ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ଏଜେନ୍ସୀ (ନାସା) ବୈଜ୍ଞାନିକଙ୍କୁ ଚନ୍ଦ୍ରପୃଷ୍ଠରେ ଏକ ନୂଆ ଗର୍ତ୍ତ (କ୍ରାଟର) ମିଳିଛି । କୁହାଯାଉଛି ଶତାବ୍ଦୀରେ ଥରଟିଏ ହେଉଥିବା ଧକ୍କା ଯୋଗୁ ଏପରି ଗର୍ତ୍ତ ସୃଷ୍ଟି ହୋଇଛି । ‘ମ୍ୟାକ୍ ଗେଚିନ୍’ ନାମକ ଏହି ଗର୍ତ୍ତ ୭୨୮ ଫୁଟ (୨୨୨ ମିଟର ଚୌଡା ଓ ୧୪୧ ଫୁଟ (୪୩ ମିଟର) ଗଭୀର । ଏହାକୁ ନାସାର ଲୁନାର ରିକନିସେସ୍ ଅର୍ବିଟର (ଏଲଆରଓ) ସନ୍ଧାନ କରିଛି । ଏହି ଗର୍ତ୍ତକୁ ଚନ୍ଦ୍ରଙ୍କ ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ ଟମ ମ୍ୟାକଗେଚିନ୍ ଙ୍କ ନାମରେ ରଖା ଯାଇଛି ।

ନାସା ଏକ ବୟାନରେ କହିଛି ଯେ ବୈଜ୍ଞାନିକଙ୍କ ଅନୁସାରେ ଏହା ପୁରା ସୌର ମଣ୍ଡଳରେ ଏ ପର୍ଯ୍ୟନ୍ତ ସନ୍ଧାନ କରାଯାଇଥିବା ନୂଆ ଗର୍ତ୍ତ । ‘ସାଇନ୍ସ ଆଡଭାନ୍ସେସ୍’ରେ ନିଜ ସନ୍ଧାନ ନେଇ ଏକ ପେପର ପ୍ରକାଶିତ କରିଥିବା ଗବେଷକଙ୍କ ଅନୁସାରେ ଯେଉଁ ଧକ୍କା ଯୋଗୁ ଏହି ଗର୍ତ୍ତ ସୃଷ୍ଟି ହୋଇଛି ଏହା ୧୧ ଏପ୍ରିଲ ରୁ ୨୨ ମେ ୨୦୨୪ ମଧ୍ୟରେ ହୋଇଥିବ । ବୈଜ୍ଞାନିକଙ୍କ କହିବା କଥା ହେଉଛି ପାଖାପାଖି ୨ଟି ଆମେରିକୀୟ ଫୁଟବଲ ପଡିଆ ଆକାରର ଏହି ଗର୍ତ୍ତ ବୋଧ ହୁଏ ୩ରୁ ୬ ମହଲା ବିଲ୍ଡିଂ ଆକାରର କୌଣସି ଧୂମକେତୁ ଅଥବା ଆଷ୍ଟ୍ରଏଡ ଚନ୍ଦ୍ରପୃଷ୍ଠରେ ମାଡ ହେବା ଯୋଗୁ ସୃଷ୍ଟି ହୋଇଥିବ।

