ନୂଆଦିଲ୍ଲୀ: ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର (ବାରାଣସୀ)ରେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ (ଫ୍ଲାଇଟ୍ IX-1810)ର ଜଣେ ଯାତ୍ରୀଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ହଠାତ୍ ଗୁଳି ଫୁଟିବାରୁ ଏଏଆଇ କାର୍ଗୋ ଲଜିଷ୍ଟିକ୍ସ ଆଣ୍ଡ ଆଲାଇଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡର ଦୁଇଜଣ ସ୍କ୍ରିନର ଆହତ ହୋଇଛନ୍ତି।

୧୬ ଅଗଷ୍ଟ ୨୦୨୬ (ରବିବାର) ସକାଳ ପ୍ରାୟ ୯.୩୦ ମିନିଟରେ ଏହି ଘଟଣା ଘଟିଛି । ଯାତ୍ରୀଜଣକ ଆଜମଗଡ଼ର ବାସିନ୍ଦା, ସେ ନିଜ ପତ୍ନୀଙ୍କ ସହ ମୁମ୍ବାଇ ଯିବା ପାଇଁ ଏୟାରପୋର୍ଟ ଆସିଥିଲେ ।ଯାତ୍ରୀଜଣକ ବିମାନରେ ବନ୍ଧୁକ ନେବା ପାଇଁ ଆଗରୁ ଅନୁମତି ନେଇଥିଲେ । ସେଥିପାଇଁ ସିକ୍ୟୁରିଟି ହୋଲ୍ଡ ଏରିଆରେ ତାଙ୍କର ଯାଞ୍ଚ ଚାଲିଥିଲା।

ସ୍କ୍ରିନିଂ ସମୟରେ ବନ୍ଧୁକ ଭିତରେ ଏକ ଗୁଳି ରହିଯାଇଥିବା ଜଣାପଡ଼ିଥିଲା । ଏହି ବିଷୟରେ ଯାତ୍ରୀଜଣକ ଅଜ୍ଞ ଥିବା ଦାବି କରିଥିଲେ। ବନ୍ଧୁକରୁ ଗୁଳି ବାହାର କରିବା ସମୟରେ ଫୁଟିଯାଇଥିଲା। ଗୁଳି ଜଣେ ପୁରୁଷ ସୁରକ୍ଷା କର୍ମୀଙ୍କ ହାତରେ ଏବଂ ଜଣେ ମହିଳା କର୍ମଚାରୀଙ୍କ ଗୋଡ଼ରେ ବାଜିଥିବା ଜଣାପଡ଼ିଛି । ବିମାନବନ୍ଦର ନିର୍ଦ୍ଦେଶକ ପୁନୀତ ଗୁପ୍ତାଙ୍କ ସୂଚନା ଅନୁଯାୟୀ, ଉଭୟଙ୍କୁ ତୁରନ୍ତ 'ନ୍ୟୁ ଲକ୍ଷ୍ମୀ ଟ୍ରମା ସେଣ୍ଟର'ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି।

ସ୍ଥାନୀୟ ପୋଲିସକୁ ଏ ବିଷୟରେ ଅବଗତ କରାଯାଇଛି ଏବଂ ମାମଲାର ଯାଞ୍ଚ ପାଇଁ ଏକ ଏଫଆଇଆର ରୁଜୁ କରାଯାଇଛି।
ସେପଟେ AAICLAS ସ୍କ୍ରିନର ବିମାନବନ୍ଦରରେ ଯାତ୍ରୀଙ୍କ ସାମଗ୍ରୀ  ଏବଂ କାର୍ଗୋ ମାଲପରିବହନର ସୁରକ୍ଷା ଯାଞ୍ଚ କରନ୍ତି।
ସେମାନେ ଏକ୍ସ-ରେ ମେସିନ୍, ମେଟାଲ୍ ଡିଟେକ୍ଟର ଏବଂ ଆଧୁନିକ ସ୍କାନିଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଯାଞ୍ଚ କରନ୍ତି।
ସାମଗ୍ରୀ ଭିତରେ କୌଣସି ବେଆଇନ ଜିନିଷ, ଅସ୍ତ୍ରଶସ୍ତ୍ର କିମ୍ବା ବିପଜ୍ଜନକ ସାମଗ୍ରୀ ଥିବା ଚିହ୍ନଟ ହେଲେ, ସେମାନେ ତୁରନ୍ତ ବିମାନବନ୍ଦର ପ୍ରଶାସନ ଓ ସୁରକ୍ଷା ବାହିନୀକୁ ଖବର ଦିଅନ୍ତି।