ମୁମ୍ବାଇ: ଦୀର୍ଘ ସମୟ ଧରି ସଲମାନ ଖାନଙ୍କ ବଡିଗାର୍ଡ ଭାବେ ରହିଆସିଥିବା ଶେରା ଓରଫ ଗୁରମିତ ସିଂହ ଜଲ୍ଲୀଙ୍କୁ ସବୁବେଳେ ସଲମାନଙ୍କ ଛାଇ ଭଳି ପାଖରେ ଦେଖିବାକୁ ମିଳିଥାଏ । ଶେରା ପ୍ରାୟ ସବୁବେଳେ ସଲମାନଙ୍କ ସହ ରହିଥାନ୍ତି ଏବଂ ତାଙ୍କ ସୁରକ୍ଷା ଓ ଦେଖାଶୁଣାର ଦାୟିତ୍ୱ ନେଇଥାନ୍ତି। ଏବେ ଶେରାଙ୍କ ଦୀର୍ଘଦିନର ବିଶ୍ୱସ୍ତତାର ଏକ ବଡ଼ ଉପହାର ତାଙ୍କୁ ମିଳିବାକୁ ଯାଉଛି । ଭାଇଜାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବଡିଗାର୍ଡ ଶେରାଙ୍କ ପୁଅ ଅବୀର ସିଂହ ଏବେ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଗତ କିଛି ସମୟରେ ଅବୀରଙ୍କୁ ମଧ୍ୟ ଲାଇମଲାଇଟରେ ଦେଖିବାକୁ ମିଳିଛି। ଏବେ ସେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିବାକୁ ପୂରାପୂରି ପ୍ରସ୍ତୁତ ଥିବା କୁହାଯାଉଛି । ତାଙ୍କ ବଲିଉଡ୍ ଡେବ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ଅବୀର ସିଂହ ‘ବାସ୍ତବିକ’ ନାମକ ଏକ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ। ଫିଲ୍ମଟିର କାହାଣୀ ଓ ଅବୀରଙ୍କ ଭୂମିକାକୁ ନେଇ ଅଧିକ ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତେବେ ଏହି ଫିଲ୍ମ ମାଧ୍ୟମରେ ସେ ନିଜ ଅଭିନୟ ଦକ୍ଷତାର ପରିଚୟ ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ଅବୀର ହେଉଛନ୍ତି ସଲମାନ ଖାନଙ୍କ ଚର୍ଚ୍ଚିତ ବଡିଗାର୍ଡ ଶେରାଙ୍କ ପୁଅ। ଶେରାଙ୍କୁ ସଲମାନ ଖାନଙ୍କ ସବୁଠାରୁ ବିଶ୍ୱସ୍ତ ଓ ଦୀର୍ଘଦିନର ବଡିଗାର୍ଡ ଭାବେ ଜଣାଯାଏ। ସଲମାନଙ୍କ ସହ ଶେରାଙ୍କ ଘନିଷ୍ଠତା ମଧ୍ୟ ଅନେକଥର ଚର୍ଚ୍ଚାରେ ରହିଛି। ଏବେ ତାଙ୍କ ପୁଅ ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଆରମ୍ଭ କରିବା ଖବର ସଲମାନଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ାଇଛି। ଅବୀରଙ୍କ ଡେବ୍ୟୁକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା ଜୋରସୋର ଆରମ୍ଭ ହୋଇଛି। ଏବେ ସମସ୍ତଙ୍କ ନଜର ରହିଛି ଅବୀର ସିଂହଙ୍କ ବଲିଉଡ୍ ଡେବ୍ୟୁ ଉପରେ। ତେବେ ତାଙ୍କୁ ବଲିଉଡରେ କେତେ ସଫଳତା ମିଳୁଛି ଏବଂ ଶେରାଙ୍କ ପୁଅ ଭାବେ ମିଳିଥିବା ପରିଚୟକୁ ପଛରେ ପକାଇ ସେ ନିଜ ଅଭିନୟ ଜଗତରେ ଦର୍ଶକଙ୍କ ମନରେ କେତେ ଜାଗା କରିପାରୁଛନ୍ତି, ତାହା ଦେଖିବା ରୋଚକ ହେବ ।