କଟକ ୧।୪: ହାଇକୋର୍ଟ ରୋଡ୍‌ରେ ଚାରୋଟି ଗାଡ଼ିକୁ ନିଆଁ ଲଗାଇ ଦେଇଥିବା ମହିଳା ଗିରଫ । ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଏ ନେଇ କଟକ ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ମହିଳାଙ୍କ ସମ୍ପର୍କୀୟଙ୍କୁ ଓ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରାଯାଉଛି । ମହିଳା ଆସିଥିବା ସ୍ଥାନ ଓ ନିଆଁ ଲଗାଇବା ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜ୍‌କୁ ତର୍ଜମା କରାଯାଉଛି । ମହିଳାଙ୍କ ପ୍ରକୃତ ଘର ଓ ସାଙ୍ଗରେ ଆସିଥିବା ପିଲାର ମଧ୍ୟ ଯାଞ୍ଚ ଚାଲିଛି ବୋଲି ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ସହରର ହାଇକୋର୍ଟ ରୋଡ୍ କାଳୀଗଳି ରାସ୍ତାରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ହଠାତ ହାଇକୋର୍ଟ ପାଚେରୀ କଡରେ ଥୁଆ ହୋଇଥିବା ବାଇକ୍ ଗୁଡ଼ିକରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା ଓ ପାଖରେ ଠିଆ ହୋଇଥିବା ଏକ ସ୍କର୍ପିଓ ଗାଡ଼ିରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ଓ ହାଇକୋର୍ଟ କର୍ମଚାରୀ ମାନେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ନିଆଁ ସମ୍ପୂର୍ଣ୍ଣ ଭାବେ ୩ଟି ବାଇକ୍ ସମେତ ଏକ ସ୍କର୍ପିଓ ଗାଡ଼ିକୁ ପୋଡ଼ି ପାଉଁଶ କରିଦେଇଥିଲା । ଓଡ଼ିଶାର ହାଇ ସିକ୍ୟୁରିଟି ଅଞ୍ଚଳ ବା ଓଡ଼ିଶା ହାଇକୋର୍ଟ ପାଚେରୀ କଡ଼ରେ ଏହିଭଳି ଗାଡ଼ି ଜଳିଯିବାକୁ ନେଇ ପୋଡ଼ି ଯାଇଥିବା ଗାଡ଼ି ମାଲିକ ମାନେ ତଦନ୍ତ ପାଇଁ ଦାବି କରିଥିଲେ ।

Also Read:- Cuttack BJD: କଟକ ବିଜେଡିକୁ ଝଟ୍‌କା, ଇସ୍ତଫା ଦେଲେ ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂ

ହାଇକୋର୍ଟ ନିକଟରେ ୪ଟି ଗାଡିରେ ନିଆଁ ଲାଗିବା ଘଟଣାରେ କାରଣ ଖୋଜୁ ଖୋଜୁ ପଦାକୁ ଆସିଲା ଜଣେ ମହିଳାଙ୍କ ଭୂମିକା । ପୁଣି ନିଆଁ ଲଗାଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଏ ନେଇ ସମ୍ପୃକ୍ତ ମହିଳା ପୋଲିସ ଆଗରେ ସ୍ବୀକାର ମଧ୍ୟ କରିଥିଲେ । ସେ ନିଜେ ଗାଡିରେ ନିଆଁ ଲଗାଇବା ସହ ଏହି ଦୃଶ୍ୟର ନିଜେ ଭିଡିଓ ରେକର୍ଡିଂ କରାଇଥିବା ମହିଳା ଜଣକ କହିଥିଲେ । ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କୁହାଯାଉଥିବା ବେଳେ, ନିଆଁ ଲଗାଇବାର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ମହିଳା ଜଣକ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଥିଲା । ତେବେ ମହିଳା ଜଣଙ୍କ ନିଆଁକୁ କୋର୍ଟ ପରିସରକୁ ଫିଙ୍ଗିବାକୁ ଚେଷ୍ଟା କରିବା ସମୟରେ ତାହା ଗାଡ଼ିରେ ପଡ଼ି ନିଆଁ ଲାଗି ଯାଇଥିଲା । ମହିଳାଙ୍କ ସହ ଜଣେ ଛୋଟ ପିଲା ଥିବା ଜଣାପଡ଼ିଥିଲା ।