ଭୁବନେଶ୍ବର ୧୧।୯: ରାଜଧାନୀରେ ପୁଣି ଥରେ ବାଇକ୍ ଆରୋହୀ ଲୁଟେରାଙ୍କ ଆତଙ୍କ । ସାମନ୍ତରାପୁର ବଜାରରୁ ରାକ୍ଷୀ କିଣି ଘରକୁ ଫେରୁଥିବା ଜଣେ ବୃଦ୍ଧଙ୍କ ବେକରୁ ୧୭ ଗ୍ରାମ ଓଜନର ସୁନା ଚେନ୍ ଝାମ୍ପି ନେଇଥିଲେ ଦୁର୍ବୃତ୍ତ । ଏନେଇ ଧଉଳି ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଧଉଳି ଥାନା ଅଞ୍ଚଳରେ ଘଟିଥିବା ଲୁଟ୍ର ପର୍ଦ୍ଦାଫାଶ କରିଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏକାଧିକ ସ୍ଥାନରେ ଲୁଟ୍ କରିଥିବା ଅଭିଯୁକ୍ତ ଜଣକ ସ୍ୱୀକାର କରିଛି । ତେବେ ଅନ୍ୟଜଣେ ଫେରାରକୁ ଖୋଜୁଛି ପୋଲିସ ।

ଗତ ଅଗଷ୍ଟ ୨୭ ତାରିଖ ସକାଶ ପ୍ରାୟ ୮ଟା ସମୟରେ ଶିଶୁପାଳଗଡ଼ର ୫୭ ବର୍ଷୀୟ ଛାୟାକାନ୍ତ ମିଶ୍ର ସାମନ୍ତରାପୁର ବଜାରରୁ ରାକ୍ଷୀ କିଣି ନିଜ ଘରକୁ ଫେରୁଥିଲେ । ସେ ଗଙ୍ଗୁଆ ପୋଲ ପାର ହୋଇ ୟଙ୍ଗ ଫିନିକ୍ସ ସ୍କୁଲ ସାମ୍ନାରେ ପହଞ୍ଚିବା କ୍ଷଣି ପଛରୁ ଏକ ବିନା ନମ୍ବର ପ୍ଲେଟ୍ ଥିବା ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଦ୍ରୁତ ଗତିରେ ଆସି ତାଙ୍କ ବେକରୁ ୧୭ ଗ୍ରାମର ସୁନା ଚେନ୍ ଝାମ୍ପି ନେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ । ଛାୟାକାନ୍ତ ବାବୁ ସେମାନଙ୍କୁ ପଛୁଆ ଗୋଡ଼ାଇଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇନଥିଲେ । ପରେ ସେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସିସିଟିଭି ଆଧାରରେ ପୋଲିସର କାର୍ଯ୍ୟାନୁଷ୍ଠାନ:

ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାସ୍ଥଳ ଓ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ ଏକ ଧଳା ରଙ୍ଗର ବାଇକ୍ ଆରୋହୀ ଦୁଇ ଯୁବକ ଏଭଳି ଲୁଟ୍ ଘଟାଇଥିଲେ । ସିସିଟିଭି ଫୁଟେଜ୍ ଓ ଫଟୋକୁ ବିଭିନ୍ନ ସ୍ଥାନରେ ପ୍ରସାର କରିବା ସହ ପୋଲିସ ନିଜର ଗୁଇନ୍ଦା ନେଟୱାର୍କ ଲଗାଇ ବାଇକ୍ ଚାଳକର ପରିଚୟ ପଦାକୁ ଆଣିଥିଲା । ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଦର୍ଶନ ପ୍ରଧାନକୁ ଧରିବାରେ ସଫଳ ହୋଇଥିବା ବେଳେ ଘଟଣାରେ ବ୍ୟବହୃତ ଧଳା ରଙ୍ଗର ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି ।

ଅନ୍ୟ ଅପରାଧର ପର୍ଦ୍ଦାଫାଶ:

ଧରାପଡ଼ିଥିବା ଅଭିଯୁକ୍ତ ସୁଦର୍ଶନକୁ ପଚରାଉଚରା କଲା ପରେ ଅନେକ ବଡ଼ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସେ କହିଛି ଯେ ତା’ର ଅନ୍ୟ ଜଣେ ସାଥୀ ମୂଷା ମଧ୍ୟ ଏଥିରେ ସାମିଲ ଅଛି । ଯିଏ ବର୍ତ୍ତମାନ ଫେରାର ଅଛି । ତଦନ୍ତରୁ ଜଣାପଡ଼ିଛି ଯେ ଏହି ଦୁଇ ଜଣ ଅପରାଧୀ କେବଳ ଧଉଳି ଅଞ୍ଚଳରେ ନୁହେଁ, ବରଂ ଏକାଧିକ ସ୍ଥାନରେ ଲୁଟ୍ ପାଟ୍ କରିଛନ୍ତି ।

୨୦ ଜୁଲାଇ ୨୦୨୬: ବଡ଼ଗଡ଼ ଥାନା ଅନ୍ତର୍ଗତ କେଦାରଗୌରୀ ରିସର୍ଟ ନିକଟରେ

୨୭ ଅଗଷ୍ଟ ୨୦୨୬: ଧଉଳି ଥାନା ଅନ୍ତର୍ଗତ ୟଙ୍ଗ ଫିନିକ୍ସ ସ୍କୁଲ ସାମ୍ନାରେ

୬ ସେପ୍ଟେମ୍ବର ୨୦୨୬: କ୍ୟାପିଟାଲ ଥାନା ଅନ୍ତର୍ଗତ ରବୀନ୍ଦ୍ର ମଣ୍ଡପ ଓ ୧୨୦ ବାଟାଲିୟନ୍ ମଧ୍ୟରେ ଥିବା କୃଷି ଭବନ ସାମ୍ନାରେ

ତେବେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ ମୂଷାକୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି ।