ଭୁବନେଶ୍ବର ୧୦।୮: ୨୦୨୫ ନୟାପଲ୍ଲୀ ଥାନା ଅଞ୍ଚଳରୁ ହୋଇଥିବା ହାଇ-ପ୍ରୋଫାଇଲ୍ ଲୁଟ୍ ମାମଲରେ ଭୁବନେଶ୍ବର ପୋଲିସ ସ୍ପାଇଡର ସତୀଶକୁ ଗିରଫ କରିଥିଲା । ଆଉ ଏବେ ସତୀଶ ଠାରୁ ଆହୁରି ଦ୍ରୁତ ଲୁଟେରାକୁ ପୋଲିସ ଚିହ୍ନଟ କରିଛି । ଯାହା ନାଁରେ ସାରା ଦେଶରେ ରହିଛି ୧୯ ମାମଲା । ଭୁବନେଶ୍ବର ମାମଲାକୁ ମିଶାଇ ୨୦ । ବୟସ ୨୯ ହେଲେ ରହିଛି ୨୦ ମାମଲା । ଭାରି ଚତୁର ଏବଂ ସ୍ମାର୍ଟ ଲୁଟେରା । ମାତ୍ର ରହିଛି ପୋଲିସର ଭୟ । ପୋଲିସ ଭୟରେ ଲୁଟ୍ ସୁନା ଛାଡି ସେ ଫେରାର । ଲୁଟ୍ ସୁନାକୁ ଧରି ପୋଲିସ ଫେରିଛି ଭୁବନେଶ୍ବର । ଏସବୁ ଜୁଲାଇ ୩୧ ତାରିଖ ରାତିରେ ବିଲ୍ଡର ପ୍ରୀତମ ଜେନାଙ୍କ ଘରୁ ଲୁଟ୍ ହୋଇଥିବା ସୁନା । ଯାହାକୁ ବିଲ୍ଡରଙ୍କୁ ଫେରାଇଛି ପୋଲିସ । ହେଲେ ଅଭିଯୁକ୍ତକୁ ଗିରଫ କରିପାରି ନାହିଁ ।

ତେବେ କିଏ ସେହି ସ୍ମାର୍ଟ ଅଭିଯୁକ୍ତ । ମାତ୍ର ୪୫ ମିନିଟ୍ରେ କରୁଛି ଖେଳ ଖତମ୍ । କାମ ତାହାର କେବଳ ଚୋରି । ସେ ପୁଣି ଏକାକି, ନାହାନ୍ତି କେହି ସଦସ୍ୟ । ଚୋରି କରିବ, ଟାକ୍ସିରେ ଯିବ । ନୋ ଅନ୍ ଲାଇନ୍, ନୋ ଟ୍ରେନ୍, ନୋ ଫ୍ଲାଇଟ୍ । କେବଳ ଟ୍ୟାକ୍ସି । ଫୋନ୍ ବି ବ୍ୟବହାର କରେ ନାହିଁ । ସାରା ଭାରତ ପୋଲିସ ପାଇଁ ସେ ମୋଷ୍ଟ ଓ୍ବାଣ୍ଟେଡ । ସେହି ମୋଷ୍ଟ ଓ୍ବାଣ୍ଟେଡ ଲୁଟେରା ହେଉଛି ଉତ୍ତରାଖଣ୍ଡର ମନୋଜ ସିଂହ । ନିକଟରେ ଅର୍ଥାତ୍ ଜୁଲାଇ ୩ ତାରିଖରେ ବାହାରିଥିଲା ଗୋଆ ଜେଲ୍ରୁ । ୩୧ ତାରିଖରେ ଭୁବନେଶ୍ବରରୁ କରିଥିଲା ବଡ ଧରଣର ଡକାୟତି ।

