ପୁରୀ:  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରଥ ନିର୍ମାଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥ ମୁଖ୍ୟ ମହାରଣା, କମାର, ରୂପକାର, ଭୋଇ ସର୍ଦ୍ଦାର ଓ ଅଧିକାରୀଙ୍କ ସହିତ ରଥ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ପରମ୍ପରା ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ରଥ ନିର୍ମାଣ ସଂପୃକ୍ତ ସେବକ ଓ ଅଧିକାରୀ ମାନେ ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରାଇଥିଲେ।

ଆହୁରି ମଧ୍ୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ମୁଖ୍ୟ ପ୍ରଶାସକ ସନ୍ତୋଷ ପ୍ରକାଶ କରିବା ସହ ନିର୍ମାଣ ହୋଇ ସାରିଥିବା ରଥର ବିଭିନ୍ନ ଅଂଶ ଗୁଡ଼ିକ ପ୍ରବଳ ରୌଦ୍ର ତାପରୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଯଥା ସମୟରେ ରଥ ଦଉଡ଼ି ଇତ୍ୟାଦି ଆବଶ୍ୟକ ଜିନିଷ ସଂଗ୍ରହ ଉପରେ ମୁଖ୍ୟ ପ୍ରଶାସକ ଗୁରୁତ୍ୱ ଆରୋପ କରି ନିୟମିତ ବ୍ୟବଧାନରେ ରଥ ନିର୍ମାଣ କମିଟି ରଥଖଳା ପରିଦର୍ଶନ କରି ରଥ ନିର୍ମାଣ ତ୍ରୁଟିଶୂନ୍ୟ କରିବାକୁ ପରାମର୍ଶ ଦେଇଥିଲେ।