ନୂଆଦିଲ୍ଲୀ: ଅଭିଜିତ ଦୀପକେ ଏବେ ଦେଶରେ ଏକ ଜଣାଶୁଣା ନାଁ । ଛାତ୍ର ଆନ୍ଦୋଳନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ବୟସ ୩୦ ଛୁଇଁଲାଣି । ସେ ଯାହା କରନ୍ତୁ ନା କାହିଁକି, ବାପା-ମାଙ୍କ ଇଚ୍ଛା ପୁଅକୁ ବାହା କରାଇବେ । ପୁଅ ପାଇଁ ବହୁତ ପ୍ରସ୍ତାବ ଆସୁଛି, ତେଣୁ ଡିସେମ୍ବର କି ଜାନୁଆରୀ ସୁଦ୍ଧା ପୁଅର ବିବାହ ହୋଇଯିବ ବୋଲି ବେଶ ଆଶାବାଦୀ ଦୀପକେଙ୍କ ମା’ । ମା’ ଅନୀତା ଦୀପକେ କହିଛନ୍ତି, ଆନ୍ଦୋଳନ ପରେ ନୁହେଁ, ପୂର୍ବରୁ ବି ତାଙ୍କ ପୁଅ ପାଇଁ ବିବାହ ପ୍ରସ୍ତାବ ଆସୁଛି । ବୋଷ୍ଟନରେ ଥିବା ବେଳେ ଦୀପକେ କୁଆଡେ, ବିବାହ କଥା ଶୁଣି ଲାଜେଇ ଯାଉଥିଲେ । ଏବେ ସେ ଘରକୁ ଫେରି ନାହାନ୍ତି, କିନ୍ତୁ ଫେରିଲେ ତାଙ୍କୁ ବିବାହ ପାଇଁ ରାଜି କରାଇବେ ବୋଲି କହିଛନ୍ତି ଅନୀତା । 

ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଶେଷ ହୋଇଛି, ହେଲେ ଅଭିଜିତ ଦୀପକେ ଏଯାଏଁ ଘରକୁ ଫେରି ନାହାନ୍ତି । ତାଙ୍କୁ ଟାଇଫଏଡ୍‌ ହୋଇଥିବାରୁ ସେ ହସ୍ପିଟାଲରେ ଅଛନ୍ତି । ଆଉ ୪-୫ ଦିନ ପରେ ଘରକୁ ଫେରିବେ । ଘରେ ତାଙ୍କ ବିବାହକୁ ନେଇ ପୁଣି ଥରେ ଆଲୋଚନା ହେବ ବୋଲି ମା’ ଅନୀତା ଦୀପକେ କହିଛନ୍ତି । ତେବେ ଖୁବଶୀଘ୍ର ହତକୁ ଦିହାତ ହୋଇପାରନ୍ତି ଅଭିଜିତ ଦୀପକେ । ହେଲେ ବାପା-ମାଙ୍କ ସହ ଆଲୋଚନା ପରେ ଜୀବନସାଥି ବାଛିବେ ଅଭିଜିତ । ତେଣୁ ଆନ୍ଦୋଳନ ସମୟରେ ଅଭିଜିତଙ୍କୁ ଯେଉଁ ଯୁବତୀଙ୍କ ସହ ଦେଖିବାକୁ ମିଳିଥିଲା ସେ, ତାଙ୍କର ଗାର୍ଲଫ୍ରେଣ୍ଡ ନୁହେଁ ବୋଲି ପରିବାର ଲୋକ କହିଛନ୍ତି । ହେଲେ ଏଥିରେ କେତେ ସତ୍ୟତା ରହିଛି ତାହା ସମୟ ଆସିଲେ ଜଣାପଡ଼ିବ ।

ଏକ ବ୍ୟଙ୍ଗାତ୍ମକ ସୋସିଆଲ ମିଡିଆ କ୍ୟାମ୍ପେନରୁ ପରିଚୟ ଲାଭ କରିଥିବା ଅଭିଜିତ ଦୀପକେଙ୍କ ବିବାହକୁ ନେଇ ତାଙ୍କ ଫଲୋୟର୍ସଙ୍କ ମଧ୍ୟରେ ଉତ୍ସାହ । ଏତିକି ବେଳେ , ତଙ୍କ ମା’ ଦୀପକେଙ୍କ ବିବାହକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ହେଲେ ଏନେଇ ପୁଅ ସହ ଆଉ ଥରେ ଆଲୋଚନା କରିବେ ବୋଲି ମଧ୍ୟ ଅନୀତା ଦୀପକେ ସ୍ପଷ୍ଟ କରିଛନ୍ତି। ସେପଟେ ଆନ୍ଦୋଳନ ସମୟରେ ତାଙ୍କ ପରିବାର ପ୍ରତି ବିପଦ ଥିଲା ବୋଲି କହିଛନ୍ତି ଅନୀତା । ପ୍ରାୟ ୧୫ ଦିନ କୌଣସି ସଂପର୍କୀୟଙ୍କ ଘରେ ରହିବା ପରେ ଅନୀତା ଏବଂ ତାଙ୍କ ସ୍ବାମୀ ନିଜ ଘର ଛତ୍ରପତି ସମ୍ଭାଜୀ ନଗର ଫେରିଆସିଛନ୍ତି । ତେବେ ଯାହା ହେଉ ନା କାହିଁକି, ପୁଅ ଅଭିଜିତଙ୍କ ବାହାଘର ପାଇଁ ବାପା-ମା ବେଶ ଉତ୍ସାହିତ ଅଛନ୍ତି । 

ଅନ୍ୟପଟେ ପିଲାଦିନେ ଦୀପକେ ଲାଜକୁଳା ସ୍ବଭାବର ଥିଲେ ବୋଲି କହିଛନ୍ତି ଅନୀତା।  ସେ କେବଳ ଭୋକ ହେଲେ ଖାଇବା ମାଗନ୍ତି ଏବଂ କୌଣସି ଜିନିଷର ଦରକାର ପଡ଼ିଲେ କୁହନ୍ତି । ଏପରିକି ସେ ସ୍କୁଲରେ ଆୟୋଜିତ ଡିବେଟରେ ବି ଭାଗ ନିଅନ୍ତି ନାହିଁ । କିନ୍ତୁ ପୁଅକୁ ଟିଭିରେ ୩ଟି ଭାଷାରେ ଭାଷଣ ଦେଉଥିବା ଦେଖି ତାଙ୍କୁ ଖୁସି ଲାଗିଲା ବୋଲି କହିଛନ୍ତି ଅନୀତା । କିନ୍ତୁ କରୋନା ମହାମାରୀ ସମୟରେ ଦୀପକେ ୧୫ ଆଦିବାସୀ ପରିବାରଙ୍କୁ ତାଙ୍କ ଘରେ ରହିବାକୁ ସ୍ଥାନ ଦେଇଥିଲେ । ସେମାନଙ୍କ ପାଇଁ ଖାଦ୍ୟପେୟର ଆୟୋଜନ କରିଥିଲେ ବୋଲି କହିଛନ୍ତି ଅନୀତା ଦୀପକେ । ଅଭିଜିତ ଦୀପକେ ଦଶମ ଶ୍ରେଣୀରେ ୯୬ ପ୍ରତିଶତ ନମ୍ବର ରଖି ପାସ୍‌ କରିଥିଲେ । କିନ୍ତୁ ଦ୍ବାଦଶରେ ୬୫ ପ୍ରତିଶତ ରଖିଥିଲେ । ତାଙ୍କୁ ଇଞ୍ଜିନିୟରିଂ କରିବାକୁ କହିଥିଲେ ତାଙ୍କ ପିତା । ହେଲେ ସେଥିରେ ଦୀପ​‌କେଙ୍କ ରୁଚି ନଥିଲା ଏବଂ ସେ ଫାଇନାଲ ପରିକ୍ଷା ଦେଇନଥିଲେ ବୋଲି ମା’ ଅନୀତା ଗଣମାଧ୍ୟମକୁ କହିଛନ୍ତି ।