ଚଣ୍ଡିଗଡ, ୦୨/୦୫ : ବର୍ତ୍ତିଗଲା ଆପ୍ ସରକାର । ପଞ୍ଜାବ ବିଧାନସଭାରେ ଆମ୍ ଆଦମୀ ପାର୍ଟି ସରକାର ଆସ୍ଥା ଭୋଟ୍ ଜିତି ଯାଇଛି । ରାଜ୍ୟରେ ମୋଟ୍ ୧୧୭ ଆସନରୁ ଆପର ୯୪ ଜଣ ସଦସ୍ୟ ରହିଛନ୍ତି । ଏହାସହ କଂଗ୍ରେସର ୧୬, ବିଏସପିର ଜଣେ, ଅକାଳୀ ଦଳର ତିନି ଜଣ ଏବଂ ବିଜେପିର ଦୁଇ ଜଣ ବିଧାୟକ ରହିଛନ୍ତି ।

ତେବେ ଗତ ଏପ୍ରିଲ ୨୪ ତାରିଖରେ ୭ ଜଣ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ ହୋଇଥିଲେ । ଏହି ସାଂସଦଙ୍କ ମଧ୍ୟରେ ରାଘବ ଚଡା, ସନ୍ଦୀପ ପାଠକ ଏବଂ ହରଭଜନ ସିଂଙ୍କ ଭଳି ଲୋକପ୍ରିୟ ଚେହେରା ଥିଲେ । ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ୍ ସରକାର ଭାଙ୍ଗିଯିବ ବୋଲି ଚର୍ଚ୍ଚା ହୋଇଥିଲା । ଆପ୍ ର ୪୦ରୁ ୬୦ ବିଧାୟକ ବିଜେପିରେ ସାମିଲ ହେବେ ବୋଲି କେହି କେହି କହୁଥିଲେ । ଫଳରେ ବିଧାନସଭାରେ ଭଗବନ୍ତ ମାନ୍ ଆସ୍ଥା ଭୋଟର ସାମ୍ନା କରିଥିଲେ । ଯେଉଁଥିରେ ସେ ବାଜି ମାରି ନେଇଛନ୍ତି । ଆସ୍ଥା ଭୋଟରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହାସହ ବିରୋଧୀଙ୍କୁ ଶକ୍ତ ସନ୍ଦେଶ ମଧ୍ୟ ଦେଇଛି ।

ଶ୍ରମିକ ଦିବସରେ ବଡ ଘୋଷଣା

ମେ ୧ ବା ଶ୍ରମିକ ଦିବସରେ ଭଗବନ୍ତ ଶ୍ରମିକଙ୍କ ଦୈନିକ ମଜୁରୀରେ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ଦରମା ଉଭୟ ସରକାରୀ ଏବଂ ଅଣ ସରକାରୀ କ୍ଷେତ୍ର ପାଇଁ ଲାଗୁ ହେବ । ଆପ୍ ସରକାରର ଏପରି ପଦକ୍ଷେପ ଲକ୍ଷ ଲକ୍ଷ ପରିବାର ପାଇଁ ସାହାର ପାଲଟିବ ବୋଲି ମାନ୍ ପ୍ରକାଶ କରିଛନ୍ତି ।

ତେବେ ୨୦୧୩ ମସିହାରୁ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ଦାବି ହୋଇ ଆସୁଥିଲା । ଯାହାକୁ ଏତେ ବର୍ଷ ପରେ ମାନ୍ ସରକାର ପୂରା କରିଛନ୍ତି । ଏଥିପାଇଁ ଶୁକ୍ରବାର ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେସନ ମଧ୍ୟ ବସିଥିଲା ।