ଭୁବନେଶ୍ବର: ଅନଲାଇନ ଅଟୋ ଚାଳକଙ୍କୁ ଭାରି ପଡ଼ିଛି ଆନ୍ଦୋଳନ। ଗତ ବୁଧବାର କରିଥିବା ବେଆଇନ ଆନ୍ଦୋଳନ ଯୋଗୁ ଏବେ ହରଡ଼ ଘଣାରେ ଶହ ଶହ ଅନଲାଇନ ଅଟୋଚାଳକ। ଆନ୍ଦୋଳନ ଦିନ ଆନ୍ଦୋଳନକାରୀମାନେ ଉଗ୍ର ହୋଇ ଯେଉଁ ଭଙ୍ଗାରୁଜା କରିଥିଲେ ତାହା ଏବେ ସେମାନଙ୍କ ପାଇଁ ବଡ଼ ଅଡ଼ୁଆ ସୃଷ୍ଟି କରିଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଘଟଣା ଦିନ ଅର୍ଥାତ ବୁଧବାର ପୋଲିସ ୪୦୦ ଗାଡ଼ି ଜବତ କରିଥିଲା। ସେଗୁଡ଼ିକର ପରମିଟ୍ କ୍ୟାନ୍ସଲ ପାଇଁ ନୋଟିସ୍ ଦିଆଯାଇଥିବା ବେଳେ, ଶହେରୁ ଉର୍ଦ୍ଧ୍ବ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। ହେଲେ ଏବେ ମାମଲାରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ଆଞ୍ଚଳିକ ପରିବହନ ବିଭାଗ।

ଭୁବନେଶ୍ବର ଆରଟିଓ ମାନସ ମିଶ୍ର କହିଛନ୍ତି, ଆନ୍ଦୋଳନ ପରେ ଘଟଣା ସ୍ଥଳରୁ ୪୮୦ ଗାଡ଼ି ସିଜ୍ କରିଥିଲା ପୋଲିସ I ସମସ୍ତ ସିଜ୍ ଗାଡ଼ିକୁ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲା। ସୋ' କଜ୍ ନୋଟିସର ଡେଡ୍ ଲାଇନ୍ ଆଜି ସରୁଥିବା ମାତ୍ର ୨୫ ଜଣ ଉତ୍ତର ରଖିଛନ୍ତି। ହେଲେ ଅନ୍ୟମାନେ ଉତ୍ତର ଦେଇନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜବତ ହୋଇଥିବା ବହୁ ଗାଡ଼ିର ଫାଇନ ସହ ଫିଟନେସ ସାର୍ଟିଫିକେଟ କିମ୍ବା ଇନ୍ସ୍ୟୁରାନ୍ସ ମଧ୍ୟ ନାହିଁ। ଯାହାର ଏକ ତାଲିକା ପ୍ରସ୍ତୁତ କରୁଛି ବିଭାଗ । ସେମାନଙ୍କୁ ଆରସି କ୍ୟାନସଲ ପାଇଁ ନୋଟିସ ଦିଆଯିବ।

Also Read: କ୍ଷମା ମାଗିଲେ ଅନଲାଇନ୍ ଅଟୋ ଚାଳକ ସଙ୍ଘ ସଭାପତି : ଭିଡିଓ ବାର୍ତ୍ତାରେ ରଖିଲେ ପ୍ରତିକ୍ରିୟା