ବୌଦ୍ଧ ୩୧।୫: ସର୍ପ ବନ୍ଧନରେ କୃଷ୍ଣ ! ସର୍ପ ବନ୍ଧନ କଥା ଆପଣ ପୁରାଣରେ ଶୁଣିଥିବେ, କିନ୍ତୁ କେବେ ବାସ୍ତବରେ ଦେଖି ନଥିବେ । ଏଭଳି ଚମକାଇ ଦେଲା ଭଳି ଦୃଶ୍ୟ ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୀର୍ଘ ଦୁଇ ଘଣ୍ଟା ଧରି ବିଷଧର ସର୍ପ ବନ୍ଧନରେ ରହିଲେ କୃଷ୍ଣ । ଚେୟାର ସହ ବନ୍ଧା ହୋଇ ରହିଲେ ବୃଦ୍ଧ । ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ୨ ଘଣ୍ଟା କାଳ ଚାଲିଥିଲା ଜୀବନ-ମରଣର ସଂଘର୍ଷ । ଏଭଳି ଏକ ବିପଦପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ ଦେଖିବାକୁ ମିଳିଛି ।

​ସୂଚନାଯୋଗ୍ୟ ଯେ, ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣିଗଡ଼ ଗାଁର କୃଷ୍ଣଚନ୍ଦ୍ର ସାହୁ ଜଣେ ପକ୍ଷାଘାତ ରୋଗୀ । ଶନିବାର ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ବେଳେ ଘରର ଝରକା ଖୋଲାଥିଲା । ଏହି ସମୟରେ ଝରକା ଦେଇ ଏକ ବିଷଧର ସାପ ଘର ଭିତରକୁ ପଶି ଆସିଥିଲା ଏବଂ ଶୋଇଥିବା କୃଷ୍ଣଙ୍କ ଶରୀର ଉପରକୁ ଚଢ଼ି ଯାଇଥିଲା । କୃଷ୍ଣ ଯେତେବେଳେ ଏହା ଜାଣିବାକୁ ପାଇଲେ, ସେତେବେଳେ ସେ ହଠାତ୍ ଉଠି ପାରିନଥିଲେ କି କାହାକୁ ଡାକି ପାରିନଥିଲେ । କାରଣ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଶରୀରର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ରହିଛି । ​କିଛି ସମୟ ପରେ କୃଷ୍ଣ ଉଠିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ସାପଟି କୃଷ୍ଣଙ୍କ ହାତକୁ ଏକ ଚେୟାର ସହ ଜୋରରେ ଗୁଡ଼ାଇ ବାନ୍ଧି ସାରିଥିଲା ।

Also Read:- ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା, ନିକଟରେ ପଡ଼ିଛି ଫୁଲକୁଣ୍ଡ

ପରେ କୃଷ୍ଣଙ୍କ ବିକଳ ଚିତ୍କାର ଶୁଣି ଯେତେବେଳେ ପରିବାର ଲୋକେ ଏହା ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଥିଲେ । ଶେଷରେ ପରିବାର ଲୋକଙ୍କ ପ୍ରାୟ ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସାପ କବଳରୁ କୃଷ୍ଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ପରେ ସାପଟିକୁ ଘର ବାହାରକୁ ସୁରକ୍ଷିତ ଛାଡି ଦିଆଯାଇଥିଲା । ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।