ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଇମ୍ରାନ ହାସମୀ ସ୍ୱାଇନ୍ ଫ୍ଲୁ (H1N1) ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ। ନିକଟରେ ରାଞ୍ଚି ଗସ୍ତ ପରେ ତାଙ୍କର ଏହି ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ଭାରତରେ H1N1 ସ୍ୱାଇନ୍ ଫ୍ଲୁ ମାମଲା ବୃଦ୍ଧି ପାଉଥିବା ସମୟରେ ଅଭିନେତା ଏହି ରୋଗରେ ପୀଡ଼ିତ ହୋଇଛନ୍ତି।

ଅସୁସ୍ଥତା କାରଣରୁ ଇମ୍ରାନ ତାଙ୍କର ନିର୍ଦ୍ଧାରିତ ବେଙ୍ଗାଲୁରୁ ଗସ୍ତକୁ ବାତିଲ କରିଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଶନିବାର ଦିନ ନିଜ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀ ଜରିଆରେ ପ୍ରଶଂସକମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀରେ ସେ ଲେଖିଛନ୍ତି, ‘ବେଙ୍ଗାଲୁରୁ, ମୁଁ ବହୁତ ଅସୁସ୍ଥ ଅଛି ଏବଂ ଦୁର୍ଭାଗ୍ୟବଶାତଃ ବେଙ୍ଗାଲୁରୁ ସୋ'କୁ ଆସିପାରିବି ନାହିଁ। କିନ୍ତୁ 'ପିକ୍ଚର ଖତମ୍ ନହିଁ ହୁଆ, ବସ୍ ପୋଷ୍ଟପନ୍ ହୁଆ ହୈ !' ମୁଁ ଆପଣ ସମସ୍ତଙ୍କୁ ସେପ୍ଟେମ୍ବର ୧୨, ଶନିବାର ଦିନ 'ସନ୍‌ବର୍ଣ୍ଣ ୟୁନିଅନ୍'ରେ ଭେଟିବି। ଆପଣଙ୍କ ଟିକେଟ୍ ନୂଆ ତାରିଖ ପାଇଁ ବୈଧ ରହିବ। ଆପଣମାନଙ୍କୁ ଭେଟିବାକୁ ଅପେକ୍ଷା କରିଛି।’

​​​​​​​

ବର୍ତ୍ତମାନ ଏହି ସୋ'ଟି ସେପ୍ଟେମ୍ବର ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଇମ୍ରାନ ହାସମୀ ନିକଟରେ 'ଆୱାରାପନ୍ ୨' ଫିଲ୍ମରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ଦର୍ଶକୀୟ ଆଦୃତି ଲାଭ କରିଛି । ଅନ୍ୟପଟେ, ଅଭିନେତା ଇମ୍ରାନ ହାସମୀଙ୍କୁ ଆଗାମୀ ଫିଲ୍ମ 'ଗନ୍‌ମାଷ୍ଟର G9' (Gunmaaster G9) ରେ ଦେଖିବାକୁ ମିଳିବ। ଆଦିତ୍ୟ ଦତ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର କାହାଣୀ ପ୍ରେମ ଓ ଆକ୍ସନ୍ ଉପରେ ଆଧାରିତ। ଫିଲ୍ମରେ ଇମ୍ରାନଙ୍କ ସହ ଜେନେଲିଆ ଡିସୁଜା (ଦେଶମୁଖ) ମୁଖ୍ୟ ଭୂମିକାରେ ଅଛନ୍ତି।