ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣା। ସ୍କୁଟରରେ ଯାଉଥିବା ଯୁବକ- ଯୁବତୀଙ୍କୁ ପିଟିଲା ଦ୍ରୁତଗାମୀ କାର୍। ଏଥିରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ଯୁବକ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଗୋଆ ପାନାଜୀର ଦୋନା ପାଉଲା ଅଞ୍ଚଳରେ। ଦୁର୍ଘଟଣା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି, ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସର ସୂଚନା ଅନୁସାରେ, ଦୁର୍ଘଟଣା ରବିବାର ରାତିରେ ଘଟିଥିଲା। ବାସ୍କୋ ଅଞ୍ଚଳର ୨୧ ବର୍ଷୀୟ ଡେରିୟସ ନାମକ ଯୁବକ କାର ଚଲାଉଥିଲେ। କୁହାଯାଉଛି ଯେ, ସେ ଖୁବ୍ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ। ଆଉ ଏକ ସ୍କୁଟରକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ, ସ୍କୁଟରରେ ଯାଉଥିବା ଯୁବକ- ଯୁବତୀ ଛିଟିକି ପଡ଼ିଥିଲେ ଆଉ ଗୁରୁତର ଆହତ ହୋଇଥିଲେ।

Also Read: Manipur Violence: ଭାରତର ମଣିପୁରରେ ହେଲା କି ରକେଟ ମାଡ଼ ! ବିସ୍ଫୋରଣରେ ଭାଙ୍ଗିଲା ଘର, ୨ ମୃତ, ମହିଳା ଆହତ

ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର, ଯୁବତୀ ମିରାମାର ନିବାସୀ ଦୀକ୍ଷା ପରଓ୍ବାଡକରଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପରେ ପରିବାରରେ ଶୋକ ଖେଳିଯାଇଛି। ସେହିଭଳି ଆହତ ଯୁବକ ଅରୁଣ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେବି ଗୁରୁତର ରହିଛି। ଦୁର୍ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ସ୍ଥିତି ସମ୍ଭାଳିଛି। ଶବକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Also Read: ମାଡ୍ରାସ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ତାମିଲନାଡୁର ୯ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ, ଜାଣନ୍ତୁ କାହିଁକି?

ପୋଲିସର ମାମଲାର ଯାଞ୍ଚ ଆରମ୍ଭ କରିଛି ଏବଂ ଦୁଇ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରୁଜୁ କରିଛି। ଅଭିଯୁକ୍ତ ଡେରିୟସ ଜଣେ ବ୍ୟବସାୟୀଙ୍କ ପୁଅ। ଘଟଣା ସମୟରେ ତାଙ୍କ କାରରେ ଅସ୍ଥାୟୀ ନମ୍ବର ପ୍ଲେଟ ଲାଗିଥିଲା। ତେବେ ଗାଡ଼ିର ରେଜିଷ୍ଟ୍ରେସନ ସଂପୂର୍ଣ୍ଣ ହୋଇଥିଲା କି ନାହିଁ ? ଜାଣିବାକୁ ପ୍ରୟାସ କରୁଛି ପୋଲିସ।

ଏହା ସହ ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୬ (୧), ୧୨୫ (ବି) ଏବଂ ୨୮୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି ଏବଂ ଦୁର୍ଘଟଣାର ସବୁ ଦିଗକୁ ଯାଞ୍ଚ କରାଯାଉଛି। ଏହି ଦୁର୍ଘଟଣା ପୁଣି ଥରେ ଦ୍ରୁତଗତି ଏବଂ ବେପରୁଆ ଗାଡ଼ି ଚଲାଇବା ବିପଦକୁ ନେଇ ପ୍ରଶ୍ନ ଉଠାଇଛି।