ତେବେ ସେ ଭୁବନେଶ୍ବର ଆସିଲା କେମିତି, ଗଲା କେମିତି ଜାଣନ୍ତୁ

ଜୁଲାଇ ୩୧ ତାରିଖ ସକାଳ ପ୍ରାୟ ୬ଟା ସମୟରେ ବସ୍ ଯୋଗେ ରାଞ୍ଚିରୁ ଆସି ଓହ୍ଲାଇଥିଲା ରସୁଲଗଡରେ । ରହିଥିଲା ପୁଷ୍ପକ ହୋଟେଲରେ । ସନ୍ଧ୍ୟାରେ ଷ୍ଟେସନ ନିକଟରେ ଥିବା ସାରା ଗଳି ସେ ବୁଲିଥିଲା । ଶେଷରେ ଲିଙ୍ଗରାଜ ବିଲଡର ପ୍ରୀତମ ଜେନାଙ୍କ ଘର ଲକ୍ ଥିବା ଦେଖି ପଶିଥିଲା ଘର ଭିତରେ । ସେତେବେଳକୁ ରାତି ପ୍ରାୟ ୧୦ଟା । କଟର ସାହାଯ୍ୟରେ ବାଟ ଲକ୍କୁ କାଟିଥିଲା । । ଘର ଭିତରେ ପଶି ରୋବଟ୍ କ୍ୟାମେରାକୁ କରିଥିଲା ଅଚଳ । ତାଡି ଦେଇଥିଲା ହାର୍ଡଡିକ୍ସ । ମାଷ୍ଟର ବେଡରୁମ୍ ଭିତରେ ପଶି ବୁଲାଇଥିଲା କଳାକନା । ଡାଇମଣ୍ଡ ଠାରୁ ଆରମ୍ଭ କରି ସୁନା ଅଳଙ୍କାର, ନଗଦ ଟଙ୍କା ଏବଂ ସୁନାର ଜଗନ୍ନାଥଙ୍କୁ ଚୋରି କରିଥିଲା । ୪୫ ମିନିଟ୍ ଭିତରେ ଅର୍ଥାତ୍ ୧୦ରୁ ୧୦ଟା ୪୫ ଭିତରେ କରିଦେଇଥିଲା ସବୁ ସଫା । ବହୁ ଆରାମରେ ଯେଉଁ ପଟେ ପ୍ରବେଶ କରିଥିଲା ବାହାରିଥିଲା ସେହି ପଟେ ।

ଭୁବନେଶ୍ବରରୁ ଚୋରି କରି ସେ ଟ୍ୟାକ୍ସି ଯୋଗେ ଯାଇଥିଲା ପୁରୀ । ପୁରୀରେ ଏକ ହୋଟେଲରେ କିଛି ସମୟ ପାଇଁ ରହିଥିଲା । ପୁରୀରୁ ଯାଇଥିଲା ବ୍ରହ୍ମପୁର । ବ୍ରହ୍ମପୁରରୁ ଗିରିଶୋଲା ଦେଇ ବିଶାଖାପାଟନମରୁ କାକିନଡା । ସେଠାରୁ ବିଜୟଓ୍ବାଡା । ବିଜୟଓ୍ବାଡାରୁ ଯାଇ ପହଞ୍ଚିଥିଲା ନେରୁଲ । ସେଠାରେ ଏକ ହୋଟେଲରେ ଥିବାବେଳେ ଲକ୍ଷ୍ମୀସାଗର ଥାନା ପୋଲିସ ଏବଂ ସ୍ପେଶାଲ ସ୍କ୍ବାଡ୍ର ଏକ ଟିମ୍ କରିଥିଲା ରେଡ୍ । ପୋଲିସ ରେଡ୍ କରୁଥିବା ଜାଣିପାରି ମନୋଜ ଲୁଟ୍ ସାମଗ୍ରୀ ସେଠାରେ ଛାଡି ଛାତ ଡେଇଁ ଫେରାର ମାରିଥିଲା । ପୋଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତ ଫେରାର, ବ୍ୟାଗରେ ଅଛି ଚୋରି ସାମଗ୍ରୀ । ତେବେ ଏ ସମସ୍ତ ସ୍ଥାନକୁ ସେ ଟାକ୍ସିରେ ଯିବା ଆସିବା କରିଛି । ତାହାର ତରିକା ହେଲା ସେ ପ୍ରତ୍ୟେକ ଦିନ ୨୦୦ରୁ ୩୦୦ କିଲୋମିଟର ଯାଏ । ୨୪ ଘଣ୍ଟାରୁ ଅଧିକ କୌଣସି ସ୍ଥାନରେ ରହେ ନାହିଁ । ଚୋରି ସାମଗ୍ରୀରୁ ଅଳ୍ପ ଅଳ୍ପ ବିକ୍ରି କରି ସେ ତାର ଖର୍ଚ୍ଚ କରେ ।

