ନୂଆଦିଲ୍ଲୀ: ମେଟା AI ମୁଖ୍ୟ ଆଲେକଜାଣ୍ଡର୍ ୱାଙ୍ଗ୍ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ ଏ​‌ବେ ପିତା ହେବାକୁ ଚାହୁଁନାହାନ୍ତି । ଏଥିପାଇଁ ସେ ଆହୁରି ଅପେକ୍ଷା କରିବେ । ଏଲନ ମସ୍କଙ୍କ ‘ନ୍ୟୁରାଲିଙ୍କ୍’ (Neuralink) ଭଳି ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ) ସଂପୂର୍ଣ୍ଣ ବିକଶିତ ନହେବା ଯାଏଁ ସେ ଅପେକ୍ଷା କରିବାକୁ ସ୍ଥିର କରିଛନ୍ତି । ‘ଦି ସନ୍ ରୋୟାନ୍ ଶୋ’ରେ ଏକ ସାକ୍ଷାତକାର ସମୟରେ ୱାଙ୍ଗ୍ କହିଛନ୍ତି ଯେ, ବୟସ୍କଙ୍କ ତୁଳନାରେ ଏକ ଶିଶୁର ମସ୍ତିଷ୍କ ଏହି ପ୍ରଯୁକ୍ତିବିଦ୍ୟାକୁ ଅଧିକ ସହଜରେ ଆପଣାଇବାର କ୍ଷମତା ରଖିଥାଏ।

ୱାଙ୍ଗ୍‌ଙ୍କ ଅନୁଯାୟୀ, ଜୀବନର ପ୍ରଥମ ସାତ ବର୍ଷ ମଧ୍ୟରେ ମସ୍ତିଷ୍କର ନମନୀୟତା ବା 'ନ୍ୟୁରୋପ୍ଲାଷ୍ଟିସିଟି' ସବୁଠାରୁ ଅଧିକ ଥାଏ। ସେ ଆଖିର ମୋତିଆବିନ୍ଦୁ ସହ ଜନ୍ମ ହୋଇଥିବା ଶିଶୁଙ୍କ ଉଦାହରଣ ଦେଇ ବୁଝାଇଛନ୍ତି ଯେ, ଯଦି ପ୍ରାରମ୍ଭିକ ସମୟରେ ମସ୍ତିଷ୍କକୁ ଦୃଶ୍ୟ ସଙ୍କେତ ନମିଳେ, ତେବେ ପରବର୍ତ୍ତୀ ସମୟରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କଲେ ବି ଦୃଷ୍ଟିଶକ୍ତି ସ୍ୱାଭାବିକ ହୋଇପାରେ ନାହିଁ।

ସେହିପରି, ଯେଉଁ ଶିଶୁମାନେ ଛୋଟ ବେଳୁ BCI ପ୍ରଯୁକ୍ତିବିଦ୍ୟା ସହ ବଡ଼ ହେବେ, ସେମାନେ ଏହାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ବ୍ୟବହାର କରିବା ଶିଖିଯିବେ। ଏହି  ଚିପ୍ ସେମାନଙ୍କ ମସ୍ତିଷ୍କର ଏକ ପ୍ରାକୃତିକ ଅଂଶ ପାଲଟିଯିବ, ଯାହା ଜଣେ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ। ଆଲେକଜାଣ୍ଡର ୱାଙ୍ଗ୍ ଏହି ଧାରଣାକୁ AI ର ଦ୍ରୁତ ବିକାଶ ସହ ଯୋଡ଼ିଛନ୍ତି। ତାଙ୍କ ମତରେ, ଭବିଷ୍ୟତରେ AI ଅଧିକ ଶକ୍ତିଶାଳୀ ହେବ ଏବଂ ରୋବୋଟ୍ ସମେତ ବିଭିନ୍ନ ଭୌତିକ ରୂପ ନେବ। ମାନବ ବିକାଶ ତୁଳନାରେ AI ର ବିକାଶ ବହୁତ ଦ୍ରୁତ ଗତିରେ ହେଉଥିବାରୁ, କମ୍ପ୍ୟୁଟର ସିଷ୍ଟମ୍ ସହ ସିଧାସଳଖ ଯୋଡ଼ିହେବା ପାଇଁ ମଣିଷକୁ ବିସିଆଇ ଭଳି ମାଧ୍ୟମର ଆବଶ୍ୟକତା ପଡ଼ିବ।