ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ବିରୋଧରେ ଜଣେ ମହିଳା ଦୀର୍ଘ ୧୨ ବର୍ଷ କାଳ କୋର୍ଟରେ ଲଢି ବିଜୟୀ ହୋଇଛନ୍ତି। ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି) ତାଙ୍କ ରାୟରେ ବୀମା କମ୍ପାନୀ ମହିଳାଙ୍କ ପରଲୋକଗତ ପୁଅଙ୍କ ୬୦ ଲକ୍ଷ ଟଙ୍କାର ଜୀବନ ବୀମା କ୍ଲେମକୁ ଭୁଲ ଉପାୟରେ ଖାରଜ କରିଥିବା ଓ ଏଥି ପାଇଁ ୯% ବାର୍ଷିକ ସୁଧ ସହିତ ଦାବି ରାଶି ପୈଠ କରିବାକୁ ଆଦେଶ ଦେଇଛନ୍ତି। ସେହି ଅନୁସାରେ ଏଲଆଇସିକୁ କେବଳ ଜରିମନା ବାବଦକୁ ଏବେ ୬୪.୮ ଲକ୍ଷ ଟଙ୍କା ଦେବାକୁ ପଡୁଥିବା ବେଳେ ମହିଳାଙ୍କୁ ମୋଟ ୧.୨୬ କୋଟି ଟଙ୍କା ପୈଠ କରିବାକୁ ପଡିବ।

ଏନସିଡିଆରସି ଅଧ୍ୟକ୍ଷ ଡ. ଇନ୍ଦର ଜିତ ସିଂହ ଓ ସଦସ୍ୟ ଶଶି ନନ୍ଦକେଓଲ୍ୟାରଙ୍କ ପୀଠ ଏଲଆଇସି ଓ ମୁମ୍ବାଇ ନିବାସୀ ଜୟଶ୍ରୀ ସୁରେଶ ଗମ୍ଭୀରଙ୍କ ଦ୍ୱାରା ମହାରାଷ୍ଟ୍ର ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ୨୦୧୬ ଆଦେଶ ବିରୋଧରେ ଦାଖଲ କ୍ରସ ଅପିଲର ଶୁଣାଣିରେ ଏହି ଆଦେଶ ଦେଇଛନ୍ତି। ମାମଲାର ସବୁ ତଥ୍ୟ ଓ ପରିସ୍ଥିତି ବିଚାର କରିବା ପରେ ଏନସିଡିଆରସି ବୀମାଧାରୀଙ୍କ ପ୍ରସ୍ତାବ ପତ୍ରରେ ପୂର୍ବରୁ ଥିବା କୌଣସି ରୋଗ ସମ୍ପର୍କିତ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇ ନଥିଲେ। ଏଣୁ ଏହି ଆଧାରରେ ବୀମା କମ୍ପାନୀ ସମସ୍ତ ପାଞ୍ଚଟି ମାମଲାରେ ଦାବିକୁ ଅସ୍ୱୀକାର କରିବାର ନଥିଲା ବୋଲି କହିଛନ୍ତି।

ଏହି ମାମଲାଟି ମୁମ୍ବାଇର ନିତିନ ସୁରେଶ ଗମ୍ଭୀରଙ୍କ ସମ୍ପର୍କିତ, ଯିଏ ଜୁନ ୨୦୧୦ରେ ଏଲଆଇସିରେ ୫ଟି ଜୀବନ ବୀମା ପଲିସି କରିଥିଲେ। ଏହି ପଲିସିଗୁଡିକର ମୋଟ ବୀମା ରାଶି ୬୦ଲକ୍ଷ ଟଙ୍କା ଥିଲା। ତାଙ୍କ ମା ଜୟଶ୍ରୀ ସୁରେଶ ଗମ୍ଭୀର ଏହି ପଲିସିଗୁଡିକରେ ନୋମିନି ଥିଲେ। ୩୮ ବର୍ଷ ବୟଷ୍କ ସୁରେଶ ୧୧ ଜୁଲାଇ ୨୦୧୪ରେ ହୃଦଘାତ ଯୋଗୁ ପ୍ରାଣ ହରାଇଥିଲେ। ସରେଶଙ୍କ ମୃତ୍ୟୁ ପରେ ତାଙ୍କ ମା ସମସ୍ତ ୫ ବୀମା ପଲିସି ଅନୁସାରେ ବୀମା ଦାବି ପାଇଁ ଆବେଦନ କରିଥିଲେ। ତେବେ ଏଲଆଇସି ତାଙ୍କ ବୀମା କ୍ଲେମକୁ ଖାରଜ କରିଦେଇଥିଲା ଓ କହିଥିଲା ମୃତକ ପଲିସି ନେବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଲୁଚାଇଥିଲେ।

