ଇନ୍ଦୋର: ଜଣେ ଡାକ୍ତର, ତିନୋଟି ଜିଲ୍ଲାରେ ସେବା ! ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗର ଏଭଳି ଏକ ସାଂଘାତିକ କାରନାମା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଗୋଟିଏ କି ଦୁଇଟି ନୁହେଁ, ବରଂ ଏକାସଙ୍ଗେ ତିନି ତିନୋଟି ଜିଲ୍ଲାରେ ପଦସ୍ଥ ଥିଲେ ଜଣେ ସରକାରୀ ଡାକ୍ତର । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଛନ୍ତି । ଏହି ଗିରଫଦାରୀ ପରେ ସ୍ୱାସ୍ଥ୍ୟ ବିଭାଗରେ ଜାଲିଆତିର ପୋଲ୍ ଖୋଲିଛି, ଯାହା ସାରା ରାଜ୍ୟରେ ଚହଳ ପକାଇ ଦେଇଛି ।

ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ବିଭାଗରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଶହଡୋଲ୍ ଜିଲ୍ଲାରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିବା ଜଣେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି । ଏହି ଡାକ୍ତର ଜଣକ ଏକ ସମୟରେ ତିନୋଟି ଭିନ୍ନ ଭିନ୍ନ ଜିଲ୍ଲା ଶହଡୋଲ୍, ଖରଗୋନ୍ ଏବଂ ଶ୍ୟୋପୁରରେ ପଦସ୍ଥ ଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗର ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେତେବେଳେ ଜଣେ ଡାକ୍ତର ତିନୋଟି ଜିଲ୍ଲାରେ କାର୍ଯ୍ୟରତ ଥିଲେ, ସେତେବେଳେ କେଉଁ ଆଧାରରେ ତାଙ୍କର ଦରମା ଜାରି କରାଯାଉଥିଲା । ଏ ସରକାରୀ ବ୍ୟବସ୍ଥା ଏହାର ସାମାନ୍ୟ ଗନ୍ଧ ସୁଦ୍ଧା କେମିତି ପାଇପାରିଲା ନାହିଁ ?

ଜୁଲାଇ ୩ରେ ରିୱା ଲୋକାୟୁକ୍ତଙ୍କ ଏକ ଟିମ୍ ଶହଡୋଲ୍ ଜିଲ୍ଲାର ଉଫ୍ରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତିଭିତ୍ତିକ ମେଡିକାଲ ଅଫିସର ମହେଶ ଚନ୍ଦ୍ର ଶର୍ମାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା । ଯେତେବେଳେ ତଦନ୍ତ ଆରମ୍ଭ ହେଲା, ସେତେବେଳେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଚକିତ ହୋଇଯାଇଥିଲେ ।

ତଦନ୍ତରୁ ଜଣାପଡ଼ିଛି ଯେ, ଡାକ୍ତର ମହେଶ ଶର୍ମା ଶ୍ୟୋପୁର, ଖରଗୋନ ଏବଂ ଶହଡୋଲ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ବଡ଼ କଥା ହେଉଛି ଏହି ତିନୋଟି ଜିଲ୍ଲା ପରସ୍ପରଠାରୁ ଶହ ଶହ କିଲୋମିଟର ଦୂରରେ ଅବସ୍ଥିତ । ଏହି ସାଂଘାତିକ ଜାଲିଆତି ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗରେ ହଲଚଲ ସୃଷ୍ଟି ହୋଇଛି। ତିନୋଟି ଯାକ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ (CMHO) ଏହି ମାମଲାରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।