ମୁମ୍ବାଇ: ଭାନୁରେଖା ଗଣେଶନ ଓରଫ ରେଖା । ଅକ୍ଟୋବର ୧୦, ୧୯୫୪ରେ ସେ ମାଡ୍ରାସରେ ଜନ୍ମଗ୍ରହଣ କରିଥି​‌ଲେ ।  ବାପା ଥିଲେ ଜଣେ ତାମିଲ ଅଭିନେତା, ମା’ ତେଲୁଗୁ ଅଭିନେତ୍ରୀ । ଶିଶୁ କଳାକାର ଭାବରେ ଫିଲ୍ମ ଦୁନିଆରେ ପାଦ ଥାପନ୍ତି ରେଖା  । ପରେ ପରେ ୧୯୭୦ରେ ବିଲିଉଡ୍‌ରେ ହୁଏ ଗ୍ରାଣ୍ଡ ଏଣ୍ଟ୍ରି । ହିନ୍ଦୀ ସିନେମାରେ 'ସାୱନ୍ ଭାଦୋଁ' ଜରିଆରେ ଡେବ୍ୟୁ କରିଥିଲେ ରେଖା । କିନ୍ତୁ ୭ରୁ ୮ ବର୍ଷ ପର୍ଯ୍ୟନ୍ତ ସେ ଅଭିନୟକୁ ନିଜର କରିପାରିନଥିଲେ । ସେ ଅଭିନୟକୁ ପସନ୍ଦ କରୁନଥିଲେ ବୋଲି ବିବିସି ହିନ୍ଦୀକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । 

ଏତେ କମ୍‌ ବୟସରେ ଫିଲ୍ମରେ କାମ କରିବା ଅନେକଙ୍କ ପାଇଁ ସ୍ବପ୍ନ ଥିଲା । କିନ୍ତୁ ରେଖାଙ୍କ ମନରେ କେବଳ ଗୋଟିଏ କଥାକୁ ନେଇ ଗର୍ବ ଥିଲା ଯେ,  ସ୍କୁଲ ଯାଉଥିବା ତାଙ୍କ ସାଙ୍ଗମାନେ ପରଦାରେ ତାଙ୍କୁ ଦେଖିପାରିବେ। ସେ ମାତ୍ର ତିନି ବର୍ଷ ବୟସରୁ ମାଡ୍ରାସ ସିନେମାରେ କାମ କରିବା ଆରମ୍ଭ କରିଥିଲେ । ପରେ ୧୯୬୯ ମସିହାରେ ସେ ବମ୍ବେ ଆସିଥିଲେ। ପ୍ରଥମ ୬-୭ ବର୍ଷ ଧରି ତାଙ୍କୁ ଅଭିନୟ ଜଗତ ଭଲ ଲାଗୁ ନଥିଲା। ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା 'ଘର୍‌' ତାଙ୍କ ଜୀବନର ଲକ୍ଷ୍ୟ ବଦଳାଇ ଦେଇଥିଲା ବୋଲି କୁହନ୍ତି ଅଭିନେତ୍ରୀ ।  ଏହି ଚଳଚ୍ଚିତ୍ର ହିଁ ତାଙ୍କୁ ଅଭିନୟ ପ୍ରତି ଗମ୍ଭୀର ହେବାକୁ ଶିଖାଇଥିଲା। 

ପ୍ରତ୍ୟେକଟି ଭୂମିକାକୁ ନିଖୁଣ ଭାବରେ ତୁଲାଇଥିବା ଏହି ଫ୍ୟାଶନ୍ ଆଇକନ୍ କୌଣସି ପ୍ରକାର ବୃତ୍ତିଗତ ତାଲିମ ପାଇ ନଥିଲେ ।  
ହିନ୍ଦୀ ତାଙ୍କର ମାତୃଭାଷା ନଥିଲା । ତଥାପି ତାଙ୍କର ଅଭିନୟ, ନୃତ୍ୟ ଏବଂ ହିନ୍ଦୀରେ ଡାଇଲଗ୍‌ କହିବା ଶୈଳୀ ଦର୍ଶକଙ୍କୁ ମତୁଆଲା କରେ । 'ସାୱନ୍ ଭାଦୋଁ' ସଫଳ ହେବା ପରେ ରାତାରାତି ତାଙ୍କୁ ଖୁବ୍ ଲୋକପ୍ରିୟତା ମିଳିଥିଲା । କିନ୍ତୁ ଏହାପରେ ବହୁ ସମାଲୋଚନାର ଶିକାର ହୋଇଥିଲେ ରେଖା । ତାଙ୍କର ଶ୍ୟାମଳ ବର୍ଣ୍ଣ ଏବଂ ଦକ୍ଷିଣ ଭାରତୀୟ ଚେହେରାକୁ ନେଇ ତାଙ୍କୁ 'ଅଗ୍ଲି ଡକଲିଙ୍ଗ୍' ବୋଲି ମଧ୍ୟ କୁହାଗଲା। ହିନ୍ଦୀ ସିନେମାର ହିରୋଇନଙ୍କ ସହ ତାଙ୍କର କୌଣସି ତୁଳନା ନାହିଁ ବୋଲି କହିଲେ ସମାଲୋଚକ । ଏହା ତାଙ୍କ ମନକୁ ବହୁତ ଆଘାତ ଦେଇଥିଲା ବୋଲି କୁହନ୍ତି ରେଖା । ହେଲେ ନିଜର ଦୃଢ଼ ମନୋବଳ ଏବଂ ଯୋଗ୍ୟତା ବଳରେ ବଡ଼ ସଫଳତା ହାସଲ କରିବାକୁ ସଂକଳ୍ପ ନେଇଥିଲେ ଏହି ଏଭରଗ୍ରୀନ୍‌ ଡିଭା ।

ଲାଜକୁଳୀ କିଶୋରୀରୁ ଲେଡି ସୁପରଷ୍ଟାର
କ୍ୟାରିୟରର ପ୍ରଥମ ଦଶନ୍ଧିରେ ସେ ଜଣେ ଲାଜକୁଳୀ କିଶୋରୀ ଥିଲେ ।  ୮୦ ଦଶକ​‌ରେ ନିଜର ଏହି ଲାଜକୁଳା ସ୍ବଭାବ ଛାଡ଼ି ନିଜେ ନିଜ ପାଇଁ ବନିଥିଲେ ହିରୋ । ନିଜ କାନ୍ଧରେ ସବୁ ଦାୟିତ୍ବ ନେଇ ନିଜ ଫିଲ୍ମକୁ ହିଟ କରାଇଲେ ରେଖା । ୧୯୮୧ରେ ‘ଉମରାଓ ଜାନ୍‌’ ଚଳଚ୍ଚିତ୍ର ଲାଗି ରେଖାଙ୍କୁ ମିଳିଲା ବେଷ୍ଟ ଆକ୍‌ଟ୍ରେସ୍‌ ଆଓ୍ବାର୍ଡ । ପରେ ପରେ ନାରୀ କୈନ୍ଦ୍ରିକ ଫିଲ୍ମରେ ଦେଖିବାକୁ ମିଳିଲା ରେଖାଙ୍କୁ । ୧୯୮୮ରେ  ମୁକ୍ତିଲାଭ କରିଥିଲା ‘ଖୁନ୍‌ ଭରି ମାଙ୍ଗ’ ।  ଯେଉଁଥିରେ ଜଣେ ପ୍ରତିଶୋଧ ପରାୟଣ ମହିଳା ଭୂମିକା​‌ରେ ନଜର ଆସିଥି​‌ଲେ ରେଖା ।  ପରେ ରେଖା ଇଯାଜତ୍‌, ସିଲସିଲା, ଖିଲାଡିଓଁ ଖା ଖିଲାଡି ଭଳି ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ କଲେ ।

​​​​​​​

କେବଳ ଜଣେ ଅଭିନେତ୍ରୀ ଭାବରେ ନୁହେଁ, ରେଖା ଫେସନ ଦୁନିଆରେ ଏକ ବଡ଼ ପରିଚୟ ଲାଭ କରିଛନ୍ତି । ରେଖା ଯେତେବେଳେ କୌଣସି ସ୍ଥାନକୁ ପ୍ରବେଶ କରନ୍ତି, ସେତେବେଳେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ରେଖା ୭୨ ବର୍ଷରେ ପଦାର୍ପଣ କରିଛନ୍ତି, ମାତ୍ର ଆଜି ମଧ୍ୟ ଯେତେବେଳେ ସେ କୌଣସି ରେଡ୍ କାର୍ପେଟରେ ପାଦ ଦିଅନ୍ତି, ସମସ୍ତଙ୍କ ନଜର କେବଳ ତାଙ୍କ ଉପରେ ହିଁ ଥାଏ। ସେ ସେହି ଦିବ୍ୟ ସୌନ୍ଦର୍ଯ୍ୟକୁ ବଜାୟ ରଖିଛନ୍ତି । ଅନେକ ଅଭିନେତ୍ରୀ ଆସିଛନ୍ତି, ଯାଇଛନ୍ତି ହେଲେ ରେଖାଙ୍କ ଆକର୍ଷଣ ସେମିତି ରହିଛି । ବାହୁ ବାଦ ବିବାଦର ସାମ୍ନା କରି ସୁଦ୍ଧା, ଆଜି ବି ରେଖା ଉଭୟ ପ୍ରଶଂସକ ଏବଂ ସମାଲୋଚକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ।