କୋଲକାତା: ‘ମୁସଲମାନମାନେ ବୋକା, ଆମେ ସେମାନଙ୍କ ଭୋଟ ବାଣ୍ଟି ବିଜେପିକୁ ସାହାଯ୍ୟ କରିବୁ।’ ଗୁରୁବାର ପାଖରୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ କଥିତ ଭିଡିଓରେ ପଶ୍ଚିମବଙ୍ଗର ରାଜନେତା ହୁମାୟୁନ୍ କବୀର ରାଜ୍ୟର ମୁସଲମାନମାନଙ୍କ ବିଷୟରେ ଏହି ବିବାଦୀୟ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ତେବେ ବିଭିନ୍ନ ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଆମେ ଏହି ଖବର ଲେଖିଛୁ । ଏହି ଭିଡିଓରେ କେତେ ସତ୍ୟତା ରହିଛି, ସେନେଇ ନ୍ୟୁଜ-୭ ସ୍ବାଧୀନ ଭାବରେ ଯାଞ୍ଚ କରିନାହିଁ ।

ଅନ୍ୟପକ୍ଷରେ, ହୁମାୟୁନ୍ କବୀର ଦାବି କରିଛନ୍ତି ଯେ, ଏହି ଭିଡିଓକୁ ଏଆଇ ବ୍ୟବହାର କରି ବିକୃତ କରାଯାଇଛି । ସେ ଏଭଳି କିଛି ମନ୍ତବ୍ୟ ଦେଇନାହାନ୍ତି ବୋଲି କହିଛନ୍ତି । ଗୁରୁବାର ତୃଣମୂଳ କଂଗ୍ରେସର ଆଇଟି ସେଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓଟି ସେୟାର କରିଛି। କିଛି ଘଣ୍ଟା ମଧ୍ୟରେ, କବୀରଙ୍କ ଆମ ଜନତା ଉନ୍ନୟନ ପାର୍ଟି ଏବଂ ଅସଦୁଦ୍ଦିନ ଓୱେସିଙ୍କ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ମଧ୍ୟରେ ମେଣ୍ଟ ବି ଭାଙ୍ଗିଯାଇଛି ।

Also Read: BJP Bengal Manifesto; ପଶ୍ଚିମବଙ୍ଗରେ ବିଜେପି ଜିତିଲେ ମହିଳାଙ୍କୁ ୩୦୦୦ ସହାୟତା, ୬ ମାସରେ ଲାଗୁ ହେବ ୟୁସିସି: ଅମିତ ଶାହ

ହୁମାୟୁନ କବୀରଙ୍କ ମନ୍ତବ୍ୟକୁ ଓୱେସିଙ୍କ ଦଳ କଡ଼ା ନିନ୍ଦା କରିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ମେଣ୍ଟ ଭାଙ୍ଗିବା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ହୁମାୟୁନ୍ କବୀରଙ୍କୁ ଥରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚନା କରାଯାଉଥିଲା। କଂଗ୍ରେସ ଛାଡିବା ପରେ କବୀର ବିଜେପି ଏବଂ ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତେଣୁ, ସେ ବିଭିନ୍ନ ସମୟରେ ତିନୋଟି ଦଳର ସଦସ୍ୟ ରହିଆସିଛନ୍ତି।

ନିକଟ ଅତୀତରେ ଟିଏମସିରୁ ବିତାଡ଼ିତ ହେବା ପରେ ହୁମାୟୁନ କବୀର ଆମ୍ ଜନତା ଉନ୍ନୟନ ପାର୍ଟି ନାମକ ନିଜର ଦଳ ଗଠନ କରିଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ, ସେ ମୁର୍ଶିଦାବାଦରେ ବାବ୍ରୀ ମସଜିଦ ଆକୃତିରେ ଏକ ମସଜିଦ ନିର୍ମାଣ ଏବଂ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ନିଷ୍ପତ୍ତି ନେଇ ପୁଣି ଥରେ ରାଜନୈତିକ ଝଡ଼ ସୃଷ୍ଟି କରିଥିଲେ। ଭାଇରାଲ ଭିଡିଓରେ ହୁମାୟୁନ କହୁଛନ୍ତି, ତାଙ୍କୁ ୧୦୦୦ କୋଟି ଟଙ୍କାର ପ୍ରସ୍ତାବ ମିଳିଛି, ଯେଉଁଥିରୁ ୨୦୦ କୋଟି ଟଙ୍କା ଅଗ୍ରିମ ଭାବରେ ଦିଆଯାଇଛି। ଭିଡିଓରେ ହୁମାୟୁନ କହୁଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସଂପର୍କରେ ଅଛନ୍ତି । ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମନ୍ବୟ ରଖିବାକୁ ତାଙ୍କୁ କୁହାଯାଇଛି ।

କ’ଣ କହିଲା TMC ?