ଏଲଆଇସି ଅନୁସାରେ ସୁରେଶ ମଧୂମେହରେ ପୀଡ଼ିତ ଥିଲେ ଓ ସେପ୍ଟେମ୍ବର ୨୦୧୦ରେ ଆରୋଗ୍ୟ ହୋଇ ପାରୁନଥିବା ଅଲସର ଓ ସେଲ୍ୟୁଲାଇଟିସ୍ ଚିକିତ୍ସା ଲାଗି ପି.ଡି.ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ପଲିସି ନେବା ବେଳେ ସେ ଏହି ତଥ୍ୟ ଦେଇ ନଥିଲେ। ତେବେ ଏନସିଡିଆରସି ଜାଣିବାକୁ ପାଇଥିଲେ ଯେ ସୁରେଶଙ୍କ ମୃତ୍ୟୁ ପାଖାପାଖି ୩ ବର୍ଷ ପରେ ହୋଇଥିଲା ଓ ତାଙ୍କ ମୃତ୍ୟୁର କାରଣ ହୃଦଘାତ ଥିଲା। ଆୟୋଗ ସ୍ୱୀକାର କରିଛନ୍ତି ଯେ କଥିତ ମଧୂମେହ ଓ ତାଙ୍କ ମୃତ୍ୟୁ କ୍ଲେମ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ଥିବାର କୌଣସି ପ୍ରମାଣ ନଥିଲା।

ଏଣୁ ଏନସିଡିଆରସି ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ଉଦାହରଣ ଦେଇ କହିଛନ୍ତି ଯେ ବୀମା କମ୍ପାନୀ ଏହା ପ୍ରମାଣିତ କରିବାରେ ବିଫଳ ହୋଇଛି ଯେ କଥିତ ଲୁଚା ଯାଇଥିବା ସ୍ଥିତିର କରାଯାଉଥିବା ଦାବି ସହ କୌଣସି ସମ୍ପର୍କ ଅଛି। ଏଣୁ ଏନସିଡିଆରସି ସୁରେଶଙ୍କ ମାଆ କରୁଥିବା ଦାବିକୁ ସ୍ୱୀକାର କରି ଏଲଆଇସିର ଚ୍ୟାଲେଞ୍ଜକୁ ଖାରଜ କରିଦେଇଛନ୍ତି। ଆୟୋଗ ବୀମା କମ୍ପାନୀକୁ ସମସ୍ତ ୫ଟିଜାକ ପଲିସି ନିମନ୍ତେ ସମ୍ପୂର୍ଣ୍ଣ ବୀମା ରାଶି ୬୦ ଲକ୍ଷ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ଛଡା ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଜରିମନା ବାବଦେ ବୀମା କମ୍ପାନୀକୁ ବାର୍ଷିକ ୯%ର ସାଧାରଣ ସୁଧହାରରେ ୧୨ ବର୍ଷର ସୁଧ ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ବାର୍ଷିକ ୫.୪ ଲକ୍ଷ ଟଙ୍କା ସୁଧ ହିସାବରେ ମୋଟ ୧୨ ବର୍ଷ ନିମନ୍ତେ ୬୪.୮ଲକ୍ଷ , ୬୦ ଲକ୍ଷ ବୀମା ବାବଦ ଦେୟ, ମାନସିକ ପୀଡା ଲାଗି ୧ ଲକ୍ଷ ଟଙ୍କା ଅତିରିକ୍ତ, ମୋକଦ୍ଦମା ବାବଦ ବ୍ୟୟ ଲାଗି ୫୦,୦୦ ଏହିପରି ଏଲଆଇସିକୁ ଏବେ ଚୂଡ଼ାନ୍ତ ରୂପେ ୧ କୋଟି ୨୬ ଲକ୍ଷ ୩୦ ହଜାର ଟଙ୍କା ପୈଠ କରିବାକୁ ପଡିବ।