ଏଲଆରଓ ପ୍ରୋବକୁ ଏହି ଗର୍ତ୍ତ ଏକ ବଡ଼ ଚମକଦାର ବିନ୍ଦୁ ଭଳି ପ୍ରତୀତ ହୋଇଥିଲା, ଯାହାର ଚାରିପଟେ ଏକ ଗଭୀର ଘେରା ଥିଲା। ଏହି ପ୍ରୋବ ୨୦୦୯ ମସିହାରୁ ଚନ୍ଦ୍ରମାର ଅଧ୍ୟୟନ କରିଆସୁଛି। ଏହାକୁ ନାସା ବୈଜ୍ଞାନିକମାନେ ରୁଟିନ ଡାଟା-କ୍ୱାଲିଟି ଚେକ୍ କାଳରେ ଦେଖିବାକୁ ପାଇଛନ୍ତି। ଏହି ସମୟରେ ନାସାର ଏଲଆରଓ ସହ କାମ କରୁଥିବା ବୈଜ୍ଞାନିକ ରବର୍ଟ ୱେଗ୍ନର ତାଙ୍କ କମ୍ପ୍ୟୁଟର ସ୍କ୍ରିନରେ ଚନ୍ଦ୍ର ପୃଷ୍ଠର ଏକ ବିଶାଳ ନକ୍ସା ଦେଖୁଥିଲେ। ଏହି ସମୟରେ ତାଙ୍କର ନଜର ଏକ ଅସାଧାରଣ ଭାବେ ଝଟକୁଥିବା ବିନ୍ଦୁ ଉପରେ ପଡିଥିଲା। ଯାହାର ଚାରି ପଟେ ଗଭିର ଘେର ରହିଥିଲା। ଏଥିରୁ ଜଣା ପଡୁଛି ଯେ ଧକ୍କା ସମୟରେ ଚନ୍ଦ୍ର ପୃଷ୍ଠର ମାଟି ଥରି ଉଠିଥିଲା।

ଏହା ପରେ ୱେଗ୍ନର ଚନ୍ଦ୍ର ପୃଷ୍ଠର ପୂର୍ବ ଓ ପର ଛବିର ତୁଳନା କରିଥିଲେ। ଏହା ପରେ ସେ ଅନୁଭବ କରିଥିଲେ ଯେ ସେ ସୌର ମଣ୍ଡଳରେ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଓ ନୂଆକରି ହୋଇଥିବା ଗର୍ତ୍ତକୁ ଖୋଜି ପାରିଛନ୍ତି। ବୈଜ୍ଞାନିକ ଅନୁମାନ କରିଛନ୍ତି ଯେ ଚନ୍ଦ୍ର ପୃଷ୍ଠରେ ଏପରି ଧକ୍କା ଶହେ ବର୍ଷରେ ଥରେ ବା ଏହାଠୁ କମ୍ ଥର ହୋଇଥାଏ। ଯଦିଓ ଚନ୍ଦ୍ରପୃଷ୍ଠରେ ଅନେକ ଗର୍ତ୍ତ ରହିଛି ଯେଉଁଥିରେ କେତେକ ମ୍ୟାକଗେଚୀନଠୁ ବି ବଡ, ହେଲେ କୌଣସି ବଡ ଗର୍ତ୍ତ ନିର୍ମାଣ ପ୍ରକ୍ରିୟାର ଅସଲ ସମୟରେ ଗବେଷଣା କରିବା ଦ୍ୱାରା ଚନ୍ଦ୍ରର ଜିଓଲୋଜିକୁ ବୁଝିବାର ସହାୟତା ମିଳିପାରେ।

ଏହା ଦ୍ୱାରା ଭବିଷ୍ୟତରେ ଚନ୍ଦ୍ରକୁ ମାନବ ପଠାଇବାର ମିସନକୁ ଆହୁରି ଭଲଭାବେ ପ୍ରସ୍ତୁତି କରାଯାଇ ପାରିବ, ଯାହାର ଯୋଜନା ଏବେ ଆମେରିକା ଓ ଚୀନ୍ କରୁଛନ୍ତି। ପୃଥିବୀର ବିପରୀତ ଚନ୍ଦ୍ରର କୌଣସି ବାୟୁମଣ୍ଡଳ ନାହିଁ। ଏଣୁ ଅନ୍ତରୀକ୍ଷର ଧ୍ୱଂସାବଶେଷ ପୃଷ୍ଠରେ ଧକ୍କା ଲାଗିବା ପୂର୍ବରୁ ଧିମା ହୁଏନି କି ଜଳି ପାଉଁଶ ହୁଏନି।