ମୁମ୍ବାଇ ୧୬।୧: ମହାରାଷ୍ଟ୍ର ନଗରନିଗମ ନିର୍ବାଚନ ଫଳାଫଳ ଆସି ଯାଇଛି। ବୃହନ୍ମୁମ୍ବାଇ ମହାନଗର ପାଳିକା (ବିଏମସି) ସମେତ ରାଜ୍ୟର ୨୯ ନଗର ନିଗମ ମଧ୍ୟରୁ ଅଧିକାଂଶ ବିଜେପି ହାତେଇ ନେଇଛି। ବିଜେପି ନେତୃତ୍ୱାଧୀନ ମହାୟୁତୀ (ବିଜେପି+ସିନ୍ଦେ) ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଅଧିକାଂଶ ନଗରନିଗମରେ ବିଜେପି ବଡ଼ ପାର୍ଟି ଭାବେ ଉଭା ହୋଇଛି। ମୁମ୍ବାଇରେ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମେୟର ହେବା ଏବେ ନିଶ୍ଚିତ। ଅନ୍ୟପଟେ ଏଥରର ନଗରନିଗମ ନିର୍ବାଚନରେ ଅସଦୁଦ୍ଦୀନ ଓବେସୀଙ୍କ ଏଆଇଏମଆଇଏମ ନିଜର ପ୍ରଦର୍ଶନ ଯୋଗୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

ରାଜ୍ୟରେ ଏଆଇଏମଆଇଏମ ମାଲେଗାଓଁ, ମୁମ୍ବାଇ, ଛତ୍ରପତି ଶମ୍ଭାଜୀନଗର, ଧୂଲେ ଓ ନାନ୍ଦେଡ ଭଳି କିଛି ଅନ୍ୟ ନଗରନିଗମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ସଫଳ ମଧ୍ୟ ହୋଇଛି। ସାରା ରାଜ୍ୟରେ ମୋଟ ୭୪ ଜଣ ଏଆଇଏମଆଇଏମ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି ଓ ୫ଟି ନଗର ନିଗମରେ ଆଗରେ ଚାଲିଛନ୍ତି। ଏଥିରେ ଶମ୍ଭାଜୀନଗରରେ ୨୪ ଜଣ ଏଆଇଏମଆଇଏମ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ସେହିପରି ଅମରାବତୀରେ ୬ ଜଣ ଏଆଇଏମଆଇଏମ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ମାଲେଗାଓଁରେ ଏଆଇଏମଆଇଏମ ୨୦ଟି ସିଟ୍ ଜିତିଛି। ଏଣୁ ମାଲେଗାଓଁରେ ଏଆଇଏମଆଇଏମ ମେୟର ହୋଇ ପାରନ୍ତି।

ନାନ୍ଦେଡରେ ଏଆଇଏମଆଇଏମ ଦ୍ୱିତୀୟ ସର୍ବ ବୃହତ୍ତ ଦଳ ହୋଇପାରେ। ଏଠାରୁ ଏଆଇଏମଆଇଏମର ୧୪ ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି। ଧୂଲେ ନଗରନିଗମରେ ଏଆଇଆମଆଇଏମକୁ ୮ଟି ସିଟ୍ ମିଳିଥିବା ବେଳେ ଜାଲନାରେ ଦଳ ୨ଟି ଆସନ ଜିତିଛି। ଏହା ଛଡା ସମାଜବାଦୀ ପାର୍ଟି ମଧ୍ୟ କିଛି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ଏଆଇଏମଆଇଏମ ରାଜ୍ୟର ମୁସଲମାନ ବହୁଳ ଅଞ୍ଚଳରେ ନିଜର ପ୍ରାର୍ଥୀ ଛିଡା କରିଥିଲା ଓ ଦଳକୁ ଆଶାନୁରୂପ ସଫଳତା ମିଳିଛି। ମୁମ୍ବାଇରୁ ଆରମ୍ଭ କରି ମାଲେଗାଓଁ ଏବଂ ନାନ୍ଦେଡ ପର୍ଯ୍ୟନ୍ତ ଏହି ପାର୍ଟିର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

ପାର୍ଟିର ସମଗ୍ର ଫଳା ଫଳ ଦେଖିଲେ କୁହାଯାଇ ପାରେ ଯେ ଏହାର ପ୍ରାର୍ଥୀଙ୍କ ପ୍ରଦର୍ଶନ ଭଲ ରହିଛି। ଏବେ ଦେଖିବାକୁ ରହିଲା ଆଗାମୀ ଜିଲ୍ଲା ପରିଷଦ ନିର୍ବାଚନରେ ଏହି ପାର୍ଟିର ରଣନୀତି କଣ ରହିବ। ମହାରାଷ୍ଟ୍ର ପୌର ନିର୍ବାଚନକୁ ନେଇ କୁହାଯାଉଛି ଯେ ଏଆଇଏମଆଇଏମ ଅଲଗା ଲଢିବା ଯୋଗୁ ମହାବିକାଶ ଅଘାଡ଼ିରେ ସାମିଲ ଦଳଙ୍କୁ କ୍ଷତି ସହିବାକୁ ପଡିଛି। ପିଛିଲା ନିର୍ବାଚନମାନଙ୍କରେ ଏଆଇଏମଆଇଏମ ମାତ୍ର କିଛି ସିଟ୍ ରେ ଅଟକି ଯାଉଥିଲା। ହେଲେ ପାର୍ଟି ଏଥର ନିଜର ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।