ମୁମ୍ବାଇ: ଟାଟା ସମୂହର ମାଲିକାନାଧୀନ ଏୟାର ଇଣ୍ଡିଆ ଆଗାମୀ ୧୮ ମାସରେ ତାର ଫ୍ଲିଟ୍ ବିସ୍ତାର କରିବା ଯୋଜନାରେ ଅଛି। କମ୍ପାନୀ ଘୋଷଣା କରିଛି ଯେ ଏହି ସମୟରେ ଏୟାର ଇଣ୍ଡିଆ ଫ୍ଲିଟ୍ ରେ ୫୦ଟିରୁ ୬୦ଟି ନୂଆ ବିମାନ ସାମିଲ ହୋଇପାରେ। ଏୟାର ଇଣ୍ଡିଆର କହିବା କଥା ହେଉଛି ବୈଶ୍ୱିକ ଚ୍ୟାଲେଞ୍ଜ ସତ୍ତ୍ୱେ ତାର ମହତ୍ୱାକାଙକ୍ଷୀ ଟ୍ରାନସଫର୍ମେସନ ଯୋଜନା ସଠିକ ଦିଗରେ ଆଗକୁ ବଢୁଛି ଓ ଆଗାମୀ ବର୍ଷମାନଙ୍କରେ ଯାତ୍ରୀଙ୍କୁ ଉନ୍ନତ ସେବା ମିଳିବ।

୬୦୦ ବିମାନର ବଡ଼ ଅର୍ଡର
ଏୟାର ଇଣ୍ଡିଆର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ତଥା ଏୟାରଇଣ୍ଡିଆ ଏକ୍ସପ୍ରେସ୍ ର ଚେୟାରମ୍ୟାନ ନିପୁଣ ଅଗ୍ରୱାଲ କହିଛନ୍ତି ଯେ କମ୍ପାନୀ ପାଖାପାଖି ୬୦୦ ବିମାନ ପାଇଁ ଅର୍ଡର ଦେଇଛି। ତେବେ ଏ ପର୍ଯ୍ୟନ୍ତ ମୋଟ ଅର୍ଡରର ୧୦%ରୁ ବି କମ ଡେଲିଭରୀ ହୋଇଛି। ହେଲେ ଆଗାମୀ ୭ରୁ ୮ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୫୦ରୁ ୬୦ଟି ନୂଆ ବିମାନ ମିଳିବ ବୋଲି ଆଶା କରାଯାଉଛି। ଏଥିରେ ୧୦ରୁ ୧୫ଟି ୱାଇଡ ବଡି (ବଡ଼ ବିମାନ) ଓ ୪୫ରୁ ୫୦ଟି ନ୍ୟାରୋ ବଡି (ଛୋଟ ବିମାନ) ରହିବେ।

ଯାତ୍ରୀଙ୍କୁ ମିଳିବ ଉନ୍ନତ ସେବା
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଆଗାମୀ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ପୁରା ଫ୍ଲିଟ୍ କୁ ଗୋଟିଏ ପ୍ରକାର ବିମାନ ମଡେଲରେ ବଦଳାଇବା ଯୋଜନାରେ କାମ କରୁଛି। ସେହିପରି ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନଙ୍କ ଅପଗ୍ରେଡ ଆଗାମୀ ବର୍ଷ ମଧ୍ୟ ସୁଦ୍ଧା ପୁରା ହୋଇଯିବ ବୋଲି ଆଶା କରାଯାଉଛି। କମ୍ପାନୀ ଏହା ବି କହିଛି ଯେ ବୋଇଂ ମ୍ୟାକ୍ସ-୮ ବିମାନଙ୍କ ଡେଲିଭରୀ ନିର୍ଦ୍ଧାରିତ ସମୟରେ ହେବ। ତେବେ ମ୍ୟାକ୍ସ ୧୦ ବିମାନଙ୍କ ଡେଲିଭରୀ ସାର୍ଟିଫିକେସନ ପ୍ରକ୍ରିୟା ପୁରା ହେବା ପରେ ଆରମ୍ଭ ହେବ।

ନେଟୱାର୍କ ସମ୍ପ୍ରସାରଣ ଏ ସେବା ସୁଧାର ଉପରେ ଫୋକସ
ପଶ୍ଚିମ ଏସିୟା ଉତ୍ତେଜନା ଓ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଏୟାର ଇଣ୍ଡିଆ କିଛି ଉଡାଣ ସାମୟିକ ବନ୍ଦ କରିଥିଲା। ଏବେ କମ୍ପାନୀ ଚଳିତବର୍ଷ ଦ୍ୱିତୀୟାର୍ଦ୍ଧରେ ନିଜ ନେଟୱାର୍କକୁ ପୁଣି ମଜଭୁତ କରିବାକୁ ଯାଉଥିବା କହିଛି। ପରବର୍ତ୍ତି ମାସ ମାନଙ୍କରେ ଯୁଦ୍ଧ ପୂର୍ବ ସ୍ତରକୁ ସେବା ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି। ଏହାଛଡା ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ସ୍ମରଣୀୟ କରିବା ପାଇଁ ଚାଳକ ଦଳ ଓ ଏୟାରପୋର୍ଟ କର୍ମଚାରୀଙ୍କ ପ୍ରଶିକ୍ଷଣ, ନୂଆ ସେବା ପ୍ରକ୍ରିୟା ଓ ଆଧୁନିକ ଟେକ୍ନୋଲଜିରେ ମଧ୍ୟ ଲଗାତାର ନିବେଶ କରାଯାଉଛି।