କଟକ ୧।୪: କଟକରେ ବିଜେଡିକୁ ପୁଣି ଝଟ୍‌କା । ଦଳ ଛାଡ଼ିଲେ ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ସଭାପତି ପୂର୍ଣ୍ଣିମା ସିଂ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଦଳ ମୂଳ ବିଚାରଧାରାରୁ ଦୂରେଇ ଯାଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ପୂର୍ଣ୍ଣିମା । ଦଳ ପ୍ରତି ସମର୍ପଣ ଭାବର କିଛି ମୂଲ୍ୟ ନାହିଁ; କର୍ମୀଙ୍କୁ ଅଣଦେଖା ହେଉଛି । ଦଳ ପାଇଁ ସତ କହିଲେ ଅପରାଧୀ ବୋଲି କୁହାଯାଉଛି ।

ବିଜେଡି ସୁପ୍ରିମୋଙ୍କ ନିକଟକୁ ପୂର୍ଣ୍ଣିମା ପଠାଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, ବିଜେଡି ତାର ମୂଳ ନୀତି ଓ ବିଚାରଧାରାକୁ ଭୁଲିଯାଇଛି । ଏବେ ଦଳରେ ଆନୁଗତ୍ୟ, ଆଦର୍ଶର କୌଣସି ମୂଲ୍ୟ ନାହିଁ । ଦଳ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିଙ୍କ ସ୍ୱାର୍ଥରେ କାମ କରୁଛି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ପୂର୍ବରୁ ପୂର୍ଣ୍ଣିମା କଟକ ମହାନଗର ମହିଳା ବିଜେଡିର ସଭାପତି ଥିଲେ । ଆଗକୁ ନିଜ ଭବିଷ୍ୟତ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

Also Read:- ରାତି ୧୨ଟା ୪୨ରେ ବିଧାନସଭା ହେଲା ମୁଲତବୀ, ଧାନ ମଣ୍ଡିରୁ SCB ତାତି ଯାଏଁ କମ୍ପିଥିଲା ଗୃହ

ସେପଟେ, ପୂର୍ଣ୍ଣିମା ସିଂଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାସ ସିଂ । ସେ କହିଛନ୍ତି, ପୂର୍ଣ୍ଣିମା ସେମିତି କୌଣସି ଖାସ୍ ପଦବୀରେ ନଥିଲେ । ୱାର୍କିଂ ପ୍ରେସିଡେଣ୍ଟର ମାନେ କ'ଣ ଆପଣ ବୁଝି ପାରୁଥିବେ । ପୂର୍ଣ୍ଣିମାଙ୍କ ନାମରେ କେସ୍ ମଧ୍ୟ ରହିଛି । ସେମିତି କୌଣସି ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ ବୋଲି ସୁବାସ ସିଂ କହି।

ଉଲ୍ଲେଖଯୋଗ୍ୟ ଯେ, ବିଜେଡିରୁ ବହିଷ୍କୃତ ପ୍ରଭାତ ବିଶ୍ବାଳଙ୍କ ଘନଘନ ବୈଠକକୁ ନେଇ ଚିନ୍ତାରେ ଅଛି ବିଜୁ ଜନତା ଦଳ । ଆଗକୁ ସିଏମସି, ଚୌଦ୍ୱାର ମ୍ୟୁନିସିପାଲିଟି ଏବଂ ପଞ୍ଚାୟତ ନିର୍ବାଚନ ଥିବାରୁ ନିଜ ସମର୍ଥକ ଗୋଟାଇବାରେ ଲାଗିପଡିଛନ୍ତି ପ୍ରଭାତ । ତାଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବିଜେଡିର ଅନେକ କର୍ପୋରେଟର ସାମିଲ ହୋଇଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି କଟକ ବିଜେଡିରେ ସବୁକିଛି ଠିକ୍‌ ନାହିଁ । ଏଭଳି ସ୍ଥିତିରେ ଦଳ ସୁପ୍ରିମୋଙ୍କୁ ଘାରିଛି କଟକ ଟେନସନ୍ । ଗଡ଼ ରକ୍ଷା ପାଇଁ ଉଦ୍ୟମ ମଧ୍ୟ ଆରମ୍ଭ କରିସାରିଲେଣି ସୁପ୍ରିମୋ ନବୀନ ପଟ୍ଟନାୟକ । କଟକର ବିଜେଡି କର୍ପୋରେଟରଙ୍କୁ ନବୀନ ନିବାସରେ ଭେଟି ଦଳ ସଙ୍ଗଠନକୁ ସୁଦୃଢ଼ କରିବାକୁ ମନ୍ତ୍ର ଦେଇଥିଲେ ନବୀନ । 

​​​​​​​