମକୁ ଘରୁ କାମ କରିବାକୁ କହିଥିଲେ । ମୁଁ ସନ୍ଧ୍ୟା ୬ଟା ୩୦ ସିଫ୍ଟରେ କାମ କରୁଥିଲି ଏବଂ ରାତି ୯ଟା ୩୦ରେ ହଠାତ୍ ଆମକୁ ଗୁଗଲ୍ ମିଟରେ ଜଏନ୍ କରିବାକୁ କୁହାଗଲା । ଆଉ ସେମାନେ ସିଧାସଳଖ କହିଲେ ଯେ ପୂରା ଭାରତୀୟ କଷ୍ଟମର୍ ସର୍ଭିସ୍ ଟିମକୁ ବାହାର କରିଦିଆଯାଇଛି !"

ସେ ଆହୁରି ଲେଖିଛନ୍ତି, "ସମସ୍ତ ୮୦ ଜଣ କର୍ମଚାରୀ ! ସମସ୍ତେ ଗଲେ... ମାତ୍ର ୫ ମିନିଟର କଲରେ ୮୦ଟି ପରିବାର ପ୍ରଭାବିତ ହୋଇଗଲେ । ଏହିପରି କର୍ପୋରେଟ୍ କମ୍ପାନିଗୁଡ଼ିକ ପାଇଁ କାମ କରୁଥିବାରୁ ମୋତେ ଖରାପ ଲାଗୁଛି, ଯେଉଁମାନେ ଆମକୁ ଯେକୌଣସି ସମୟରେ ଫିଙ୍ଗିଦେଇ ପାରନ୍ତି । ମୁଁ ମୋ ଚାକିରିରେ ଏତେ କଠିନ ପରିଶ୍ରମ କରୁଥିବାରୁ ଏବେ ଅନୁତାପ ହେଉଛି । ଆଉ ଜାଣିନି ପରବର୍ତ୍ତୀ ଚାକିରି କିପରି ମିଳିବ ।"

ସୋସିଆଲ୍ ମିଡିଆରେ ଅନ୍ୟ ୟୁଜର ଛଟେଇର କାରଣ ପଚାରିବାରୁ ସେହି କର୍ମଚାରୀ ଜଣକ କହିଛନ୍ତି ଯେ, କମ୍ପାନି ପକ୍ଷରୁ କୁହାଗଲା "ଭାରତୀୟ ଟିମରୁ ଆଶା କରାଯାଉଥିବା ଆଉଟପୁଟ୍ ମିଳୁ ନ ଥିଲା ।" ତେବେ କର୍ମଚାରୀ ଜଣକ ଏହି ଯୁକ୍ତିକୁ କେବଳ ବାହାନା ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଆମେରିକାରେ ଥିବା ଟିମରେ ଅଧିକ କର୍ମଚାରୀ ଚାକିରି ଛାଡୁଥିଲେ ଏବଂ ଅବହେଳା କରୁଥିଲେ, ଅପରପକ୍ଷେ ଭାରତୀୟ କର୍ମଚାରୀମାନେ ଚାକିରିର ସୁରକ୍ଷା ପାଇଁ କଠିନ ପରିଶ୍ରମ କରୁଥିଲେ ।

ଛଟେଇ ପରେ କୌଣସି ସେଭେରାନ୍ସ ପ୍ୟାକେଜ୍ ମିଳିବ କି ନାହିଁ ପଚାରିବାରୁ ସେ ଲେଖିଛନ୍ତି ଯେ, ନୂତନ କର୍ମଚାରୀଙ୍କ ପାଇଁ କୌଣସି ସେଭେରାନ୍ସ ନାହିଁ । କେବଳ ୧ ବର୍ଷରୁ ଅଧିକ ସମୟ କାମ କରିଥିବା କର୍ମଚାରୀଙ୍କୁ ପ୍ରତି ବର୍ଷର କାର୍ଯ୍ୟ ପାଇଁ ୧୫ ଦିନର ଦରମା ଦିଆଯିବ ।