ବ୍ରହ୍ମପୁର ୩୧।୫: ବ୍ରହ୍ମପୁରରେ ପୁଣି ଏକ ହତ୍ୟାକାଣ୍ଡ । ଫୁଲକୁଣ୍ଡରେ ଛେଚି ଯୁବକଙ୍କୁ ହତ୍ୟା । ହିଲପାଟଣା ପିଡବ୍ଲ୍ୟୁଡି ଅଫିସ ଗଳିରେ ଥିବା ଏକ ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଚିତ୍ର ଦେଖିବାକୁ ମିଳିଛି । ଗୋସାଇଁନୂଆଗାଁ ଥାନା ଗୀତା ଭବନ ନିକଟ ପରିତ୍ୟକ୍ତ ଘରେ ମୃତଦେହ ପଡ଼ିଥିବା ଅଞ୍ଚଳବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ମୃତଦେହ ନିକଟରେ ଗୋଟିଏ ଫୁଲକୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି ।

ଫୁଲକୁଣ୍ଡରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ନେଇ ପୋଲିସ ଆଶଙ୍କା କରିଛି । ଯୁବକଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି । ଖବର ପାଇ ଗୋସାଇଁନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରିବା ସହ ଖୋଜୁଛି ପ୍ରମାଣ । କିଏ କାହିଁକି ଯୁବକଙ୍କୁ ହତ୍ୟା କରିଛି ପୋଲିସ ତଦନ୍ତ କରୁଥିବା ବେଳେ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା କହିଛନ୍ତି ଗୋସାଇଁନୂଆଗାଁ ଥାନା ଅଧିକାରୀ ।

Also Read:- କରାଳ ରୂପ ଦେଖାଇବ କାଳବୈଶାଖୀ ! କନ୍ଧମାଳ ଓ ଗଜପତିକୁ ରେଡ୍ ଓ୍ବାର୍ଣ୍ଣିଂ

କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଲା ତାହା ବି ଅସ୍ପଷ୍ଟ ରହିଛି । ନିଶାଶକ୍ତ ଅବସ୍ଥାରେ ଏକାଧିକ ଯୁବକ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ବୁଦ୍ଧିଜୀବୀ । ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ କଲେ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଗୋଟିଏ ପଟେ ପୋଲିସର ଅପରାଧ ଦମନ ଅନ୍ୟପଟେ ଅପରାଧୀଙ୍କ ଏଭଳି କ୍ରାଇମ ଆଶ୍ଚର୍ଯ୍ୟ ଲାଗୁଥିବା କହିଛନ୍ତି ବୁଦ୍ଧିଜୀବୀ ।