କଟକ ୩।୪: ଫେରାର୍ ହେବାର ଠିକ୍ ୬ମାସ ପରେ ପୋଲିସ ପଞ୍ଝାକୁ ଆସିଲା ରାଜା ସାହାଣୀ । ଚୌଦ୍ବାର ଜେଲରୁ ଫେରାର କଏଦୀ ରାଜା ସାହଣୀକୁ ଉତ୍ତରାଖଣ୍ଡ ଋଷିକେଶରୁ ବାନ୍ଧିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ଫେରାର୍ ପରେ କର୍ଣ୍ଣାଟକରୁ ଲୁଟିଥିଲା ୧୦କୋଟିର ଅଳଙ୍କାର । ଓଡ଼ିଶା ସମେତ କର୍ଣ୍ଣାଟକ, ଆନ୍ଧ୍ର ଓ ଉତ୍ତରାଖଣ୍ଡ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ପାଲଟିଯାଇଥିଲା ରାଜା ସାହାଣୀ । ୨୦୨୫ ମସିହା ଅକ୍ଟୋବର ୨ ତାରିଖ ରାତି ପ୍ରାୟ ଗୋଟାଏ ୪୦ରେ ଚୌଦ୍ବାର ଜେଲରୁ ଦୁଇ କଏଦୀ ମଧୁକାନ୍ତ କୁମାର ଓ ରାଜା ସାହାଣୀ ଫେରାର୍ ହୋଇଯାଇଥିଲେ ।

ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକ୍ମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ କରିଥିଲା ଡକାୟତି । ଦିନ ପ୍ରାୟ ୨ଟା ସମୟରେ ହୁନସୁର ବସଷ୍ଟାଣ୍ଡ ନିକଟରେ ଥିବା ସ୍କାଏ ଗୋଲଡ୍ ଏବଂ ଡାଇମଣ୍ଡ ଗହଣା ଦୋକାନରୁ ରାଜା ନେତ୍ବତ୍ବରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ଲାଙ୍କ ଫାୟାରିଂ କରି ମାତ୍ର ୬ମିନିଟରେ ୮କେଜି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ । ଯାହା ମୂଲ୍ୟ ପ୍ରାୟ ୦କୋଟି ଟଙ୍କା ହେବ । ଏହି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜ ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ । ବିଭିନ୍ନ ରାଜ୍ୟରେ ୨୮ଟିରୁ ଅଧିକ ମାମଲା ସହ ୫ଟି ମର୍ଡ଼ର କେସ୍ ଥିବାରୁ ଓଡ଼ିଶା ସମେତ କର୍ଣ୍ଣାଟକ, ଆନ୍ଧ୍ର ଓ ଉତ୍ତରାଖଣ୍ଡ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ପାଲଟିଯାଇଥିଲା ରାଜା ସାହାଣୀ । ରାଜା ସାହାଣୀ କ୍ରାଇମ ସିଣ୍ଡିକେଟରେ ପ୍ରାୟ ୨ହଜାର ଅପରାଧୀ କାମ କରୁଥିବାର ଜଣାପଡ଼ିଛି । ଏମାନେ ଲୁଟ୍, ହତ୍ୟା, ବ୍ୟାଙ୍କ ଡକାୟତି, ଅଳଙ୍କାର ଦୋକାନ ଲୁଟ୍ ଭଳି ବିଭିନ୍ନ ଅପରାଧକୁ ଅଞ୍ଜାମ ଦେଉଥିଲେ । ଖାସ୍ କରି ନିଛାଟିଆ ସ୍ଥାନରେ ଥିବା ବ୍ୟାଙ୍କ କିମ୍ବା ଗହଣା ଦୋକାନକୁ ଟାର୍ଗେଟ୍ କରୁଥିଲା ରାଜା ସାହାଣୀ ।

Also Read:- Excise Policy Guidelines: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ : ଏଥିରେ ରହିଛି କ'ଣ ପଢ଼ନ୍ତୁ

ଶେଷରେ ଉତ୍ତରାଖଣ୍ଡର ଏକ ହୋଟେଲ ନିକଟ ଗଳି ରାସ୍ତାରେ ରାଜା ସାହାଣୀ ତା’ର ଗାର୍ଲ ଫ୍ରେଣ୍ଡ ସହ ବୁଲୁଥିବା ବେଳେ ତା’ର ଫଟୋ ଉଠାଇଥିଲା ପୋଲିସ । ଆଉ ସେ ହିଁ ରାଜା ସାହାଣୀ ବୋଲି କନଫର୍ମ ହେବା ପରେ ତାକୁ ଗିରଫ କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ଫେରାର୍ ପରଠାରୁ ରାଜା ସାହାଣୀ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲା । କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ୧୫ ଦିନରୁ ଅଧିକ ରହୁନଥିଲା ରାଜା ସାହାଣୀ । ଏମିତିକି ସେ ଫୋନ୍ ମଧ୍ୟ ବ୍ୟବହାର କରୁନଥିଲା । କାହାକୁ କଲ୍ କରିବାକୁ ପଡ଼ିଲେ ଅନ୍ୟ ଲୋକଙ୍କ ଠାରୁ ଫୋନ୍ ମାଗି କଥା ହେଉଥିଲା ରାଜା ସାହଣୀ । ଏମିତିରେ ତାକୁ ଟ୍ରାକ୍ କରିବା ପୋଲିସ ପାଇଁ କାଠିକର ପାଠ ଥିଲା । କମିଶନରେଟ୍ ପୋଲିସ ସ୍ପେଶାଲ ସ୍କ୍ବାର୍ଡ଼ ଅଧିକାରୀ ଅରୁଣ ସ୍ବାଇଁ ଓ ଚୌଦ୍ବାର ଥାନା ଅଧିକାରୀ ରଜନୀକାନ୍ତ ଦାସ ରିତିମତ୍ ବିହାର ଏସଟିଏଫ୍ ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ପୋଲିସ ଯୋଗାଯୋଗରେ ରହୁଥିଲେ । ପୂର୍ବରୁ ପୋଲିସ ପଞ୍ଝାକୁ ଆସିଥିବା ମଧୁକାନ୍ତ ଠାରୁ ମଧ୍ୟ ଅନେକ କିଛି ତଥ୍ୟ ହାସଲ କରିଥିଲା ପୋଲିସ । ପୋଲିସ କମିଶନରଙ୍କ ସହ ସ୍ପେଶାଲ ସ୍କ୍ବାର୍ଡ଼ରେ ଥିବା ସମସ୍ତ ଅଧିକାରୀ ତିନି ମାସ ଧରି ପଞ୍ଜାବ ହରିୟାଣା, ଉତ୍ତରାଖଣ୍ଡ, ଦିଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ଡେରା ପକାଇଥିଲେ । ବ୍ୟକ୍ତିଗତ ଗୁଇନ୍ଦା ସୂଚନା ଆଧାରରେ ଶେଷରେ ରାଜା ସାହାଣୀକୁ ଧରିବାରେ ସଫଳ ହୋଇଛି ସ୍ପେଶାଲ ସ୍କ୍ବାର୍ଡ଼ । ଧରାପଡ଼ିବା ପରେ ରାଜା ସାହାଣୀ ପୋଲିସକୁ କହିଥିଲା ମୁଝେ ଗୋଲି ମାର୍ ଦୋ ।

ପୂର୍ବରୁ ଗିରଫ ହୋଇଥିବା ମଧୁକାନ୍ତ ରାଣାକୁ ଭୁବନେଶ୍ବର ଝାରପଡ଼ା ଜେଲରେ ରଖାଯାଇଥିବା ବେଳେ ଏବେ ରାଜା ସାହାଣୀକୁ ଚୌଦ୍ବାର ଜେଲର ସ୍ପେଶାଲ ସେଲରେ ଗୋଡ଼ରେ ବେଡ଼ି ପକାଇ ସିସିଟିଭି ସର୍ଭେଲାନ୍ସ ଭିତରେ ରଖିବାକୁ ଜେଲ୍ ଅଧୀକ୍ଷକ କୋର୍ଟଙ୍କୁ ନିବେଦନ କରିବେ ବୋଲି ଜଣାପଡ଼ିଛି ।