ଯାଜପୁର: ରାତି ପାହିଲେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ ବୁଧବାର ଅନୁଷ୍ଠିତ ହୋଇଛି ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ’ । ପ୍ରାୟ ୮ ବର୍ଷ ପରେ କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ, ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ପ୍ରାର୍ଥୀ । ହେଲେ ଅନେକ କଲେଜରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଜଣେ ପ୍ରାର୍ଥୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ନରସିଂହ ଚୌଧୁରୀ ମହାବିଦ୍ୟାଳୟର ବଏଜ୍ କମନ୍ ରୁମ୍‌ର ଆସିଷ୍ଟାଣ୍ଟ ସେକ୍ରେଟାରୀ ପଦ ପାଇଁ ଏବିଭିପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବିଶ୍ୱଜିତ୍ ସାହୁ ଗତକାଲିଠାରୁ ହଷ୍ଟେଲରୁ ନିଖୋଜ ଥିବା ଅଭିଯୋଗ ହୋଇଛି। ହେଲେ ସୋସିଆଲ ମଡିଆରେ ପାରିବାରିକ ଅସୁବିଧା ପାଇଁ ଘରକୁ ଆସିଥିବା ନେଇ ସୋସିଆଲ ମିଡିଆରେ ବିଶ୍ବଜିତ ସୂଚନା ଦେଇଥିବା ଜଣାପଡ଼ିଛି । ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ଯଦି ବିଶ୍ବଜିତ ଘରକୁ ଯାଇଛନ୍ତି ତେବେ କର୍ତ୍ତୃପକ୍ଷଙ୍କୁ କାହିଁକି ଜଣାଇଲେନି ? ଏମିତିରେ ବିଶ୍ୱଜିତଙ୍କ ଅନୁପସ୍ଥିତିକୁ ନେଇ ତାଙ୍କ ସହପାଠୀ ଓ ସହଯୋଗୀ ଛାତ୍ରଛାତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି।

ଏନେଇ ସେମାନେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବା ସହ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ’ରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ନିର୍ବାଚନର ଠିକ୍ ପୂର୍ବରୁ ଜଣେ ପ୍ରାର୍ଥୀ ନିଖୋଜ ଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ, ବିଶ୍ୱଜିତଙ୍କୁ ଖୋଜି ବାହାର କରିବାକୁ ତାଙ୍କ ବନ୍ଧୁମାନେ ଅନୁରୋଧ କରିଛନ୍ତି। କିଛି ଛାତ୍ର ଏନେଇ ଅଭିଯୋଗ କରିବା ପରେ ହଷ୍ଟେଲ ଅଧୀକ୍ଷକଙ୍କ ସହ ଆଲୋଚନା କରାଯାଇଛି। ଏଥିସହ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି। ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାବେଳେ ବିଶ୍ୱଜିତ୍ ସାହୁଙ୍କ ନିଖୋଜ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ନିଖୋଜ ହେବା ପଛର କାରଣ କ’ଣ ଏବଂ ସେ କେଉଁଠି ଅଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

Also Read: ପ୍ରାର୍ଥୀ ଗାଏବକୁ ନେଇ ଉତ୍ତେଜନା, ନିର୍ବାଚନ ପୂର୍ବରୁ କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ଏହାରି ମଧ୍ୟରେ ପୁଅକୁ ଅପହରଣ କରାଯାଇଥିବା ଆଶଙ୍କା କରି ଟାଉନ୍ ଥାନାରେ ଏତଲା ଦେଇଛନ୍ତି ବିଶ୍ବଜିତଙ୍କ ବାପା । ସେ କହିଛନ୍ତି, ଜୀବନ ପ୍ରତି ବିପଦ ଥିବା କହି ପୁଅ କାଲି ଦିନ ୧୨ଟା ବେଳେ ଘରକୁ ଫୋନ୍ କରିଥିଲା । ହେଲେ ଏହା ପରଠାରୁ ତା’ର ଫୋନ୍ ସ୍ବିଚ୍ ଅଫ୍ ରହିଛି । ତା’ର ବିପକ୍ଷ ପାର୍ଟି ତାକୁ ଅପହରଣ କରିନେଇଛନ୍ତି । ତାକୁ ଧମକ ଦେଇ ଏକ ଫେକ୍ ଭିଡିଓ କରି ଛଡ଼ାଯାଇଛି । ଘରେ କାହାର ଦେହ ଖରାପ ନାହିଁ, ଧମକାଇ ଘରକୁ ଯିବା ଭିଡିଓ କରାଯାଇଛି । ତେଣୁ ପୁଅକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ବିଶ୍ବଜିତଙ୍କ ବାପା ।