ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଂକଟର ପ୍ରଭାବ ସାରା ଦୁନିଆରେ ପଡ଼ିବା ଆରମ୍ଭ ହେଲାଣି । ବିଶେଷ କରି ରପ୍ତାନୀ ଶୃଙ୍ଖଳା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ହୋଇଛି । ସେପଟେ ବିମାନ ଇନ୍ଧନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏହି କାରଣରୁ ଏୟାର ଇଣ୍ଡିଆ ଜୁନ୍ ଆରମ୍ଭରୁ ଆଗାମୀ ତିନି ମାସ ଯାଏଁ ଅନେଇ ଅନ୍ତର୍ଜାତୀୟ ଉଡାଣ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁସାରେ ଏହି ତାଲିକାରେ ଦିଲ୍ଲୀରୁ ଚିକାଗୋ, ନ୍ୟୁୟର୍କ, ସିଙ୍ଗାପୁର ଓ ସଂଘାଇ ପରି ପ୍ରମୁଖ୍ୟ ଗନ୍ତବ୍ୟ ସ୍ଥଳ ସାମିଲ ରହିଛି ।

ଏହା ବ୍ୟତୀତ ଏୟାର ଇଣ୍ଡିଆ ସାନ୍ ଫ୍ରାନ୍ସିସ୍କୋ, ପ୍ୟାରିସ ଓ ଟୋରଣ୍ଟୋକୁ ଉଡାଣ କରିଛନ୍ତି । ରିପୋର୍ଟ ଅନସାରେ, ମୋଟ ଉପରେ ଏୟାରଲାଇନ୍ ପ୍ରତିଦିନ ପ୍ରାୟ ୧୦୦ ଉଡାଣ କମ କରିଛି । ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲ୍‌ସନ୍ ଗତ ସପ୍ତାହରେ କହିଥିଲେ ଯେ ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ଯୋଗୁଁ କମ୍ପାନି ଅନ୍ତର୍ଜାତୀୟ ସେବାରେ ହ୍ରାସ ଜାରି ରଖିବ ।

ରିପୋର୍ଟ ଅନୁସାରେ, ଆର୍ଥିକ ଚାପ ଓ ପରିଚାଳନା ସହ ଜଡ଼ିତ ଆହ୍ୱାନର ସାମନା କରି କମ୍ପାନି ନିଜ ଖର୍ଚ୍ଚ କମ କରିବା ଉପରେ ଜୋର ଦେଉଛି । ଏୟାର ଇଣ୍ଡିଆ ଅନେକ ମାର୍ଗରେ ବିମାନ ସଂଖ୍ୟାକୁ ସୀମିତ କରିଛି । ଏୟାରଲାଇନ୍ସ ଅଗଷ୍ଟ ୨୦୨୬ ଯାଏଁ ପ୍ରତି ମାସରେ ୧୨୦୦ରୁ ଅଧିକ ଅନ୍ତର୍ଜାତୀୟ ବିମାନ ପରିଚାଳନା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛି । ଏୟାର ଇଣ୍ଡିଆ କହିଛି ପାଞ୍ଚ ମହାଦ୍ୱୀପ ଦେଇ ଏହି ଯାତ୍ରା କରାଯିବ ।

ଉତ୍ତର ଆମେରିକାକୁ ପ୍ରତି ସପ୍ତାହରେ ୩୩ଟି ବିମାନ, ୟୁରୋପକୁ ପ୍ରତି ସପ୍ତାହରେ ୪୭ଟି ବିମାନ, ବ୍ରିଟେନକୁ ପ୍ରତି ସପ୍ତାହରେ ୫୭ଟି ବିମାନ, ଅଷ୍ଟ୍ରେଲିଆକୁ ପ୍ରତି ସପ୍ତାହରେ ୮ଟି ବିମାନ, ଦକ୍ଷିଣ-ପୂର୍ବ ଏସିଆ ଏବଂ ସାର୍କ ଅଞ୍ଚଳକୁ ପ୍ରତି ସପ୍ତାହରେ ୧୫୮ଟି ବିମାନ ଏବଂ ମରିସସ୍ (ଆଫ୍ରିକା)କୁ ପ୍ରତି ସପ୍ତାହରେ ୭ଟି ବିମାନ ଉଡାଣ ଭରିବ ।

ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଗୋଟିଏ ବର୍ଷ ପାଇଁ ସୁନା ନକିଣିବାକୁ ଅପିଲ କରିଛନ୍ତି । ଏହି ସଙ୍କଟ ସମୟରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଏବଂ ଭାରତୀୟ ଅର୍ଥନୀତି ଉପରେ ଚାପ କମ କରିବା ପାଇଁ ବିଦେଶ ଯାତ୍ରା ହ୍ରାସ କରିବାକୁ ନିବେଦନ କରିଛନ୍ତି । ଏହା ସହ ଇନ୍ଧନ ସଞ୍ଚୟ କରିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ।