ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ଦୁର୍ନୀତି ମାମଲାରେ ବୁଧବାର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ନେତା ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଜଣ ଅଭିଯୁକ୍ତ ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଶୁଣାଣି କାଳରେ ସତ୍ୟେନ୍ଦ୍ର ଜୈନ ନିଜେ ନିଜର ପକ୍ଷ ରଖିଛନ୍ତି। ସେ ସ୍ୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଟେଣ୍ଡର ବାଦରେ କହିଛନ୍ତି। ସେ କହିଛନ୍ତି ଯେ ଯଦିଓ ମୋ ପାଖରେ ୮ଟି ମନ୍ତ୍ରାଳୟର ଦାୟିତ୍ୱ ଥିଲା ତେବେ ଟେକ୍ନିକାଲ ଜ୍ଞାନ ନଥିଲା। ଏଣୁ ତାଙ୍କୁ ଅଧିକାରୀଙ୍କ ନିର୍ଭରରେ ରହିବାକୁ ପଡୁଥିଲା।

ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଏସଟିପି ଏଥିପାଇଁ ତିଆରି ହୁଏ ଯେ ବିନା ସୋଧନରେ ଅପରିସ୍କାର ପାଣି ଯେପରି ଯମୁନା ନଦୀକୁ ନ ଯାଏ ଓ ନଦୀର ଜଳ ସ୍ୱଚ୍ଛ ରହେ। ଏହା ଦିଲ୍ଲୀର ଜନତାଙ୍କୁ ଆମ ପାର୍ଟିର ନିର୍ବାଚନୀ ପ୍ରତିଶ୍ରୁତି ଥିଲା। ଜୈନ କହିଛନ୍ତି ଯେ ଏସଟିପି ନିର୍ମାଣ ସମୟକୁ ନଜରରେ ରଖି ବର୍ତ୍ତମାନ ଥିବା ପ୍ଲାଣ୍ଟକୁ ୫୦ ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଟେକ୍ନୋଲଜି ବାଛିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଯଦିଓ ମୁଁ ୮ଟି ବିଭାଗର ମନ୍ତ୍ରୀ ଥିଲି ହେଲେ ଏସଟିପି ବାବଦେ ମୋର ବୈଷୟିକ ଜ୍ଞାନ ନଥିଲା। ଏଣୁ ଅଧିକାରୀଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା।

ଆରମ୍ଭରେ ୧,୫୪୬ କୋଟି ଟଙ୍କା ବ୍ୟୟରେ ୩୦୦ ଏମଜିଡିର ଲକ୍ଷ୍ୟ ରଖା ଯାଇଥିଲା ଓ ଏମଜିଡି ପିଛା ୫ କୋଟି ଟଙ୍କା ହାରରେ ୪ଟି ପ୍ୟାକେଜରେ ଟେଣ୍ଡର ଜାରି ହୋଇଥିଲା। ହେଲେ ସମ୍ପର୍କିତ ଫାଇଲ ସେ ମନ୍ତ୍ରୀ ଥିବା ସମୟରେ ତାଙ୍କ ନିକଟକୁ କେବେ ପହଞ୍ଚି ନଥିଲା। ତେବେ ଆପ ନେତା କହିଛନ୍ତି ଯେ ୭ ଅଗଷ୍ଟରେ ତାଙ୍କୁ ଡକାଇ ଏପରି ଟେକ୍ନିକାଲ ମାମଲାରେ ପଚରା ଉଚରା କରାଗଲା ଯାହା ବିଷୟରେ ସେ ଜାଣିନଥିଲେ, ଉଦ୍ଦେଶ୍ୟଥିଲା ତାଙ୍କୁ ଅଭିଯୁକ୍ତ ନମ୍ବର ୧ କରିବା ବୋଲି ଅଭିଯୋଗ କରିଛନ୍ତି।

ଟେଣ୍ଡର ଉପରେ ପ୍ରଶ୍ନ ଉଠାଇଛନ୍ତି ଜୈନ
ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ୩୦ ମେ ୨୦୨୨ରେ ମୋତେ ପଦରୁ ହଟାଇ ଦିଆଯାଇଥିଲା। ମୋ ପାଖକୁ କୌଣସି ଫାଇଲ ଆସିଲା ନାହିଁ। ମୁଁ ପ୍ରୋଫାଇଲ ଛାଡିବର ଛଅ ସାତ ମାସ ପରେ ଟେଣ୍ଡର ହେଲା। ତେବେ ଏଥିରେ ମୁଁ ଦୋଷୀ ହେଲି କିପରି ବୋଲି ଜୈନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ୧୫୪୬ କୋଟି ଟଙ୍କାର ଟେଣ୍ଡର ଉଚିତ ନଥିଲା ହେଲେ ୧୯୩୮ କୋଟି ଟଙ୍କାର ଟେଣ୍ଡର ଉଚିତ ହେଲା କେମିତି ବୋଲି ଜୈନ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସେତେବେଳକୁ ମୁଁ ତ ଜେଲରେ ଥିଲି ମୋର କୌଣସି ଦାୟିତ୍ୱ ନଥିଲା ଏଥି ପାଇଁ ମୁଁ ଦାୟୀ କିପରି ବୋଲି ଜୈନ ପ୍ରଶ୍ନ କରିଛନ୍ତି।

ସତ୍ୟେନ୍ଦ୍ର ଜୈନଙ୍କ ସହ ଗିରଫ ହୋଇଛନ୍ତି ୬ ଜଣ
ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତିରେ ଆଣ୍ଟି କରପସନ ବ୍ରାଞ୍ଚ (ଏସିବି) ମଙ୍ଗଳବାର ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ବୁଧବାର ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି। ଏଥିରେ ଜୈନ ନିଜ ପକ୍ଷ ନିଜେ ରଖିଛନ୍ତି। ଏଥି ପାଇଁ କୌଣସି ଓକିଲଙ୍କ ସାହାରା ନେଇ ନାହାନ୍ତି। ଏହି ମାମାଲାରେ ଜୈନଙ୍କ ବ୍ୟତୀତ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଡିଜେବିର ପୂର୍ବତନ କଣ୍ଟ୍ରାକ୍ଚୁଆଲ କନସଲଟାଣ୍ଟ ଅଙ୍କିତ ଶ୍ରୀବାସ୍ତବ, ଏଏନ ଏଣ୍ଟର ପ୍ରାଇଜର ମାଲିକ ନାଗେନ୍ଦ୍ର ଯାଦବ, ୟୁରୋଟେକ୍ ଏନଭର୍ଣ୍ଣମେଣ୍ଟ ପ୍ରାଇଭେଟ ଲମିଟେଡ ମାଲିକ ରାଜ କୁମାର କୁର୍ରା ଓ ସୃଜନ ହାରର ମାଲିକ ପଙ୍କଜ ବର୍ମା ଅଛନ୍ତି।

ପୋଲିସ ରିମାଣ୍ଡ ବାବଦ ନିଷ୍ପତ୍ତି ସଂରକ୍ଷିତ ରଖିଲେ କୋର୍ଟ
ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ଡିଜେବିରେ ଏସଟିପି ନିର୍ମାଣ ଅନିୟମିତତା ମାମଲାରେ ଏସିବି ଅଙ୍କିତ ଶ୍ରୀବାସ୍ତବଙ୍କୁ ୨ ଦିନ ଓ ସତ୍ୟେନ୍ଦ୍ର ଜୈନ ସମେତ ଅନ୍ୟଙ୍କ ନିମନ୍ତେ ୧୪ ଦିନିଆ ହାଜତ ନିବେଦନ କରିଛି। ତେବେ କୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରଥମେ ଅଙ୍କିତ ଶ୍ରୀବାସ୍ତବଙ୍କ ପୋଲିସ ହାଜତ ଓ ପରେ ଅନ୍ୟ ୫ ଜଣଙ୍କ ୧୪ ଦିନିଆ ବିଚାର ବିଭାଗୀଚ ହାଜତ ଉପରେ ନିଷ୍ପତ୍ତି ଶୁଣାଇବେ।