ଲଣ୍ଡନ: କାର୍ଡିଫରେ ରବିବାର ରାତିରେ ଘଟିଥିବା ଏକ ଗୁପ୍ତ ରାଜନୈତିକ ଘଟଣାବଳୀ ସମ୍ପୂର୍ଣ୍ଣ ଯୁକ୍ତରାଜ୍ୟର ଭବିଷ୍ୟତ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । 'ଦି ଟେଲିଗ୍ରାଫ୍'ର ଏକ ଚାଞ୍ଜଲ୍ୟକର ରିପୋର୍ଟ ଅନୁଯାୟୀ, ୟୁକେର ଇତିହାସ ବଦଳିବା ଭଳି ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିବା ପାଇଁ ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡର ଶୀର୍ଷ ନେତାମାନେ ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ।

ସୋମବାର ହେବାକୁ ଥିବା ଏହି ବୈଠକରେ ତିନୋଟି ଯାକ ରାଷ୍ଟ୍ରର ଫର୍ଷ୍ଟ ମିନିଷ୍ଟର ଜନ୍ ସ୍ୱିନୀ, ରୁନ୍ ଆପ୍ ଆୟୋୱର୍ଥ ଏବଂ ମିସେଲ୍ ଓ'ନିଲ୍ ଏକ ଯୁଗ୍ମ ଘୋଷଣାପତ୍ରରେ ସ୍ୱାକ୍ଷର କରିବେ । ଏହାର ସିଧାସଳଖ ଲକ୍ଷ୍ୟ ହେଉଛି ୟୁନାଇଟେଡ୍ କିଙ୍ଗଡମ୍‌କୁ ତିନୋଟି ଭାଗରେ ବିଭାଜିତ କରିବା ଏବଂ ସ୍ୱାଧୀନତା ପାଇଁ ନୂତନ ଜନମତ ସଂଗ୍ରହ କରିବା ।

ରାଜନୈତିକ ସମୀକ୍ଷକଙ୍କ ମତରେ, ବ୍ରିଟେନ୍ ଇତିହାସରେ ଏହା ପ୍ରଥମ ଘଟଣା ଯେତେବେଳେ ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡ ଏକାସାଙ୍ଗରେ ସ୍ୱାଧୀନତାକୁ ସମର୍ଥନ କରୁଥିବା ସରକାର ଶାସନରେ ଅଛନ୍ତି । ଏହି ତ୍ରିସ୍ତରୀୟ ମେଣ୍ଟ ବ୍ରିଟେନର ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କ ଉପରେ ସିଧାସଳଖ ଚାପ ପକାଇଛି । ଆଣ୍ଡି ବର୍ନହାମ୍ କିଛି ଦିନ ପୂର୍ବରୁ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ଏବେ ସେ ଏକ ବଡ଼ ସଂକଟରେ ଫସିଯାଇଛନ୍ତି ।

୪ଟି ବଡ଼ ମୁଦ୍ଦା ଉପରେ ସହମତି

କାର୍ଡିଫ୍ର ସେଣ୍ଟ ଡେଭିଡ୍ସ ହୋଟେଲରେ ହେବାକୁ ଥିବା ଏହି ବୈଠକରେ ତିନୋଟି ପ୍ରମୁଖ ଦଳର ନେତାମାନେ ଅର୍ଥବ୍ୟବସ୍ଥା, ଶକ୍ତି, ୟୁରୋପୀୟ ୟୁନିଅନ୍ ଏବଂ ଅନ୍ତର୍ଜାତୀୟ ସହଯୋଗ, ଆତ୍ମନିର୍ଣ୍ଣୟର ଅଧିକାର ପରି ୪ଟି ବିଷୟ ଉପରେ ଏକ ବିସ୍ତୃତ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିବେ ।

ଏହା ଅଧୀନରେ ସ୍କଟଲ୍ୟାଣ୍ଡ ଏବଂ ୱେଲ୍ସ ସ୍ୱାଧୀନତା ପରେ ୟୁରୋପୀୟ ୟୁନିଅନର ସ୍ୱାଧୀନ ସଦସ୍ୟ ହେବା ଯୋଜନାରେ ଆଗକୁ ବଢ଼ିବେ । ଉତ୍ତର ଆୟରଲ୍ୟାଣ୍ଡ ରିପବ୍ଲିକ୍ ଅଫ୍ ଆୟରଲ୍ୟାଣ୍ଡ ସହ ମିଶ୍ରଣ ମାଧ୍ୟମରେ ୟୁରୋପୀୟ ୟୁନିଅନ୍ର ଅଂଶବିଶେଷ ହେବାର ବାଟ ଖୋଜିବ ।

ସ୍କଟିଶ୍ ଫର୍ଷ୍ଟ ମିନିଷ୍ଟର ଜନ୍ ସ୍ୱିନୀ କହିଛନ୍ତି, "ଏହା ଏକ ସ୍ପଷ୍ଟ ସଙ୍କେତ ଯେ ବର୍ତ୍ତମାନର ସ୍ଥିତି ଆଉ ସ୍ଥାୟୀ ନୁହେଁ ଏବଂ ୱେଷ୍ଟମିନିଷ୍ଟର (ବ୍ରିଟେନ୍ ସରକାର)କୁ ଏକ 'ପୋଷ୍ଟ-ୟୁକେ ଫ୍ୟୁଚର' (ୟୁକେ-ପରବର୍ତ୍ତୀ ଭବିଷ୍ୟତ) ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।" ଏହି ନୂତନ ମେଣ୍ଟ ୱେଷ୍ଟମିନିଷ୍ଟର ରର ନିଦ ହଜାଇ ଦେଇଛି ଏବଂ ଏବେ ଦେଖିବାକୁ ବାକି ରହିଲା ଯେ ପ୍ରଧାନମନ୍ତ୍ରୀ ବର୍ନହାମ୍ ୟୁକେକୁ ଖଣ୍ଡବିଖଣ୍ଡ ହେବାରୁ ବଞ୍ଚାଇବା ପାଇଁ କି ପଦକ୍ଷେପ ନେଉଛନ୍ତି ।