ନୂଆଦିଲ୍ଲୀ,୨୬/୦୪ : ଆମ୍ ଆଦମୀ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଥିବା ୭ ସଂସଦଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କରିବ ଆମ୍ ଆପଣ ପାର୍ଟି (ଆପ)। ଏଥିଲାଗି ରାଜ୍ୟସଭା ଅଧ୍ୟକ୍ଷ ସି ପି ରାଧାକ୍ରିଷ୍ଣନଙ୍କ ନିକଟକୁ ଆପ୍ ଚିଠି ଲେଖିବ ବୋଲି ଶନିବାର ଦଳୀୟ ନେତା ସଞ୍ଜୟ ସିଂହ କହିଛନ୍ତି ।

ଆପ୍ ର ଯୁକ୍ତି ଯେ, ଏହି ସାଂସଦମାନେ ଯେଉଁ ପ୍ରଦକ୍ଷେପ ନେଇଛନ୍ତି, ତାହା ଅସାମ୍ବିଧାନିକ । ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ । ସାଂସଦ ସିଂହ କରିଛନ୍ତି, ଦଳ ବଦଳ ନିରୋଧୀ ଆଇନରେ ରାଜ୍ୟସଭା ଓ ଲୋକସଭାରେ ଯେ କୌଣସି ପ୍ରକାର ବିଭାଜନ କିମ୍ବା ଗୋଷ୍ଠୀକନ୍ଦଳକୁ ମାନ୍ୟତା ଦିଆଯାଏ ନାହିଁ । ସମ୍ବିଧାନର ୧୦ମ ଅନୁସୂଚୀରେ ବି ଏଭଳି କୌଣସି ପୃଥକ ଗୋଷ୍ଠୀକୁ ବୈଧ ବିବେଚନା କରାଯାଏ ନାହିଁ।

ସେହିପରି ଦୁଇ ତୃତୀୟାଂଶ ସାଂସଦ ଏକସଙ୍ଗେ ଦଳ ଛାଡିଲେ ବି ଏହାକୁ ଆଇନତଃ ମାନ୍ୟତା ଦିଆଯାଇ ପାରିବ ନାହିଁ । ସାଂସଦମାନଙ୍କର ଏହି ପଦକ୍ଷେପ ସଂସଦୀୟ ନିୟମ ଉଲ୍ଲଙ୍ଘନ କରୁଛି । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏହା କ୍ଷତି ପହଞ୍ଚାଇଛି । ତେଣୁ ମୁଁ ଏ ନେଇ ରାଜ୍ୟସଭା ଅଧକ୍ଷଙ୍କ ନିକଟକୁ ଚିଠି ଲେଖିବି ବୋଲି ସଞ୍ଜୟ କହିଛନ୍ତି। ରାଘବ ଚଡ଼ା, ସନ୍ଦୀପ ପାଠକ, ସ୍ୱାତୀ ମାଲିଓ୍ୱାଲ, ଅଶୋକ ମିତ୍ତଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା ଓ ବିକ୍ରମଜିତ ସିଂହ ସହନି ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ସେପଟେ ଆପ୍ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ।