ଜାକାର୍ତ୍ତା: ଇଣ୍ଡୋନେସିଆ ମଦୁରା ଦ୍ୱୀପ ନିକଟ ସମୁଦ୍ରରେ ଏକ ଯାତ୍ରୀବାହୀ ଫେରିରେ ରବିବାର ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଥିବା କୁହାଯାଉଛି। ନିଖୋଜ ଲୋକଙ୍କ ସନ୍ଧାନ ଲାଗି ଉଦ୍ଧାର ଅଭିଯାନ ଜାରି ରହିଛି। ଏହି ଫେରିଟି ପୂର୍ବ ଜାଭାର ସୁରାବାୟାରୁ ସୁଲାବେସୀର ମକାସର ସହରକୁ ଯାଉଥିଲା। ଫେରିଟି ସମୁଦ୍ରରେ କିଛି ବାଟ ଯାତ୍ରା କରିବା ପରେ ସେଥିରେ ନିଆଁ ଲାଗିଯାଇଛି। ଇଣ୍ଡୋନେସିୟା ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏଜେନ୍ସୀ ଏହି ସୂଚନା ଦେଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିଆଁ ଲାଗିବା ବେଳେ ଫେରିରେ ଯାତ୍ରୀ ଓ ଚାଳକ ଦଳ ସଦସ୍ୟମିଶି ୨୫୦ ଜଣ ଥିଲେ। ନିଆଁଲାଗିବା ମାତ୍ରେ ଫେରିରୁ ଡିଷ୍ଟ୍ରେସ୍ ସିଗ୍ନାଲ ପାଇ ସମୁଦ୍ରରେ ଥିବା ବଡ଼ ଜାହାଜ ଓ ଅନ୍ୟ ନୌକାଯାନ ପାଖେଇ ଆସିଥିଲେ। ଏଣୁ ଅନେକ ଲୋକେ ରକ୍ଷା ପାଇଯାଇଥିବାର ଆକଳନ କରାଯାଉଛି। ଏଜେନ୍ସୀ ତଥ୍ୟ ଅନୁସାରେ ଫେରିରେ ୨୭୧ ଜଣ ଯାତ୍ରୀ ଓ କ୍ରୁ ମେମ୍ବର ଥିଲେ। ନିଆଁ ଲାଗିବା ପରେ ଜାହାଜମାନେ ପାଖେ ଆସି ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଫଳରେ ୨୨୫ ଜଣଙ୍କୁ ବଞ୍ଚା ଯାଇ ପାରିଛି।

ତେବେ ଫେରିରେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି। ତେବେ ଉଦ୍ଧାର ଅଭିଯାନ ଜାରି ରହିଛି। ଯେଉଁ ମଦୁରା ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ଘଟିଛି ତାହା ଜାଭାର ଉତ୍ତର-ପୂର୍ବ ଉପକୂଳରେ ରହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଛବିରେ ଫେରିର ଉପର ଡେକରୁ ଘନ କଳା ଧୂଆଁ ଉଠୁଥିବାର ଦେଖା ଯାଉଛି।