ଗୁରୁବାର କୋଲକାତାରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କୁନାଲ ଘୋଷ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଭିଡିଓଟି ଦେଖାଇ ସେ କବୀରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର କିଛି ‘ବି-ଟିମ୍ ଏବଂ ସି-ଟିମ୍’ ତୃଣମୂଳ କଂଗ୍ରେସର ଭୋଟକୁ ବିଭାଜିତ କରିବାରେ ସାହାଯ୍ୟ କରୁଛନ୍ତି। ସେ ଅଭିଯୋଗ କରିଛନ୍ତି, ‘ମୁସଲିମ ଭୋଟକୁ ବିଭାଜିତ କରିବା ପାଇଁ ହୁମାୟୁନ୍ କବୀର ଏବଂ ଅନ୍ୟମାନଙ୍କୁ ବ୍ୟବହାର କରାଯାଉଛି। ଆମ ପାଖରେ ଏକ ଭିଡିଓ ଅଛି ଯାହା ଏହାକୁ ସ୍ପଷ୍ଟ ଭାବରେ ପ୍ରମାଣିତ କରେ।’ସେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତଦନ୍ତ ଦାବି ମଧ୍ୟ କରିଛନ୍ତି।

ମେଣ୍ଟ ଭାଙ୍ଗିଲା AIMIM

ଶୁକ୍ରବାର ସକାଳେ AIMIM ହୁମାୟୁନ କବୀରଙ୍କ ଭାଇରାଲ ଭିଡିଓ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି , ‘ମୁସଲମାନମାନଙ୍କ ସମ୍ମାନକୁ ହ୍ରାସ କରୁଥିବା କୌଣସି ବିବୃତ୍ତି ସହିତ ଏଆଇଏମଆଇଏମ ଜଡିତ ହୋଇପାରିବ ନାହିଁ। AIMIM କବୀରଙ୍କ ଦଳ ସହିତ ତାର ମେଣ୍ଟ ଭାଙ୍ଗି ଦେଇଛି। ପଶ୍ଚିମବଙ୍ଗର ମୁସଲମାନମାନେ ସବୁଠାରୁ ଗରିବ, ସବୁଠାରୁ ଅବହେଳିତ ଏବଂ ନିର୍ଯାତିତ । ଦଶନ୍ଧି ଧରି ଧର୍ମନିରପେକ୍ଷ ଶାସନ ସତ୍ତ୍ୱେ, ସେମାନଙ୍କ ପାଇଁ କିଛି କରାଯାଇ ନାହିଁ।’

ଜବାବ ଦେଲେ ଅମିତ ଶାହ

ହୁମାୟୁନ କବୀରଙ୍କ କଥିତ ଭିଡିଓକୁ ନେଇ ପ୍ରଶ୍ନରେ ଜବାବ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ହୁମାୟୁନ କବୀର ଏବଂ ବିଜେପି ସାଉଥ ପୋଲ-ନର୍ଥ ପୋଲ୍ । ଭିଡିଓ ସଂପର୍କରେ ପଚରାଯିବାକୁ ଶାହ କହିଛନ୍ତି, ଆପଣମାନେ ମମତା ଦିଦିଙ୍କ ପାଓ୍ବାର ଜାଣିନାହାନ୍ତି । ସେ ଏଭଳି ଦୁଇ ହଜାର ଭିଡିଓ ତିଆରି କରିପାରିବେ । ହୁମାୟୁନ କବୀର ଓ ବିଜେପି ସାଉଥ ଏବଂ ନର୍ଥ ପୋଲ୍ । ଉଭୟଙ୍କ ମଧ୍ୟରେ କୌଣସି ମେଳ ନାହିଁ । ବେଙ୍ଗଲରେ ବାବ୍ରି ମସଜିଦ୍ ତିଆରି କରୁଥିବା ଲୋକ ସହ ବସିବା ଅପେକ୍ଷା ୨୦ ବର୍ଷ ବିରୋଧୀ ସିଟ୍ରେ ବସିବାକୁ ଶ୍ରେୟସ୍କର ମନେ କରିବୁ ।