ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଥିବା SIR ପ୍ରକ୍ରିୟାକୁ ନେଇ ତେଜିଛି ରାଜନୀତି। SIR ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ଦାବିରେ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ଭେଟିଛି ବିଜେଡିର ଏକ ବରିଷ୍ଠ ପ୍ରତିନିଧି ଦଳ। ପ୍ରକୃତରେ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଆଉ ସେହି ଘଟଣାକୁ ନେଇ CEOଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି।

ବିଜେଡିର ଅଭିଯୋଗ ଅନୁସାରେ, ବିଧାୟକ ଭୋଟରଙ୍କୁ ଧମକ ଦେଇ SIR ପ୍ରକ୍ରିୟାରେ ପ୍ରଭାବ ପକାଇବାକୁ ଉଦ୍ୟମ କରୁଛନ୍ତି। ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କର ନିଜ ପସନ୍ଦର ପ୍ରାର୍ଥୀ ଓ ଦଳକୁ ଭୋଟ ଦେବାର ଅଧିକାର ରହିଛି। ଭିଡିଓରେ ବିଧାୟକଙ୍କ ଏଭଳି ବୟାନକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧୀ ବୋଲି ବିଜେଡି କହିଛି। ଭାଇରାଲ ଭିଡିଓ ସହ ସମସ୍ତ ତଥ୍ୟ CEOଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଘଟଣାର ଉପଯୁକ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହା ସହ ବିଧାୟକଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିବା ବେଳେ, ଯଦି ଏହାର ନିରପେକ୍ଷ ତଦନ୍ତ ନ ହୁଏ, ତେବେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।