Also Read:- ସାର କଳାବଜାରୀ ଉପରେ ଆକ୍ସନ : ୫୦୦ ଡିଲରଙ୍କ ଉପରେ ରେଡ୍, ୩ର ଲାଇସେନ୍ସ ବାତିଲ

ମନୋଜର ବୟସ ୨୯ । ହେଲେ ରହିଛି ୨୦ ମାମଲା । ବୁଲୁଥାଏ ଏକାକୀ । ନଥାନ୍ତି କୌଣସି ସାଥି । ଥାଏ କେବଳ କଟର ଆଉ ସ୍କୃଡାଇଭର। । ସେହି ଦୁଇଟାରେ ସାରା ଦେଶର ପୋଲିସକୁ କରିଥାଏ ନାକେଦମ୍ । ସବୁଠାରୁ ଅଧିକ ମାମଲା ରହିଛି ଦିଲ୍ଲୀରେ । ଦିଲ୍ଲୀରେ ତା ନାମରେ ରହିଛି ୧୭ ମାମଲା । ସେ ୭ ବର୍ଷ ତିହାର ଜେଲରେ ମଧ୍ୟ ରହି ଫେରିଛି । ସିକନ୍ଦରବାଦରେ ଗୋଟେ ଏବଂ ଗୋଆରେ ରହିଛି ଗୋଟିଏ ଲେଖାଏଁ ମାମଲା । ଗୋଆ ମାମଲାରେ ଗିରଫ ହୋଇ ରହିଥିଲା ଜେଲରେ । ଗତ ଜୁଲାଇ ୩ ତାରିଖରେ ବାହାରିଥିଲା ଜେଲରୁ । ଜେଲରୁ ବାହାରି ଆସିଥିଲା ଭୁବନେଶ୍ବର । ଭୁବନେଶ୍ବରରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ବିଲଡରଙ୍କ ଘରୁ କରିଥିଲା ଚୋରି । ତା ନାମରେ ଥିବା ସମସ୍ତ କେସ୍ ସେ କରିଥାଏ ଏକାକୀ । ଲୁଟ୍ ପୂର୍ବରୁ କରିନଥାଏ ରେକି । ଯାହା ଘର ଲକ୍ ଥିବ ଦେଖିବ, ସେଠାରେ କଟର ସାହାଯ୍ୟରେ କାଟି କରିଥାଏ ଲୁଟ ।

ଏହି କେସକୁ ଡିଟେକ୍ଟ କରିବା ଭୁବନେଶ୍ବର ପୋଲିସ ପାଇଁ ଥିଲା ବଡ ଚ୍ୟାଲେଞ୍ଜ । ଏଥିରେ ଅଧା ହୋଇଛି ସଫଳ । ଅଭିଯୁକ୍ତ ଚିହ୍ନଟ ହୋଇସାରିଛି । ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ । ମ୍ୟାନ ଆଣ୍ଡ ମେସିନ୍ ସାହାଯ୍ୟରେ ଏହାକୁ ସଲ୍ଭ କରିବାରେ ସଫଳ ହୋଇଛୁ ବୋଲି ପୋଲିସ କମିଶନର କହିଛନ୍ତି । ଆଉ ଯାହା ମିସିଂ ରହିଛି ସେଗୁଡିକୁ ମଧ୍ୟ ଖୁବ୍ ଶୀଘ୍ର ଜବତ ହେବ । ଜବତ ସୁନା, ହୀରା ଅଳଙ୍କାରକୁ ବିଲ୍ଡର ପତି ଏବଂ ପତ୍ନୀଙ୍କୁ ପୋଲିସ କମିଶନର ହସ୍ତାନ୍ତର କରିଛନ୍ତି ।

Watch Video: