ନୂଆଦିଲ୍ଲୀ: ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଶାସକ ଓ ବିରୋଧୀ ଦଳର ନେତାମାନଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଦେଖିବାକୁ ମିଳିଛି।

ପଶ୍ଚିମ ଏସିଆର ସଙ୍କଟ ଠାରୁ ଆରମ୍ଭ କରି ବିହାର ବନ୍ୟା ଏବଂ ମହିଳା ସଂରକ୍ଷଣ ବିଲ୍ ଭଳି ଅନେକ ପ୍ରସଙ୍ଗରେ ନେତାମାନେ ନିଜ ନିଜର ମତ ରଖିଛନ୍ତି। ସୂତ୍ର ଅନୁସାରେ, ଜେଡିୟୁ (JDU) କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ବୈଠକରେ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଯେଉଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ହୋଇନାହିଁ। କିନ୍ତୁ ଏଭଳି ସଙ୍କଟ ସମୟରେ ପିଏମ ମୋଦୀ ଯେଭଳି ଭାବେ ମ୍ୟାନେଜମେଣ୍ଟ କରିଛନ୍ତି, ତାହା ସ୍ମରଣୀୟ। ଏହାର ପାଲଟା ଜବାବ ଦେଇ ସିପିଏମ୍ (CPM) ସାଂସଦ ଜନ୍ ବ୍ରିଟାସ କହିଛନ୍ତି ଯେ, ପଶ୍ଚିମ ଏସିଆର ଏହି ପରିସ୍ଥିତି ପିଏମ ମୋଦୀଙ୍କ "ବନ୍ଧୁ" ଙ୍କ ଯୋଗୁଁ ହିଁ ସୃଷ୍ଟି ହୋଇଛି।

ସଞ୍ଜୟ ଝା ଉତ୍ତର ବିହାରରେ ପ୍ରତିବର୍ଷ ଆସୁଥିବା ବନ୍ୟା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ନେପାଳରୁ ପାଣି ଛଡ଼ାଯିବା ଯୋଗୁଁ ଏହି ବନ୍ୟା ଆସୁଥିବାରୁ ସେଠାରେ ଏକ 'ହାଇ ଡ୍ୟାମ୍' ନିର୍ମାଣ ପାଇଁ ସରକାର କାମ କରୁଛନ୍ତି ଏବଂ ଏହା ଉପରେ ସଂସଦରେ ଆଲୋଚନା ହେବା ଦରକାର ବୋଲି ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ଆରଜେଡି ସାଂସଦ ଅଭୟ କୁଶୱା ଏବଂ ଏଲଜେପି ସାଂସଦ ଅରୁଣ ଭାରତୀ ମଧ୍ୟ ସମର୍ଥନ କରିଛନ୍ତି।

ଏହି ବୈଠକରେ ସବୁଠୁ ବଡ଼ ବିବାଦ ସେତେବେଳେ ଦେଖାଦେଇଥିଲା, ଯେତେବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଟିଏମସିରୁ ବିଦ୍ରୋହ କରି ଅଲଗା ହୋଇଥିବା ସାଂସଦମାନଙ୍କ ନୂଆ ଦଳ NCPIକୁ ବୈଠକକୁ ନିମନ୍ତ୍ରଣ କରିଥିଲେ। ବିରୋଧୀଙ୍କ ଅଭିଯୋଗ ଥିଲା ଲୋକସଭା ବାଚସ୍ପତି ଓମ ବିର୍ଲା ଏପର୍ଯ୍ୟନ୍ତ ଏହି ନୂଆ ଦଳକୁ ଆଧିକାରିକ ମାନ୍ୟତା ଦେଇନାହାନ୍ତି ଏବଂ ୨୦ ଜଣ ସାଂସଦଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଏବେ ବି ବିଚାରାଧୀନ ଅଛି।

ମାନ୍ୟତା ପାଇନଥିବା ଦଳକୁ କେମିତି ଏଠି ସ୍ଥାନ ମିଳିଲା, ସେ ନେଇ କଂଗ୍ରେସ, ଏସପି, ଡିଏମକେ, ଆପ୍, ବାମପନ୍ଥୀ ଓ ଶିବସେନା (UBT) ସମେତ ସମ୍ପୂର୍ଣ୍ଣ 'INDIA' ମେଣ୍ଟ ବୈଠକରୁ ୱାକଆଉଟ୍ କରିଥିଲେ। ତେବେ ପରେ ସେମାନେ ପୁଣି ବୈଠକରେ ଯୋଗ ଦେଇଥିଲେ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ସାଂସଦ ମହୁଆ ମାଝୀ ବିଜେପି ଉପରେ ସଂଖ୍ୟା ଗରିଷ୍ଠତା ପାଇଁ ଅନ୍ୟ ଦଳର ସାଂସଦଙ୍କୁ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି। ଏହାସହ ମହିଳା ସଂରକ୍ଷଣ ବି ପରିସୀମା (Delimitation) ପ୍ରକ୍ରିୟା ସହ ଯୋଡ଼ିବାକୁ ନେଇ ସେ ଆଶଙ୍କା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ୨୦୧୧ ଜନଗଣନା ଆଧାରରେ ପରିସୀମା ନିର୍ଦ୍ଧାରଣ କରାଯାଏ, ତେବେ ଝାଡ଼ଖଣ୍ଡ ଭଳି ରାଜ୍ୟରେ ଏସଟି (ST) ଆସନ ପାଇଁ ବଡ଼ କ୍ଷତି ହେବ।

ଚଳିତ ମୌସୁମୀ ଅଧିବେଶନ ବେଶ୍ ଧମାକାଦାର ହେବାକୁ ଯାଉଛି। କାରଣ ଉଭୟ ପକ୍ଷ ନିଜ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ନୂଆ ସ୍ୱରୂପରେ ପରିସୀମା ବିଲ୍, E20 ବିବାଦ, ମହିଳା ସଂରକ୍ଷଣ ବିଲ୍ ମହଙ୍ଗା ମାଡ଼, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ହଟାଇବା ସମ୍ପର୍କିତ ପ୍ରସ୍ତାବିତ ବିଲ୍, ବୈଦେଶିକ ନୀତି ଏବଂ ଦୁର୍ନୀତି ପ୍ରସଙ୍ଗ ଉପରେ ଆଲୋଚନା ହେବ। ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୃହର ସୁଚାରୁ ପରିଚାଳନା ପାଇଁ ସମସ୍ତ ଦଳକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।